ନିଖତ, ମନୀଷା, ପରବୀନଙ୍କ ପଦକ ପକ୍କା

ବିଶ୍ୱ ମହିଳା ବକ୍ସିଂ
ନୂଆଦିଲ୍ଲୀ, ୧୬ା୫ (ଏଜେନ୍ସି): ଏସୀୟ ଚାମ୍ପିଅନ୍ସିପ୍ସ କାଂସ୍ୟ ବିଜୟିନୀ ନିଖତ ଜରୀନ (୫୨ କିଲୋଗ୍ରାମ) ଇସ୍ତାନବୁଲ୍ଠାରେ ଚାଲିଥିବା ଆଇବିଏ ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନ୍ସିପ୍ସରେ ସୋମବାର ସେମିଫାଇନାଲ୍ରେ ପ୍ରବେଶ କରି ଭାରତ ପାଇଁ ପ୍ରଥମ ପଦକ ସୁନିଶ୍ଚିତ କରିଛନ୍ତି । ଏହାପରେ ମନୀଷା (୫୭କିଗ୍ରା) ଓ ପରବୀନ (୬୩କିଗ୍ରା) ମଧ୍ୟ ସେମିଫାଇନାଲ୍ ବିଜୟ ସହ ଆଉ ଦୁଇଟି ପକ୍କା କରିଛନ୍ତି ।
ଷ୍ଟ୍ରାଣ୍ଡଜା ସ୍ମାରକୀ ଟୁର୍ଣ୍ଣାମେଣ୍ଟଠାରୁ ଉଲ୍ଲେଖନୀୟ ଯାତ୍ରା ଅବ୍ୟାହତ ରଖିଥିବା ଜରୀନ୍ ବିଶ୍ୱ ଚାମ୍ପିଅନ୍ସିପ୍ସର କ୍ୱାର୍ଟର୍-ଫାଇନାଲ ବାଉଟ୍ରେ ଇଂଲଣ୍ଡର ଚାର୍ଲି-ସିଆନ୍ ଡାଭିସନ୍ଙ୍କୁ ୫-୦ରେ ପରାସ୍ତ କରିଥିଲେ । ଚଳିତ ବର୍ଷ ଆରମ୍ଭରେ ସେ ଷ୍ଟ୍ରାଣ୍ଡଜା ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣିମ ସଫଳତା ପାଇଥିଲେ ।
୨୫ବର୍ଷୀୟ ତେଲେଙ୍ଗାନା ବକ୍ସର ଜରୀନ୍ ଓ ଡାଭିସନ୍ ପ୍ରଥମ ରାଉଣ୍ଡରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ତେବେ ଜରୀନ୍ଙ୍କ ବିପଜ୍ଜନକ ବଡି ସଟ୍ ଓ ତୀକ୍ଷ୍ଣ ପଞ୍ଚ୍ ଯୋଗୁଁ ଦ୍ୱିତୀୟ ରାଉଣ୍ଡ ଏକତରଫା ହୋଇଯାଇଥିଲା । ଦୁଇ ରାଉଣ୍ଡ ବାକି ହାତେଇବା ପରେ ଜରୀନ୍ ରକ୍ଷଣାତ୍ମକ ପ୍ରଦର୍ଶନ କରିଥିଲେ । ପୂର୍ବତନ ବିଶ୍ୱ ବିଜୟିନୀ ପରବର୍ତ୍ତୀ ବାଉଟ୍ରେ ବ୍ରାଜିଲ୍ର କାରୋଲିନ୍ ଡି’ ଅଲମେଇଦାଙ୍କ ଆହ୍ୱାନର ସମ୍ମୁଖୀନ ହେବେ, ଯିଏକି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତାଙ୍କୁ ହରାଇଥିଲେ ।
ଅନ୍ୟ କ୍ୱାର୍ଟର-ଫାଇନାଲ୍ରେ ଯୁବ ବକ୍ସର ପରବୀନ ମଧ୍ୟ ୫-୦ ବ୍ୟବଧାନରେ ତାଜିକିସ୍ତାନର ଶୋଇରା ଜୁଲକେନାରୋଭାଙ୍କୁ ହରାଇଥିଲେ । ଅନ୍ୟପଟେ, ୨୪ବର୍ଷୀୟା ମନୀଷା ମଙ୍ଗୋଲିଆର ନାମୁନ ମନଖୋରଙ୍କ ବିପକ୍ଷରେ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲେ । ସେ ୪-୧ ବିଭାଜିତ ନିଷ୍ପତ୍ତିରେ ଜିତିଥିଲେ । ସେ ସେମିଫାଇନାଲ୍ରେ ଇଟାଲୀର ଇରମା ତେସ୍ତାଙ୍କୁ ଭେଟିବେ ।
କିନ୍ତୁ ଦୁଇ ଥର ଯୁବ ବିଶ୍ୱ ବିଜୟିନୀ ନୀତୁ (୪୮କିଗ୍ରା) କ୍ୱାର୍ଟର୍-ଫାଇନାଲ୍ରେ ଏସୀୟ ବିଜୟିନୀ କାଜାଖସ୍ତାନର ଅଲୁଅ ବାଲକିବେକୋଭାଙ୍କଠାରୁ ୨-୩ ବିଭାଜିତ ନିଷ୍ପତ୍ତିରେ ହାରି ଯାଇଥିଲେ । ସେହିପରି ଦୁଇ ଥର ଏସୀୟ ବିଜୟିନୀ ପୂଜା ରାଣୀ (୮୧କିଗ୍ରା) ୨-୩ ବିଭାଜିତ ନିଷ୍ପତ୍ତିରେ ଅଷ୍ଟ୍ରେଲିଆର ଜେସିକା ବାଗଲେଙ୍କଠାରୁ ପରାଜିତ ହୋଇ ଅଭିଯାନ ଶେଷ କରିଥିଲେ । ଅନାମିକା (୫୦କିଗ୍ରା), ଯଶମିନ୍ (୬୦କିଗ୍ରା) ଓ ନଦିନୀ (+୮୧କିଗ୍ରା) ନିଜ ନିଜ ବର୍ଗରେ କ୍ୱାର୍ଟର୍-ଫାଇନାଲ୍ ବାଉଟ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *