ମହିଳାଙ୍କୁ ୫ଠ ହଜାର କୋଟି ଋଣ
୩୨ ପ୍ରସ୍ତାବରେ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୧୮ା୫(ବୁ୍ୟରୋ): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ)କୁ ଜିଲ୍ଲା ପରିଷଦ ସହ ମିଶ୍ରଣ କରାଯିବ । ଜିଲ୍ଲାରେ ଡିଆରଡିଏଗୁଡ଼ିକୁ ଉଚ୍ଛେଦ କରାଯିବ । ଏ ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିସହ ରାଜ୍ୟ କ୍ୟାବିନେଟ୍ ବିଭିନ୍ନ ବିଭାଗର ୩୨ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ବସିଥିଲା । କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମିଳିଥିବା ସୂଚନାନୁସାରେ, ଡିଆରଡିଏକୁ ଜିଲ୍ଲା ପରିଷଦ ସହ ମିଶ୍ରଣ କରାଯିବ । ସ୍ୱାୟତ୍ତ ଶାସନ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସଶକ୍ତ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ଆଉ ପାଦେ ଆଗେଇ ଏବଂ ସମ୍ବିଧାନର ୭୩ତମ ସଂଶୋଧନରେ ଦିଆଯାଇଥିବା ଆଦେଶକ୍ରମେ ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଏଥିସହ ସରକାର ମିଶନ୍ ଶକ୍ତି ପାଇଁ ହାତ ଖୋଲିଦେଇଛନ୍ତି । ସବୁ ଗ୍ରାମରେ ମିଶନ୍ ଶକ୍ତି ଗୃହ ନିର୍ମାଣ କରାଯିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉତ୍ପାଦ ବିକ୍ରି ପାଇଁ ପ୍ରାୟ ୫ଠଠ ମିଶନ୍ ଶକ୍ତି ଆଉଟ୍ଲେଟ୍ ସ୍ଥାପନ କରାଯିବ । ମିଶନ୍ ଶକ୍ତି ଯୋଜନା ପାଇଁ ଆଗାମୀ ପାଞ୍ଚବର୍ଷ ଅର୍ଥାତ୍ ୨ଠ୨୨-୨୩ ରୁ ୨ଠ୨୬-୨୭ ପର୍ଯ୍ୟନ୍ତ ବଜେଟ୍ରେ ୪୯୭୩.୩୯ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଙ୍କୁ ୫ଠ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା କରାଯାଇଛି । ସେହିପରି ଏସ୍ଏଚ୍ଜିଙ୍କୁ ୧୨ଠଠ କୋଟିର ସୁଧ ରିହାତି ବ୍ୟବସ୍ଥା, ସାରା ରାଜ୍ୟରେ ଏସ୍ଏଚ୍ଜି ସାମଗ୍ରୀ ବିକ୍ରି ପାଇଁ ୫ଠଠ ମିଶନ ଶକ୍ତି ବଜାର ଓ ଆଉଟ୍ଲେଟ୍ ସ୍ଥାପନ, ୩୫ରୁ ୪ଠ ଲକ୍ଷ ଏସ୍ଏଚ୍ଜି ସଦସ୍ୟାଙ୍କୁ ଜୀବିକା ନିର୍ବାହ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅଧୀନରେ ତାଲିମ୍ ଦିଆଯିବ । ପ୍ରତ୍ୟେକ ଜିଲ୍ଲା, ବ୍ଲକ୍ , ପଞ୍ଚାୟତ ଓ ସହରୀ ୱାର୍ଡରେ ମିଶନ୍ ଶକ୍ତି ଗୃହ ବା ଭବନ କରାଯିବ । ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ମିଶନ୍ ଶକ୍ତି ଏସ୍ଏଚ୍ଜି ତଥା ମହାସଂଘଙ୍କୁ ୬୬ଠଠ କୋଟିରୁ ଅଧିକ ବ୍ୟବସାୟ ଯୋଗାଇ ଦିଆଯିବ ।
ରାଜ୍ୟ କ୍ୟାବିନେଟ୍ର ଆଉଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷା ବଳୟର ଉନ୍ନତି ପାଇଁ ରାଜ୍ୟ ସରକାର ମେଘନାଦ ପାଚେରୀର ଚତୁଃପାଶ୍ୱର୍ର ୭୫ ମିଟର ଦୂରତା ମଧ୍ୟରେ ଥିବା ବେସରକାରୀ ଜମି, ବାସଗୃହ, ଦୋକାନ, ମଠ, ଲଜ ଆଦିକୁ ଅଧିଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଅନୁମୋଦିତ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଅନୁସାରେ ବିସ୍ଥାପିତ ହେଉଥିବା ମଠ ମନ୍ଦିରଗୁଡ଼ିକର ଥଇଥାନ ନିମନ୍ତେ ଉଦ୍ଦିଷ୍ଟ ୧.୩୨ଠ ଏକର ସରକାରୀ ଜମିକୁ ବିନାଦେୟରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ଉକ୍ତ ସରକାରୀ ଜମିକୁ ବିସ୍ଥାପିତ ହୋଇଥିବା ୧୩ ମଠ ମାନଙ୍କର ନାମରେ ପଞ୍ଜୀକରଣ ନିମନ୍ତେ ଆବଶ୍ୟକୀୟ ଷ୍ଟାମ୍ପ ଦେୟ ଓ ରେଜିଷ୍ଟ୍ରେସନ୍ ଫି’କୁ ମଧ୍ୟ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି ।
ଅନ୍ୟପକ୍ଷରେ ୨୪ଟି ଘରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିବେ । ସେହି ବିଦ୍ୟାଳୟରେ କାର୍ଯ୍ୟରତ ୪୭ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ସରକାର ବାର୍ଷିକ ପ୍ରାୟ ୬୮.୫୫ ଲକ୍ଷ ଟଙ୍କା ଖର୍ଚ୍ଚ ବହନ କରିବେ ।
ରାଜ୍ୟ କ୍ୟାବିନେଟ ‘ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍’ ନାମକ ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି । ଇଡ୍କୋ ମାଧ୍ୟମରେ ଏହି ଯୋଜନାରେ ଏକଲକ୍ଷ ଏକର ଜମି ବିଶିଷ୍ଟ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିିବାକୁ ଲକ୍ଷ୍ୟ ରଖାଯାଇଛି । ଯାହାଫଳରେ ରାଜ୍ୟରେ ବିଭିନ୍ନ ଧରଣର ଶିଳ୍ପ ୟୁନିଟ୍ ପ୍ରତିଷ୍ଠା ହୋଇପାରିବ । ବୃହତ୍ ଶିଳ୍ପ ସଂସ୍ଥା ପାଇଁ ‘ପ୍ଲଗ ଆଣ୍ଡ ପ୍ଲେ’ ସୁବିଧା ସହିତ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଇଡ୍କୋକୁ ଦାୟିତ୍ୱକୁ ଦେଇଛନ୍ତି । ଶିଳ୍ପ ଅଭିବୃଦ୍ଧି ପାଇଁ ଇଡ୍କୋ ମଧ୍ୟ ବିଭିନ୍ନ ସ୍ଥାନରେ ଘରୋଇ ଜମି ହାସଲ କରିବାକୁ ସକ୍ଷମ ହେବ । ଏହି ଲ୍ୟାଣ୍ଡ ବ୍ୟାଙ୍କ ନିମନ୍ତେ ରାଜ୍ୟ ସରକାର ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ୮୫୬ କୋଟି ଟଙ୍କା ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଲ୍ୟାଣ୍ଡବ୍ୟାଙ୍କ ଯୋଜନା ସମ୍ଭାବ୍ୟ ନିବେଶକମାନଙ୍କୁ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବିନିଯୋଗ କରିବାକୁ ଉତ୍ସାହିତ କରିବ ।
ସେହିପରି ଡ୍ରିମ୍ସ କଲେଜକୁ ୟୁନିର୍ଭସିଟି ମାନ୍ୟତା ଦେବା ପାଇଁ ଏକ ସ୍ୱତନ୍ତ୍ର ବିଲ୍କୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହି ୟୁନିର୍ଭସିଟି ବିଲ୍ ଆଗାମୀ ଦିନରେ ବିଧାନସଭାରେ ଉପସ୍ଥାପନ ହେବ । ଏହାସହିତ ସିଭି ରମଣ ଗ୍ଲୋବାଲ୍ ୟୁନିର୍ଭସିଟି ଆକ୍ଟରେ ସଂଶୋଧନ, ଗାନ୍ଧି ଇନଷ୍ଟିଚୁ୍ୟଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ଆଇନ-୨୦୧୮ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ଏହାସହିତ ମୟୂରଭଞ୍ଜ ଜିଲ୍ଲାର ଉଦଳା, ଖୁଣ୍ଟା, ବଡ଼ସାହି ଓ ଜିବିନଗର ବ୍ଲକ୍ରେ ମୋଟ୍ ୬୨ଟି ପଞ୍ଚାୟତକୁ ମେଗା ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ସହ ରାଉଁରିଆ ଓ ସୁକୃଳି ବ୍ଲକ୍ରେ ଜଳଯୋଗାଣ ପ୍ରକଳ୍ପ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ବାମରା ବ୍ଲକ୍ରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ, ଦେବଗଡ଼ ଜିଲ୍ଲାରେ ୨ଟି ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ସେହିପରି ସମ୍ବଲପୁରରେ ଓଡ଼ିଶାର ଦ୍ୱିତୀୟ ସୈନିକ ସ୍କୁଲ ସ୍ଥାପନ ନିମନ୍ତେ ସମ୍ବଲପୁର ତହସିଲ ଅଞ୍ଚଳରେ ୧୦୦.୫ଏକର ଜମି ଏବଂ ରାଉରକେଲାରେ କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ନିମନ୍ତେ ଟେକ୍ନୋଲୋଜି ସେଣ୍ଟର ସ୍ଥାପନ ପାଇଁ ୧୪.୫ ଏକର ଜମି ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।
ଅନ୍ୟପକ୍ଷରେ କଟକ ଜିଲ୍ଲା ବାରଙ୍ଗ ତହସିଲ୍ ଅଞ୍ଚଳରେ କୋଇଲା ଭିତ୍ତିକ ଥର୍ମାଲ ପାୱାର ପ୍ଲାଣ୍ଟ୍ ପାଇଁ ଲିଜ୍ରେ ଦିଆଯାଇଥିବା ୮୭୧.୪୧୭ ଏକର ଜମିକୁ ଲ୍ୟାଣ୍ଡବ୍ୟାଙ୍କ୍କୁ ଆଣିବା ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଇଡ୍କୋକୁ ମୋଟ୍ ୬୨ କୋଟି, ୮୩ ଲକ୍ଷ ୪୮ ହଜାର ୫୧୭ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ।