ପରମ୍ପରା ଠାରୁ ଦୂରେଇ ଯାଉଛି ଚନ୍ଦନ ଯାତ୍ରା

ପୁରୀ (ବୁ୍ୟରୋ): ପରମ୍ପରା ଓ ପବିତ୍ରତା ଠାରୁ ଦୂରେଇ ଯାଉଛି ଶ୍ରୀବିଗ୍ରହଙ୍କ ଚନ୍ଦନ ଯାତ୍ରା ଓ ଚାପ କ୍ରୀଡ଼ା । ଚନ୍ଦନ ଯାତ୍ରା ସମୟରେ ପୂର୍ବରୁ ଚାଲି ଆସୁଥିବା ପରମ୍ପରା ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି । ଆଧୁନିକତା ଚାପରେ ପବିତ୍ରତା ନଷ୍ଟ ହେବାରେ ଲାଗିଛି । ଏବେ ଏହା କେବଳ କାମଚଳା ଯାତ ହୋଇ ରହିଯାଇଛି । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନନ୍ୟ । ସାମାଜିକ ସ୍ଥିତିକୁ ନେଇ ଶ୍ରୀଜଗନ୍ନାଥଙ୍କ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ । ଖରାଦିନେ ପ୍ରବଳ ଗରମ ହୁଏ । ତେଣୁ ସମସ୍ତେ ପାଣିରେ ଖେଳିବାକୁ ଭଲ ପାଆନ୍ତି । ଜଳକ୍ରୀଡ଼ା ଆନନ୍ଦ ଦେଇଥାଏ । ଏହି ବାସ୍ତବତା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରୁ ସ୍ପଷ୍ଟ ହେଉଛି ।
ଏହାବ୍ୟତୀତ ଲୋକକଥାରେ ଅନେକ ପୌରାଣିକ ମତ ରହିଛି । ଏହି ଯାତ୍ରା କାହିଁ କେତେ ଶହବର୍ଷ ତଳୁ ଆରମ୍ଭ ହୋଇଛି ତାହାର ଦଲିଲ୍ କାହା ପାଖରେ ନାହିଁ । ଏହି ଯାତ୍ରାକୁ ଉଭୟ ସେବାୟତ ଓ ଭକ୍ତମାନେ ବେଶ ଆଗ୍ରହ ଓ ଉତ୍ସାହର ସହ ପାଳନ କରିଥାନ୍ତି । ଏବେ ଯାତ୍ରା ପ୍ରତି ଆଉ ଆଗ୍ରହ ନ ଥିବା ଦେଖାଦେଉଛି । କେବଳ ବିଧିପାଳନ ନାଁରେ ସୀମିତ ରହିଛି । ଅନେକ ଐତିହ୍ୟ ପରମ୍ପରା ବନ୍ଦ ହୋଇଗଲାଣି । ଶ୍ରୀମନ୍ଦିର ପ୍ରଶାସନ ପରମ୍ପରା ସୁରକ୍ଷା କଥା କହୁଥିବାବେଳେ ପୂର୍ବରୁ ପ୍ରଚଳିତ ପରମ୍ପରାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ କରିବାରେ ଫେଲ୍ ମାରିଛି । ଚାପ ସମୟରେ ଠାକୁରଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଦେଖାଦେଇଥାଏ ।
ଏପରିକି ଦୀର୍ଘ ଗତ ୫୦ବର୍ଷ ଇତିହାସ ଦେଖାଗଲେ ଜଣାପଡୁଛି ଯେ, ପୂର୍ବରୁ ଚାପରେ ମାହାରୀ ନୃତ୍ୟ ହେଉଥିଲା । ମାହାରୀ ବନ୍ଦ ହେବାପରେ ଗୋଟିପୁଅ ନୃତ୍ୟ ହେଲା । ଶ୍ରୀମନ୍ଦିରରେ ଏହି ନୃତ୍ୟ ହେଉଥିବାବେଳେ ଚାପରେ ମଧ୍ୟ ସମାନ ପରମ୍ପରା ପାଳିତ ହେଉଥିଲା । ଦୀର୍ଘ ବର୍ଷ ଧରି ଏହି ପରମ୍ପରା ବନ୍ଦ ହୋଇଗଲାଣି । କେବଳ ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କୁ ପଟୁଆରରେ ଆଣୁଥିଲେ ମଧ୍ୟ ସେଥିରେ ସରସ ନାହିଁ । କେବଳ ବିଧି ହିଁ ପାଳିବାରେ ବ୍ୟସ୍ତ ରହୁଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ଥିବା ଚନ୍ଦନ ଯାତ୍ରାର ଅନେକ ବହୁ ପୁରାତନ ପରମ୍ପରା ବନ୍ଦ ହେଉଥିବା ବେଳେ ଏବେ ପଟୁଆର ଶୋଭାଯାତ୍ରାରେ ପାଳିତ ହେଲା ଚନ୍ଦନ ଯାତ୍ରା । ପୁରାତନ ପରମ୍ପରାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ କରିବାକୁ ପ୍ରଶାସନ ନିକଟରେ ସାଧାରଣ ଭକ୍ତ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *