ପୁରୁଣା ପେନ୍ସନ୍ ଯୋଜନା ଲାଗୁ ହେଉ
ସପ୍ତମ ବେତନ ପ୍ରଦାନକୁ ବିରୋଧ
କେନ୍ଦୁଝର (ଆପ୍ର): ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ସପ୍ତମ ବେତନ ନିର୍ଦ୍ଧାରଣ ଓ ପ୍ରଦାନ କ୍ଷେତ୍ରରେ ସରକାରଙ୍କ ଅଗଣତାନ୍ତ୍ରିକ ଅନୀତିକର ଓ ଭ୍ରମାତ୍ମକ କାର୍ଯ୍ୟକଳାପକୁ ବିରୋଧ କରି ଓଷ୍ଟା କେନ୍ଦୁଝର ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତଥା ଅର୍ଥ ସଚିବଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ନୀତି ଶିକ୍ଷକ ସମାଜର ସମ୍ମାନ ଓ ପଦ ମର୍ଯ୍ୟାଦାକୁ କ୍ଷୁଣ୍ଣ କରିବା ସହିତ ବିଭିନ୍ନ ବର୍ଗର କର୍ମଚାରୀଙ୍କ ମଧ୍ୟରେ ବୈଷମ୍ୟ ସୃଷ୍ଟି କରିବ ବୋଲି ସମବେତ ଶିକ୍ଷକଗଣ ପ୍ରକାଶ କରିଥିଲେ । ଶତାଧିକ ଶିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲା ଶିକ୍ଷା ଅଧିକାରୀ, କେନ୍ଦୁଝର ଏହି ସ୍ମାରକପତ୍ର ଗ୍ରହଣ କରିଥିଲେ ।
ରାଜ୍ୟ ସରକାର ପ୍ରକାଶ କରିଥିବା ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଦରମା ପ୍ରଦାନର ପଦ୍ଧତି (ମୋଡାଲିଟି) ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ମନମୁଖୀ ବୋଲି ଓଷ୍ଟା ସଂଘ କେନ୍ଦୁଝର କମିଟି ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ଠିକ୍ ପଦ୍ଧତି ନିର୍ଦ୍ଧାରଣ କରିବାକୁ ସଂଘ ଦାବି କରିଛି । ରାଜ୍ୟ ସରକାର ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ କରାଯିବ ବୋଲି ଗତ ଜାନୁୟାରୀ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । କିନ୍ତୁ ବେତନ ପ୍ରଦାନର ପଦ୍ଧତି ପ୍ରକାଶ କରି ନ ଥିଲେ । ଏହାକୁ ନେଇ ଶିକ୍ଷକ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାପୂର୍ବରୁ ଦିଆଯାଇଥିବା ସରକାରୀ ତଥା ପୂର୍ଣ୍ଣ ଅନୁଦାନପ୍ରାପ୍ତ କର୍ମଚାରୀଙ୍କ ଓଆର୍ଏସ୍ପି ରୁଲ -୨୦୧୭ ସପ୍ତମ ବେତନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ନୂତନ ପେନ୍ସନ୍ ସ୍କିମ୍ ଏନ୍ପିଏସ୍ ପରିବର୍ତ୍ତେ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଓପିଏସ୍ ଲାଗୁ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଓଷ୍ଟା କେନ୍ଦୁଝରର ସଭାପତି ରଘୁୁନାଥ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା ସଂପାଦକ ପ୍ରଶାନ୍ତ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ ହଜାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାସୁଦେବ ମହାନ୍ତ, ଓଷ୍ଟା କେନ୍ଦୁଝର ମହିଳା ସେଲ ଆବାହିକା ସୁଚରିତା ରାଉତ, ଓଷ୍ଟା କେନ୍ଦୁଝର ଉପଦେଷ୍ଟା ଶାନ୍ତନୁ କୁମାର ମିଶ୍ର, କ୍ଷୀରୋଦ କୁମାର ରାଉତ ପ୍ରମୁଖଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ସାମିଲ ଥିଲେ ।