ରାଜୀବ ହତ୍ୟାକାରୀ ୩୧ ବର୍ଷ ପରେ ମୁକ୍ତ
ନୂଆଦିଲ୍ଲୀ, ୧୮ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୧୪୨(୧)ରେ ପ୍ରଦତ୍ତ ବିଶେଷାଧିକାର ପ୍ରୟୋଗ ପୂର୍ବକ ସୁପ୍ରିମ୍ କୋର୍ଟ ଏହି ମାମଲାର ଅନ୍ୟତମ ଦୋଷୀ ଏଜି ପେରାରୀବଲନ୍ଙ୍କୁ ମୁକ୍ତି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପେରାରୀବଲନ୍ଙ୍କୁ ମାର୍ଚ୍ଚ ୯ ତାରିଖ ଦିନ ସୁପ୍ରିମ୍କୋର୍ଟ ଜାମିନ ମଞ୍ଜୁର କରିଥିଲେ । ବୁଧବାରର ରାୟ ଫଳରେ ସେ ଏଣିକି ସମ୍ପୂର୍ଣ୍ଣ ମୁକ୍ତ ଜୀବନଯାପନ କରିବେ ।
ରାଜୀବ ଗାନ୍ଧୀଙ୍କୁ ୧୯୯୧ ମେ’୨୧ ତାରିଖ ଦିନ ଏକ ନିର୍ବାଚନୀ ରାଲିରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ହତ୍ୟା କରାଯାଇଥିଲା । ଏହାର ୨୦ ଦିନ ପରେ ପେରାରୀବଲନ୍ଙ୍କୁ ଗିରଫ କରାଯାଇଥିଲା । ସେତେବେଳେ ତାଙ୍କ ବୟ ୧୯ ବର୍ଷ । ପେରାରୀବଲନ୍, ମୁରୁଗନ୍, ସନ୍ଥନ ଓ ନଳିନୀଙ୍କୁ ଏହି ମାମଲାରେ ମୃତୁ୍ୟ ଦଣ୍ଡାଦେଶ ଦିଆଯାଇଥିଲା । ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ୪ ଜଣଯାକ ଦୋଷୀ ରାଷ୍ଟ୍ରପତିଙ୍କ ନିକଟକୁ କ୍ଷମା ଆବେଦନ ପଠାଇଥିଲେ । ରାଷ୍ଟ୍ରପତି ୧୧ ବର୍ଷ କାଳ ନିଷ୍ପତ୍ତି ନ ନେବାରୁ ସୁପ୍ରିମ୍କୋର୍ଟ ୨୦୧୪ ଫେବ୍ରୁଆରୀ ୧୮ରେ ୪ ଦୋଷୀଙ୍କ ମୃତୁ୍ୟଦଣ୍ଡକୁ ଆଜୀବନ ଜେଲ୍ରେ ପରିଣତ କରିଦେଇଥିଲେ । ଆଜୀବନ ସଜ୍ଜା ଅନୁଯାୟୀ ଅତି କମ୍ରେ ୧୪ ବର୍ଷ ବନ୍ଦୀ ଜୀବନ ବିତାଇବାକୁ ପଡିଥାଏ । ଏହି ଦୋଷୀମାନଙ୍କ ଜେଲ୍ ଅବଧି ୩୦ ବର୍ଷ ହୋଇଯିବାରୁ ତାମିଲନାଡୁ ସରକାର ସେମାନଙ୍କ ମୁକ୍ତି ଦାବି କଲେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମ୍ ଷ୍ଟାଲିନ୍ଙ୍କ ସରକାର ଏ ସମ୍ବନ୍ଧରେ ଏକ ପ୍ରସ୍ତାବ ମଧ୍ୟ ପାସ୍ କଲେ । ପ୍ରସ୍ତାବଟିକୁ ରାଜ୍ୟପାଳଙ୍କ ସ୍ୱୀକୃତି ନିମନ୍ତେ ପଠାଯାଇଥିଲା । କିନ୍ତୁ ରାଜ୍ୟପାଳ ବନୱାରୀ ଲାଲ୍ ପୁରୋହିତ ତାହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଥିଲେ । ଏହାପରେ ମାମଲା ସୁପ୍ରିମ୍କୋର୍ଟକୁ ଆସିଲା । ସର୍ବୋଚ୍ଚ ଅଦାଲତରେ କେନ୍ଦ୍ର ସରକାର ତର୍କ ରଖିଲେ ଯେ କେବଳ ରାଷ୍ଟ୍ରପତି ହିଁ କ୍ଷମା ଆବେଦନ ଉପରେ ଚୂଡାନ୍ତ ନିଷ୍ପତ୍ତି ନେଇପାରିବେ । ସୁପ୍ରିମ୍କୋର୍ଟ କହିଲେ, ଯଦି ରାଷ୍ଟ୍ରପତି ୭ ଦିନ ଭିତରେ ଫୈସଲା ନ ନେବେ ସେ କ୍ଷେତ୍ରରେ ସମ୍ବିଧାନର ଅନୁଚ୍ଛେଦ ୧୪୨ରେ ପ୍ରଦତ୍ତ ବିଶେଷ ଅଧିକାର ପ୍ରୟୋଗ ପୂର୍ବକ ପେରାରୀବଲନ୍ଙ୍କ ମୁକ୍ତି ପାଇଁ ଆଦେଶ ଦିଆଯିବ ।
୩୧ ବର୍ଷ ହେଲା ସଜା କାଟି ଆସୁଥିଲେ । ତାଙ୍କ କ୍ଷମା ଆବେଦନକୁ ରାଜ୍ୟପାଳ ଓ ରାଷ୍ଟ୍ରପତି ବହୁ ବର୍ଷ ଅଟକାଇ ରଖିବା ପ୍ରସଙ୍ଗରେ ନ୍ୟାୟମୂର୍ତ୍ତି ଏଲ୍ ନାଗେଶ୍ୱର ରାଓ ଓ ନ୍ୟାୟମୂର୍ତ୍ତି ବି ଆର ଗବଇଙ୍କ ଖଣ୍ଡପୀଠ ରାୟରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟପାଳ ରାଜ୍ୟ ମନ୍ତ୍ରିମଣ୍ଡଳର ସହାୟତା ଓ ପରାମର୍ଶରେ ବନ୍ଧା । ପେରାରୀବଲନ୍ଙ୍କୁ ମୁକ୍ତି ଦେବା ପାଇଁ ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ଯଦି ଗ୍ରହଣୀୟ ହେଲା ନାହିଁ, ରାଜ୍ୟପାଳ ପୁନର୍ବିଚାର ପାଇଁ ତାହାକୁ ମନ୍ତ୍ରିମଣ୍ଡଳ ନିକଟକୁ ଫେରସ୍ତ ଦେବା କଥା । ମାରୁ ରାମ ମାମଲା (୧୯୮୦)ରେ ସୁପ୍ରିମ୍କୋର୍ଟଙ୍କ ଫୈସଲା ଅନୁଯାୟୀ ରାଷ୍ଟ୍ରପତିଙ୍କୁ କ୍ଷମା ଆବେଦନ ପଠାଇବା ଲାଗି ରାଜ୍ୟପାଳ ନିଷ୍ପତ୍ତି ନେବାକୁ ସମ୍ବିଧାନ ସମର୍ଥନ କରେ ନାହିଁ । ଖଣ୍ଡପୀଠ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଛନ୍ତି ।
ପେରାରୀବଲନ୍ଙ୍କୁ ମୁକ୍ତି ମିଳିଥିବାରୁ ଅନ୍ୟ ଦୋଷୀମାନେ ଶୀଘ୍ର ମୁକ୍ତି ପାଇବେ ବୋଲି ଆଶା ପ୍ରକଟ କରିଛନ୍ତି ।