ଏଲ୍ଆଇସି ଲିଷ୍ଟିଂ ଫ୍ଲପ୍

ପ୍ରଥମ ଦିନରେ ନିବେଶକ ହରାଇଲେ ୪୨୫୦୦ କୋଟି
ମୁମ୍ବାଇ, ୧୭ା୫: ମାସ ମାସ ଅପେକ୍ଷା ପରେ ମଙ୍ଗଳବାର ଦେଶର ବୃହତ୍ତମ ସରକାରୀ ବୀମା କମ୍ପାନୀ ଜୀବନ ବୀମା ନିଗମ (ଏଲଆଇସି)ର ସେୟାର ଖୋଲା ବଜାରରେ ଲିଷ୍ଟିଂ ହୋଇଛି । ପୂର୍ବରୁ ଯେମିତି ଅନୁମାନ କରାଯାଉଥିଲା, କମ୍ପାନୀର ସେୟାର ଡିସ୍କାଉଣ୍ଟରେ ଲିଷ୍ଟିଂ ହେଲା ଏବଂ ଲିଷ୍ଟିଂର ପ୍ରଥମ ଦିନରେହିଁ ନିବେଶକମାନେ ନିରାଶ ହେଲେ । ସେମାନେ ହରାଇଲେ ୪୨ ହଜାର ୫ଠଠ କୋଟିରୁ ଅଧିକ ଟଙ୍କା ।
ଏହା ସହିତ ମଙ୍ଗଳବାର ସେୟାର ମାର୍କେଟ୍ ବନ୍ଦ ହେବା ବେଳକୁ ଏଲ୍ଆଇସିର ସେୟାର ମୂଲ୍ୟ ୭.୭୭ ପ୍ରତିଶତ ବା ୭୩.୭୫ ପଇସା ହ୍ରାସ ପାଇ ୮୭୫.୨୫ ପଇସାରେ ବନ୍ଦ ହୋଇଥିଲା । ଏଲ୍ଆଇସିର ବଜାର ମୂଲ୍ୟ ୬ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିଲା, କିନ୍ତୁ ସେୟାର ମୂଲ୍ୟ ହ୍ରାସ ଯୋଗୁ ଏହାର ବଜାର ପୁଞ୍ଜୀକରଣ ୫.୬ ଲକ୍ଷ କୋଟିକୁ କମି ଯାଇଛି । ତେବେ ଦୁର୍ବଳ ଲିଷ୍ଟିଂର ଦୁଷ୍ପରିଣାମ ସତ୍ତ୍ୱେ ମାର୍କେଟ୍ କ୍ୟାପ୍ ହିସାବରେ ଏଲଆଇସି ଦେଶର ଶୀର୍ଷ ୫ କମ୍ପାନୀରେ ସାମିଲ୍ ହୋଇଛି । ଅନ୍ୟ ୪ ଶୀର୍ଷ କମ୍ପାନୀ ହେଲେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଟାଟା କନ୍ସନ୍ଲଟାନ୍ସି ସର୍ଭିସେସ୍ (ଟିସିଏସ୍), ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଇନ୍ଫୋସିସ୍ ।
ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସି)ରେ ଏଲଆଇସିର ଲିଷ୍ଟିଂ ହେଉ ହେବାର ଅଳ୍ପ କିଛି ସମୟ ମଧ୍ୟରେ ନିବେଶକମାନେ ହରାଇଥିଲେ ୪୨ ହଜାର ୫ଠଠ କୋଟି ଟଙ୍କା । କମ୍ପାନୀ ସେୟାର ବିଏସଇରେ ୮୧ଟଙ୍କା ୮୦ ପଇସା ଡିସକାଉଣ୍ଟ୍ ଅର୍ଥାତ୍ ୮.୬୨% ହ୍ରାସ ସହ ସେୟାର ପିଛା ୮୬୭୨୦ ପଇସା ମୂଲ୍ୟରେ ଲିଷ୍ଟ୍ ହୋଇଥିଲା । ସେହିପରି ଏନ୍ଏସ୍ଇରେ ଏଲ୍ଆଇସିର ସେୟାର ୭୭ ଟଙ୍କା ଡିସ୍କାଉଣ୍ଟ ଅର୍ଥାତ୍ ୮.୧୧% ହ୍ରାସ ସହ ୮୭୨ ଟଙ୍କା ହିସାବରେ ଲିଷ୍ଟ ହେଲା ।
ସେୟାର ଲିଷ୍ଟିଂ ଫ୍ଲପ୍ ହେବା ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ଏମ ଆର କୁମାର କହିଛନ୍ତି ଏଣିକି ଏଲଆଇସି ତା’ର ପଲିସିଧାରୀମାନଙ୍କ ରିଟର୍ଣ୍ଣ ବଢ଼ାଇବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବ । ନିବେଶ ଓ ସାର୍ବଜନିକ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ୍)ର ସଚିବ ତୁହିନକାନ୍ତ ପାଣ୍ଡେୟଙ୍କ ମତରେ ସେୟାର ବଜାରରେ ଜାରି ରହିଥିବା ଅନିଶ୍ଚିତତା ଯୋଗୁ ଏଲଆଇସିର ସେୟାର ଲିଷ୍ଟିଂ ଦୁର୍ବଳ ହୋଇଗଲା, କିନ୍ତୁ ଆଗାମୀ ଦିନରେ ଏହାର ସେୟାର ମୂଲ୍ୟ ବଢ଼ିବାର ପୁନଃ ବିଶ୍ୱାସ ରହିଛି ।
ଏଲଆଇସି ଆଇପିଓର ବିଡିଂ ମେ’ ୪ରୁ ୯ ଭିତରେ ହୋଇଥିଲା । ଏହି ୬ ଦିନ ଭିତରେ ଏଲଆଇସି ଆଇପିଓର ୨.୯୪ ଦିନ ଗୁଣ ସବ୍ସ୍କ୍ରାଇବ୍ଡ୍ ହୋଇଥିଲା । ଆଇପିଓ ମାଧ୍ୟମରେ କେନ୍ଦ୍ର ସରକାର ଏଲଆଇସିର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରି ପ୍ରାୟ ୨୦ ହଜାର ୫ଠଠ କୋଟି ଟଙ୍କା ସଂଗ୍ରହ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *