ନୂଆ ରୂପରେ ତାରାତାରିଣୀ ପୀଠ

ବ୍ରହ୍ମପୁର,୧୮ା୫(ବୁ୍ୟରୋ): ଗଞ୍ଜାମ ଜିଲ୍ଲା ଉତ୍ସବ ମୁଖରିତ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମା’ଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା’ ତାରା ତାରିଣୀଙ୍କ ପୀଠର ହୋଇଛି କାୟାକଳ୍ପ । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବର୍ନିମିତ ମନୋରମ ମନ୍ଦିରର ହୋଇଛି ପ୍ରତିଷ୍ଠା ଉତ୍ସବ । ପବିତ୍ର ମନ୍ତ୍ରଧ୍ୱନୀର ଉଚ୍ଚାରଣ ତଥା ମଙ୍ଗଳ ବାଦ୍ୟର ନିନାଦରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ଗତ ୫ ଦିନ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ବୁଧବାର ସଂପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆଜିର ଦିନଟିକୁ ଏକ ପବିତ୍ର ଦିନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସାରା ଓଡିଶା, ବିଶେଷକରି ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରଥମେ ମା’ଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଦେବଭୂମି । ଓଡିଶାରେ ଶକ୍ତି ପୂଜାର ପରମ୍ପରା ବହୁ ପ୍ରାଚୀନ । ଓଡିଶାର ଗାଁ ଗାଁରେ ମାଙ୍କର ପୂଜା ଅନାଦି କାଳରୁ ·ଲିଆସିଛି । ମା’ ତାରାତାରିଣୀ ହେଉଛନ୍ତି ଗଞ୍ଜାମର ଇଷ୍ଟ ଦେବୀ । ଗଞ୍ଜାମବାସୀଙ୍କ ସୁଖଦୁଃଖରେ ଆମେ ମା’ଙ୍କ ଶରଣ ନେଇଥାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ମା’ଙ୍କ ଆଶୀର୍ବାଦ ଓ ମା’ଙ୍କ ଇଚ୍ଛାରେ ହିଁ ତାଙ୍କ ମନ୍ଦିର ଆଜି ଏହି ଭବ୍ୟ ରୂପ ଗ୍ରହଣ କରିଛି । ଏହି କାର୍ଯ୍ୟରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ମା’ ତାରାତାରିଣୀଙ୍କ ମନ୍ଦିରର ନୂଆରୂପକୁ ଓଡିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ଶିଳ୍ପୀ ଓ କାରିଗରମାନଙ୍କୁ ବିଶେଷ ଅଭିନନ୍ଦନ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଯେବେ ବି ମା’ଙ୍କ ଦର୍ଶନ ପାଇଁ ପୀଠକୁ ଆସିଛି, ସେତେବେଳେ ମୋତେ ବହୁତ ଭଲ ଲାଗିଛି ।
ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ମତ ଦେଇ ସେମାନଙ୍କ ନିମନ୍ତେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗର ଉଚ୍ଚପ୍ରଶଂସା କରିଥିଲେ । ଶେଷରେ ଶାନ୍ତି ଓ ସହଯୋଗ ଭିତ୍ତିରେ ଗଞ୍ଜାମର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିକଶିତ ବିଭିନ୍ନ ସୁବିଧା ସୁଯୋଗର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ଋଷିକୂଲ୍ୟା ନଦୀ ତଟ ଉନ୍ନତିକରଣ କାର୍ଯ୍ୟର ଭିତ୍ତି ମଧ୍ୟ ରଖିଥିଲେ ।
ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର, ମା’ ସମଲେଶ୍ୱରୀ ମନ୍ଦିର, କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରର ସେବାୟତମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କର ବିଶେଷ ଅବଦାନ ରହିଥିଲା । ପ୍ରତିଷ୍ଠା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ନାତି ସ୍ମିତେଶ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟତମ ସ୍ଥପତି ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ଠାରୁ ୩୦ କିଲୋମିଟର ଦୂରରେ ଋଶିକୂଲ୍ୟା ନଦୀ କୂଳରେ ମା’ ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ । କୁମାରୀ ପାହାଡର ସର୍ବୋଚ୍ଚ ଶିଖରରେ ପୂଜା ପାଆନ୍ତି ଦୁଇ ଦେବୀ ମା’ ତାରା ଓ ତାରିଣୀ । ଏହି ପୀଠକୁ ଏକ ନୂଆ କଳେବର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଆଜି ସାକାର ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମନ୍ଦିର ରୂପାନ୍ତରର ଭୂମି ପୂଜନ କରାଯାଇଥିଲା । ପୂର୍ବରୁ ଭକ୍ତ ମାନେ ଅନେକ ପାହାଚ ଚଢି ମା’ଙ୍କ ଦର୍ଶନ ପାଇଁ ଯାଉଥିଲେ । ଏବେ ରୋପ୍ୱେ ସହ ପୀଠକୁ ସୁନ୍ଦର ରାସ୍ତା ମଧ୍ୟ ତିଆରି ହୋଇଛି ।
ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାରା ତାରିଣୀ ମନ୍ଦିରର ରୂପାନ୍ତରକୁ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମର ପ୍ରକୃଷ୍ଟ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ମଣ୍ଡଳର ସଦସ୍ୟ ବୃନ୍ଦ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ସୃଷ୍ଟି କରାଯାଇଛି । ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ୱଳନ ସ୍ଥାନ, ବାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର, ବିଶ୍ରାମସ୍ଥଳ, ସେଣ୍ଟ୍ରାଲ ପ୍ଲାଜା ଓ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଦି ନୂତନ ସୁବିଧା ସହିତ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି । ପାହାଚ ଶ୍ରେଣୀ, ରୋପ୍ ୱେ ଏବଂ ନୂତନ ସଡକ ସହିତ ଦ୍ୱାରା ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାସହିତ ନଦୀ କୂଳ ସଡକକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି । ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *