ଲକ୍ଷ୍ମଣ ହୋଇପାରନ୍ତି କୋଚ୍
ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ଓ ଆୟରଲାଣ୍ଡ ଗସ୍ତ
ମୁମ୍ବାଇ, ୧୮ା୫ (ଏଜେନ୍ସି): ମିଷ୍ଟର ଭେରୀ ଭେରୀ ସ୍ପେଶାଲ୍ ନାମରେ ପରିଚିତ ଭିଭିଏସ୍ ଲକ୍ଷ୍ମଣଙ୍କୁ ସାମୟିକ ଭାବେ ଭାରତୀୟ କ୍ରିକେଟ୍ ଟିମ୍ର କୋଚ୍ ଦାୟିତ୍ୱ ଦିଆଯାଇପାରେ । ବିସିସିଆଇ ଆସନ୍ତା ମାସରେ ଦୁଇଟି ଗସ୍ତ ପାଇଁ ଦୁଇ ଭିନ୍ନ ଭିନ୍ନ କୋଚ୍ ନିଯୁକ୍ତ କରିବ ବୋଲି ଜଣାପଡ଼ିଛି । ଟିମ୍ ଇଣ୍ଡିଆ ଆସନ୍ତା ମାସରେ ଗୋଟିଏ ଟେଷ୍ଟ, ତିନିଟି ଟି-୨୦ ଓ ତିନିଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ର ଶୃଙ୍ଖଳା ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ ଏବଂ ଏହି ସମୟରେ ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଖେଳିବା ପାଇଁ ଭାରତ ଆସିବ । ଏହାଛଡ଼ା ଜୁନ୍ରେ ଇଂଲଣ୍ଡରେ ଟେଷ୍ଟ ଟିମ୍ର ପ୍ରସ୍ତୁତି ସମୟରେ ଆୟରଲାଣ୍ଡ ଗସ୍ତରେ ମଧ୍ୟ ଦୁଇ ମ୍ୟାଚ୍ର ଟି-୨୦ ଶୃଙ୍ଖଳା ଖେଳାଯିବ । ଏପରିସ୍ଥଳେ ଦ୍ରାବିଡ଼ ଇଂଲଣ୍ଡ ବିପକ୍ଷ ସମସ୍ତ ଶୃଙ୍ଖଳା ପାଇଁ ଟିମ୍ର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ ଯେତେବେଳେକି ଜାତୀୟ କ୍ରିକେଟ୍ ଏକାଡେମୀ ମୁଖ୍ୟ ଲକ୍ଷ୍ମଣ ଦକ୍ଷିଣ ଆଫ୍ରିକା ଓ ଆୟରଲାଣ୍ଡ ବିପକ୍ଷରେ ଯୁବ ବ୍ରିଗେଡ୍ର କୋଚ୍ ହେବେ ।
ଟିମ୍ ଇଣ୍ଡିଆ ଆସନ୍ତା ଦୁଇ ମାସ ମଧ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳା ଖେଳିବ । ଗୋଟିଏ ଇଂଲଣ୍ଡରେ ଟେଷ୍ଟ ଓ ସୀମିତ ଓଭର୍ ଶୃଙ୍ଖଳା ଏବଂ ଅନ୍ୟଟି ନିଜ ଦେଶରେ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା । ଉଭୟ ଶୃଙ୍ଖଳା ପାଇଁ ଦୁଇଟି ଭିନ୍ନ ଭିନ୍ନ ଟିମ୍ ଘୋଷଣା କରାଯିବ । ଏପରିସ୍ଥଳେ ଦୁଇ ଟିମ୍ ସହିତ ଭିନ୍ନ ଭିନ୍ନ କୋଚିଂ ଷ୍ଟାଫ୍ ରହିବେ ।
ସୂତ୍ରାନୁଯାୟୀ, ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ଯେ ବର୍ମିଂହାମ୍ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍ ଜୁନ୍ ୨୪ରୁ ୨୭ ଯାଏଁ ଲିସେଷ୍ଟରସାୟାର ବିପକ୍ଷରେ ୱାର୍ମଅପ୍ ମ୍ୟାଚ୍ ବି ଖେଳିବ । ରାହୁଲ ଦ୍ରାବିଡ଼ ଟିମ୍ ସହିତ ଜୁନ୍ ୧୫-୧୬ରେ ଯାତ୍ରା କରିବେ । ଏପରିସ୍ଥଳେ ଲକ୍ଷ୍ମଣଙ୍କୁ ଦକ୍ଷିଣ ଆଫ୍ରିକା ଓ ଆୟରଲାଣ୍ଡ ବିପକ୍ଷରେ ଟିମ୍ର କୋଚ୍ ହେବାକୁ କୁହାଯିବ ।
ଚୟନକାରୀ ସପ୍ତାହେ ମଧ୍ୟରେ ଟି-୨୦ ଟିମ୍ ଘୋଷଣା କରିପାରନ୍ତି । ଟେଷ୍ଟ ଟିମ୍ରେ ନିୟମିତ ଖେଳାଳିମାନଙ୍କର ଚୟନ ହେବ ଯେତେବେଳେକି ଟି-୨୦ ଟିମ୍ରେ ଆଇପିଏଲ୍ରେ ଭଲ ପ୍ରଦର୍ଶନ କରୁଥିବା ଯୁବ ଖେଳାଳିମାନଙ୍କୁ ସୁଯୋଗ ମିଳିପାରେ । ବିସିସିଆଇ ପୂର୍ବରୁହିଁ ସଙ୍କେତ ଦେଇସାରିଛି ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଶିଖର ଧାବନ ଅଥବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦାୟିତ୍ୱ ଦିଆଯାଇପାରେ । ସୂତ୍ରରୁ କୁହାଯାଇଛି ଯେ ବରିଷ୍ଠ ଖେଳାଳିମାନଙ୍କୁ ଅତି କମ୍ରେ ସାଢ଼େ ତିନି ସପ୍ତାହ ବିଶ୍ରାମ ମିଳିପାରେ । ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ, ରିଷଭ ପନ୍ତ ଓ ଯଶପ୍ରୀତ ବୁମ୍ରା ଆଇପିଏଲ୍ ପରେ ଇଂଲଣ୍ଡ ଗସ୍ତରେ ଯିବେ । ବୋର୍ଡ ଚାହୁଁଛି ଯେ ସମସ୍ତ ଖେଳାଳି ଇଂଲଣ୍ଡ ଶୃଙ୍ଖଳାରେ ସତେଜ ରୁହନ୍ତୁ ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ରେ ଟି-୨୦ ଶୃଙ୍ଖଳା ଜୁନ୍ ୯ରୁ ଆରମ୍ଭ ହେବ । ଏହି ମ୍ୟାଚ୍ଗୁଡ଼ିକ ଦିଲ୍ଲୀ, କଟକ, ଭାଇଜାଗ୍, ରାଜକୋଟ୍ ଓ ବେଙ୍ଗାଲୁରୁଠାରେ ଖେଳାଯିବ । ଶୃଙ୍ଖଳା ଜୁନ୍ ୧୯ ଯାଏଁ ଚାଲିବ । ଏହାପରେ ଯୁବ ବ୍ରିଗେଡ୍ ଆୟରଲାଣ୍ଡ ସହ ୨୬ ଓ ୨୮ରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବ । ୱାର୍ମଅପ୍ ମ୍ୟାଚ୍ ପରେ ଜୁଲାଇ ୧ରୁ ଏକମାତ୍ର ଟେଷ୍ଟ ମ୍ୟାଚ୍ର ଶୃଙ୍ଖଳାରୁ ଇଂଲଣ୍ଡ ଅଭିଯାନ ଆରମ୍ଭ ହେବ ।