ଖରାରେ ଭକ୍ତ ଆଉଟୁପାଉଟୁ
ଭକ୍ତଙ୍କ ପାଇଁ କେବେ ଖୋଲିବ ୪ ଦ୍ୱାର, ଓଦା ଗାମୁଛା ଓ ଛତା ସାହାରା
ପୁରୀ (ବୁ୍ୟରୋ): ମହାମାରୀ କରୋନା ଲାଗି ଦୀର୍ଘ ୨ବର୍ଷ ଧରି କାଳିଆକୁ ଭଲ ଭାବେ ଦର୍ଶନ କରିପାରିନାହାନ୍ତି ଶ୍ରଦ୍ଧାଳୁ । ମାତ୍ର କଟକଣା କୋହଳ ହେବା ପରେ ଏବେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । କାଳିଆ ସାଆନ୍ତଙ୍କୁ ଟିକେ ଦର୍ଶନ ପାଇଁ କେଉଁ ଉପାନ୍ତ ଅଞ୍ଚଳରୁ ଧାଇଁ ଆସୁଛି ଭକ୍ତ । ରତ୍ନସିଂହାସନରେ ବସିଥିବା ବିଶ୍ୱନିୟନ୍ତାର ଆଖି ସହ ଆଖି ମିଶାଇ ଦୁଃଖକୁ ଲାଘବ କରିବା ପାଇଁ । ଏପରିକି ଗ୍ରୀଷ୍ମଋତୁର ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗୁଳିକୁ ଖାତିର୍ ନ କରି ଆଗେଇ ଆସିଛି । ହେଲେ ବଡ଼ଦାଣ୍ଡରେ ପହଞ୍ଚିଲା ପରେ ସେ ବ୍ୟାକୁଳ ହୋଇପଡ଼େ କେମିତି ଟିକେ ଶୀଘ୍ର କାଳିଆକୁ ଦର୍ଶନ କରିପାରନ୍ତି । କିନ୍ତୁ ତାହାର ଆଶାପୂରଣ ହୋଇପାରେ ନାହିଁ ।
ମହାପ୍ରଭୁଙ୍କ ଦର୍ଶନ ଲାଗି ଭକ୍ତଟିକୁ ଅପେକ୍ଷା କରିବାକୁ ପଡ଼େ ବଡଦାଣ୍ଡରେ । କାଳିଆକୁ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଖୋଲା ଯାଇଛି । ହେଲେ ଏବେ ମହାପ୍ରଭୁଙ୍କ ଦର୍ଶନ ଲାଗି ପ୍ରବଳ ଭକ୍ତଙ୍କ ସମାଗମ ହେଉଛି ବଡ଼ଦାଣ୍ଡରେ । ଫଳରେ ସିଂହଦ୍ୱାରଠାରୁ ଟାଉନ୍ ଥାନା ପର୍ଯ୍ୟନ୍ତ ଲମ୍ବୁଛି ଭକ୍ତଙ୍କ ଧାଡ଼ି । ଏପରିକି ଧାଡ଼ିରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି । ଏହି ସମୟରେ ଟାଣ ଖରାରେ ବଡ଼ଦାଣ୍ଡରେ ଆଉଟୁପାଉଟୁ ହେଉଛନ୍ତି ଶ୍ରଦ୍ଧାଳୁ । ଟାଣ ଖରାରୁ ରକ୍ଷା ପାଇବା ଲାଗି କିଏ ପାଦରେ ଓଦା ଗାମୁଛା ଓ ଛତାର ସାହାରା ନେଉଥିବା ଦେଖିବାକୁ ମିଳିଛି । କିନ୍ତୁ ଏସବୁର ଦୃଶ୍ୟ ଉପରେ କାହାର ନଜର ନାହିଁ । କିନ୍ତୁ ମହାପ୍ରଭୁଙ୍କ ଦର୍ଶନ ଲାଗି ଭିଭିଆଇପି ବା ଭିଆଇପି ଆସିଲେ ସେମାନଙ୍କୁ ଧାଡ଼ିରେ ଯିବାକୁ ପଡୁନାହିଁ । ସେମାନଙ୍କୁ ଗଳିଆ ବାଟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଯାଉଛି । ଫଳରେ ଏହାକୁ ଦେଖି ସାଧାରଣ ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏନେଇ ପର୍ଶୁରାମ ସାହୁ ନାମକ ଜଣେ ଶ୍ରଦ୍ଧାଳୁ କୁହନ୍ତି, ସରକାର ଓ ପ୍ରଶାସନ ସବୁବେଳେ ଗଣମାଧ୍ୟମରେ ବୟାନ ଦେଉଛନ୍ତି ଯେ; ସାଧାରଣ ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ସୁବିଧା ଓ ବ୍ୟବସ୍ଥା କରାଯାଇଛି । ବାସ୍ତବରେ ତାହା ଓଲଟା ଚିତ୍ର ଦେଖିବାକୁ ମିଳିଛି । କେବଳ ଏଠାରେ ବଡ଼ବଡ଼ିଆଙ୍କ ଲାଗି ପ୍ରଶାସନ ବ୍ୟବସ୍ଥା କରୁଛି । କିନ୍ତୁ ସାଧାରଣ ଶ୍ରଦ୍ଧାଳୁ ଟିକେ ଦର୍ଶନ ଲାଗି ଟାଣ ଖରାରେ ସିଝୁଛି । ଏପରିକି ଟାଣ ଖରାରେ ପାଦ ପୋଡ଼ି ଯାଉଥିବା ବେଳେ ପିଇବା ପାଣି ଟିକେ ମଧ୍ୟ ମିଳୁନାହିଁ । ଅନ୍ୟପକ୍ଷରେ ପୂର୍ବରୁ ଶ୍ରଦ୍ଧାଳୁଙ୍କ ଲାଗି ଶ୍ରୀମନ୍ଦିରର ୪ ଦ୍ୱାର ଖୋଲା ରହୁଥିଲା । ସୁବିଧାରେ ଶ୍ରଦ୍ଧାଳୁମାନେ ଯେଉଁ ଦ୍ୱାରରେ ପ୍ରବେଶ କରୁଥିଲେ ପୁଣି ଯେଉଁ ଦ୍ୱାରଦେଇ ବାହାରକୁ ଆସୁଥିଲେ । ଫଳରେ ଏତେ ଭିଡ଼ ହେଉ ନ ଥିଲା । ହେଲେ ପ୍ରଶାସନର ଅଜବ ନୀତି ଶ୍ରଦ୍ଧାଳୁଙ୍କ ଲାଗି ୨ଟି ଦ୍ୱାର ଖୋଲି ଦେଇ ଚୁପ୍ ହୋଇ ବସି ରହିଛି । ଯାହାର ଦୁର୍ଦ୍ଦଶା ଭୋଗୁଛନ୍ତି ଶ୍ରଦ୍ଧାଳୁ । ତେବେ ଆଗାମୀ ଦିନରେ ତୁରନ୍ତ ଶ୍ରଦ୍ଧାଳୁଙ୍କ ଲାଗି ୪ ଦ୍ୱାର ଖୋଲାଯାଉ ବୋଲି ଦାବି କରିଛନ୍ତି ।