୨ଠ ଅସୁସ୍ଥ, ୨ ସଙ୍କଟାପନ୍ନ
ରୋଗୀଙ୍କୁ ଭୁଲ୍ ସାଲାଇନ୍
ଜଗତସିଂହପୁର (ଆପ୍ର): ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇରିଆ ରୋଗୀଙ୍କୁ ଭୁଲ ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଛି ।
ସୋମବାର ଅପରାହ୍ଣରେ ଡାଇରିଆ ୱାର୍ଡରେ ଚିକିତ୍ସାଧୀନ ରୋଗୀମାନଙ୍କୁ ରିଙ୍ଗର ଲାକ୍ଟେଟ୍ ସଲ୍ୟୁସନ(ଆର.ଏଲ୍ ସାଇଲନ) ଦିଆ ଯାଇଥିଲା । କିଛି ସମୟ ମଧ୍ୟରେ ହଠାତ୍ ୨୦ରୁ ଉର୍ଦ୍ଧ ରୋଗୀ ଅଧିକ ଅସୁସ୍ଥ ହେବା ସହିତ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିଥିଲା । ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଜୟ କୁମାର ସ୍ୱାଇଁ ସମ୍ପୃକ୍ତ ୱାର୍ଡରେ ପହଞ୍ଚି ରୋଗୀଙ୍କଠାରୁ ଆର୍ଏଲ୍ଡି ସାଲାଇନ ଖୋଲି ଦେଇଥିଲେ । ଆରଏଲ୍ର ସଠିକ୍ ଯାଞ୍ଚ ନିମନ୍ତେ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ରୋଗୀମାନଙ୍କୁ ଆରଏଲ୍ଡି ଦିଆଯିବାରୁ ସେମାନେ ଅଧିକ ଅସୁସ୍ଥ ହେବା ସହିତ ବାତ ମାରିବା ଭଳି ଅସ୍ତବ୍ୟସ୍ତ ହୋଇଥିଲେ । ସମସ୍ତେ ଅସ୍ତବ୍ୟସ୍ତ ହେବାରୁ ରୋଗୀ ଓ ଆଟେଣ୍ଡାଣ୍ଟ ମାନେ ଭୟଭୀତ ହୋଇ ପଡିଥିଲେ । ତେିର୍ତୋଲ ବେଗୁନିଆ ଗ୍ରାମର ବାପୁଲ ଦାସ (୪), ନିଆଳି ଶାସନପଦା ଗ୍ରାମର ସରୋଜିନୀ ବେହେରା, ପ୍ରତିଜ୍ଞା ବେହେରା, କରମଙ୍ଗା ଗ୍ରାମର ଲିପସା ଜେନା (୧ବର୍ଷ), ସାଳିଜଙ୍ଗା ଗ୍ରାମର କୀର୍ତ୍ତିବାଳା ରଉତରାୟ (୨୮) ପ୍ରମୁଖ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ସନ୍ଧ୍ୟାସୁଦ୍ଧା କେତେକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨ଜଣଙ୍କୁ କଟକ ନିଆଯାଇଛି । କିନ୍ତୁ ବିନା ଡିସଚାର୍ଜ ରିପୋର୍ଟରେ ତରବରିଆ ଭାବେ ଘରକୁ ବିଦା କରାଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।