ଅମିତଙ୍କୁ ଭାରତୀୟ ଟିମ୍ର ନେତୃତ୍ୱ
ଏଫ୍ଆଇଏଚ୍ ପ୍ରୋ ଲିଗ୍ । ବେଲ୍ଜିୟମ୍ ଓ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍
ନୂଆଦିଲ୍ଲୀ, ୧୯ା୫ (ଏଜେନ୍ସି): ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ୨୦୨୧-୨୨ ସିଜନ୍ର ଶେଷ ଲେଗ୍ରେ ବେଲ୍ଜିୟମ୍ ଓ ନେଦରଲାଣ୍ଡ୍ସ ବିପକ୍ଷ ମୁକାବିଲା ପାଇଁ ହକି ଇଣ୍ଡିଆ ଗୁରୁବାର ୨୦ ଜଣିଆ ଭାରତୀୟ ପୁରୁଷ ହକି ଟିମ୍ ଘୋଷଣା କରିଛି । ଓଡ଼ିଶାର ଅମିତ ରୋହିଦାସଙ୍କୁ ଟିମ୍ର ଅଧିନାୟକ ମନୋନୀତ କରାଯାଇଥିବା ବେଳେ ହରମନପ୍ରୀତ ସିଂହ ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ । ଅନ୍ୟତମ ଓଡ଼ିଆ ଭାବେ ଫର୍ୱାର୍ଡ ଶିଳାନନ୍ଦ ଲାକ୍ରା ଟିମ୍ରେ ସ୍ଥାନ ପାଇଛନ୍ତି ।
ଟେବୁଲ୍ ଟପ୍ପର ଭାରତ ଜୁନ୍ ୧୧ ଓ ୧୨ରେ ଆଣ୍ଟୱର୍ପ ଠାରେ ବେଲ୍ଜିୟମ୍ ବିପକ୍ଷରେ ଖେଳିବ । ୨୦ଜଣିଆ ଟିମ୍ରେ ଗୋଲ୍କିପର୍ ସୁରଜ କର୍କେରା, ପି.ଆର୍. ଶ୍ରୀଜେଶ ଏବଂ ଡିଫେଣ୍ଡର୍ ସୁରେନ୍ଦର କୁମାର, ହରମନପ୍ରୀତ ସିଂହ, ବରୁଣ କୁମାର, ଅମିତ ରୋହିଦାସ, ଯୁଗରାଜ ସିଂହ, ଜର୍ମନପ୍ରୀତ ସିଂହ ସ୍ଥାନ ପାଇଛନ୍ତି ।
ମିଡ୍ଫିଲ୍ଡରେ ଅଭିଜ୍ଞ ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ଶମଶେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ନୀଳକାନ୍ତ ଶର୍ମା ରହିଥିବା ବେଳେ ଫର୍ୱାର୍ଡ-ଲାଇନ୍ରେ ଗୁରଜନ୍ତ ସିଂହ, ମନଦୀପ ସିଂହ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ ଦାୟିତ୍ୱରେ ରହିବେ ।
ଟିମ୍ ସମ୍ପର୍କରେ ମୁଖ୍ୟ କୋଚ୍ ଗ୍ରାହମ୍ ରୀଡ୍ କହିଛନ୍ତି, “ଏହା ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ, ଯେଉଁଥିରେ ବିଶ୍ୱର ଟପ୍ ଟିମ୍ଗୁଡ଼ିକ ବିପକ୍ଷରେ ସେମାନଙ୍କ ହୋମ୍ ଗ୍ରାଉଣ୍ଡରେ ମୁକାବିଲା ହେବ । ଭାରତରେ ଖେଳାଯାଇଥିବା ଘରୋଇ ମ୍ୟାଚ୍ଗୁଡ଼ିକର ଲୟକୁ ଆଗକୁ ନେବା ପାଇଁ ଯୋଜନା ରହିଛି । ବେଙ୍ଗାଲୁରୁସ୍ଥିତ ସାଇଠାରେ ଆମ ଜାତୀୟ ଶିବିର ସମୟରେ ଲିଗ୍ରେ ଏ ଯାବତ୍ ଆମର ପ୍ରଦର୍ଶନକୁ ଆତ୍ମବିଶ୍ଳେଷଣ କରିଥିଲୁ ଏବଂ ୟୁରୋପ୍ରେ ପ୍ରଦର୍ଶନରେ ସୁଧାର ଆଣିବା ଉପରେ ଫୋକସ୍ କରିଥିଲୁ । ଟିମ୍ରେ କୌଣସି ବଡ଼ ପରିବର୍ତ୍ତନ କରାଯାଇ ନାହିଁ । ପ୍ରତ୍ୟେକଙ୍କର ପ୍ରୋ ଲିଗ୍ରେ ଖେଳିବାର ପୂର୍ବ ଅଭିଜ୍ଞତା ଅଛି ଏବଂ ସେମାନେ ବେଲ୍ଜିୟମ୍ ଓ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍କୁ ନେଇ ଆଶାବାଦୀ ଅଛନ୍ତି ।
ଭାରତୀୟ ଟିମ୍
ଗୋଲ୍କିପର୍: ସୁରଜ କର୍କେରା, ପି.ଆର୍. ଶ୍ରୀଜେଶ; ଡିଫେଣ୍ଡର: ସୁରେନ୍ଦର କୁମାର, ହରମନପ୍ରୀତ ସିଂହ (ଉପ-ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ (ଅଧିନାୟକ), ଯୁଗରାଜ ସିଂହ, ଜର୍ମନପ୍ରୀତ ସିଂହ; ମିଡ୍ଫିଲ୍ଡର: ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ଶମଶେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ନୀଳକାନ୍ତ ଶର୍ମା; ଫର୍ୱାର୍ଡ: ଗୁରଜନ୍ତ ସିଂହ, ମନଦୀପ ସିଂହ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂହ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ ।