ଦୁର୍ଦ୍ଦାନ୍ତ କାଳିଆ ଓ କହ୍ନେଇ ଗିରଫ

ଦେଶୀ ବନ୍ଧୁକ ଓ ଗୁଳି ଜବତ
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ଏସ୍ପି ଡା. ଶ୍ରବଣ ବିବେକ ଏମ୍ଙ୍କ ନିଦେ୍ର୍ଦଶକ୍ରମେ ମଙ୍ଗଳବାର ସନ୍ଧ୍ୟାରେ ଗୋପାଳପୁର ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ବନ୍ଧୁକ ଧରି ନିଜ ବିପକ୍ଷ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଯାଉଥିବା ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୋପାଳପୁର ପୁଲିସ୍ ଗିରଫ କରିଛି । ସେମାନଙ୍କ ନିକଟରୁ ୭.୬ଏମ୍ମର ବନ୍ଧୁକ ସମେତ ୨ଟି ଦେଶୀ ବନ୍ଧୁକ, ୬ଟି ଗୁଳି ଓ ଗୋଟିଏ ବାଇକ୍ ଜବତ କରାଯାଇଛି । ଅଭିଯୁକ୍ତମାନେ ଏହି ବନ୍ଧୁକ କେଉଁଠୁ ଆଣିଛନ୍ତି ଓ ସେମାନେ ଚୋରା ଚାଲାଣରେ ସମ୍ପୃକ୍ତ କି ନାହିଁ ତାହାର ତଦନ୍ତ କରାଯାଉଛି ବୋଲି ଏସ୍ପି ଶ୍ରବଣ ବିବେକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଆମ୍ବପୁଆ ଖଣ୍ଡିଆ ସାହିର କାଳିଆ ରେଡ୍ଡି ଓରଫ୍ ଗଣେଶ(୩୪) ଓ କହ୍ନେଇ ସେଠୀ(୩୧) ।
ମଙ୍ଗଳବାର ସନ୍ଧ୍ୟାରେ ଉପରୋକ୍ତ ୨ ଅଭିଯୁକ୍ତ ବନ୍ଧୁକ ସହ ଆମ୍ବପୁଆ ନିକଟସ୍ଥ ଇନକମ୍ ଟ୍ୟାକ୍ସ ଛକ ଠାରେ ଲୁଚିଥିବା ଖବର ପାଇ ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀ ଓ ତାଙ୍କ ଟିମ୍ ଉଭୟଙ୍କୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ସେମାନେ ପୁଲିସ୍ ଉପରକୁ ଗୁଳି ଚଳାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଗୁଳି ଫୁଟି ନ ଥିଲା । ଫଳରେ ପୁଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଉଭୟଙ୍କୁ କାବୁ କରି ପଚରା ଉଚୁରା ପରେ ସେମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ପୁଲିସ୍ ନିକଟରେ ପ୍ରକାଶ କରିଥିଲେ । ଏନେଇ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ କାଳିଆ ନାମରେ ଡକାୟତି, ହତ୍ୟା ଧମକ, ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଭଳି ୯ଟି ମାମଲା ରହିଥିବା ବେଳେ କହ୍ନେଇ ନାମରେ ପଶ୍ଚିମବଙ୍ଗ ରାଜ୍ୟ ହୁଗୁଳିରେ ଏକ ହତ୍ୟା ମାମଲା ରହିଥିବା ପୁଲିସ୍ କହିଛି । ତେବେ କାହାକୁ ହତ୍ୟା କରିବା ପାଇଁ ଏମାନେ ବନ୍ଧୁକ ଆଣିଥିଲେ ଏବଂ କେବେ ଠାରୁ ଏମାନଙ୍କ ନିକଟରେ ବନ୍ଧୁକ ଥିଲା, କେଉଁମାନେ ଏମାନଙ୍କୁ ସହଯୋଗ କରୁଛନ୍ତି ସେ ନେଇ ପୁଲିସ୍ ଖୋଳତାଡ଼ କରୁଛି । ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ର, ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀ, ଏସ୍ଆଇ ସୋଫିଆ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *