ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମସ୍ୟା ସମାଧାନ ମନୋଭାବ ବଢ଼ାଅ

କଲେଜ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର (ବୁ୍ୟରୋ): ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମସ୍ୟା ସମାଧାନର ମନୋଭାବକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେଜ ଶିକ୍ଷକଙ୍କୁ ଆହ୍ୱାନ କରିଛନ୍ତି । ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ସାମିଲ୍ ହୋଇ ମୁଖ୍ୟମନ୍ତ୍ରୀ ଏହା କହିଥିଲେ ।
ସେ କହିଥିଲେ, ସମସ୍ୟା ସମାଧାନ ଦ୍ୱାରା ସମାଜ ଆଗକୁ ବଢ଼େ । ତେଣୁକରି ଯୁବପିଢ଼ିଙ୍କ ମଧ୍ୟରେ ଏହି ମନୋଭାବର ବିକଶିତ କରିବା ଆବଶ୍ୟକ । ଚୟନ ହୋଇଥିବା ୯ଠ୮ ଅଧ୍ୟାପକଙ୍କ ମଧ୍ୟରୁ ୬୩୯ ଜଣ ମଙ୍ଗଳବାର ଯୋଗ ଦେଇଥିବାବେଳେ ଖୁବ୍ଶୀଘ୍ର ଅନ୍ୟମାନେ ଯୋଗଦେବେ । ନବନିଯୁକ୍ତ ଅଧ୍ୟାପକଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ, ଉଭୟ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଯୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି । ୨ଠ୧୬ରୁ ୩୭୬୮ କଲେଜ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିମଧ୍ୟରୁ ୨୩୨ଠ ଜଣ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତି ପାଇସାରିଛନ୍ତି । ସେହିପରି ବିଭିନ୍ନ ସରକାରୀ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ୯୯୧ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏହାଛଡ଼ା ରାଜ୍ୟର ବିଶ୍ୱବିଦ୍ୟାଳୟର ବିଭିନ୍ନ ଡିସିପ୍ଲିନରେ ୧ଠଠଠ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଖୁବ୍ଶୀଘ୍ର ଏହା ପୂରଣ କରାଯିବ । ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଭଳି କଲେଜରେ ସ୍ମାର୍ଟ କ୍ଲାସ୍ ରୁମ୍ ବିକଶିତ କରାଯିବ । ଏହି ଅବସରରେ ତିନି ଅଂଶଗ୍ରହଣକାରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଦ୍ୱାରା ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା ପାଇଁ ଧନ୍ୟବାଦ ଜଣାଇଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍ କହିଥିଲେ, ସ୍ୱଚ୍ଛତାକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦିଅନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ବ୍ୟାପକ ଭାବେ ଖାଲି ପଦବୀ ପୂରଣ କରାଯାଉଛି । ୫-ଟି ଉପକ୍ରମ ଅନୁସାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଉପରେ ବିଭାଗ ଗୁରୁତ୍ୱ ଦେଇଛି । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଅବସରରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ସଚିବ ଧନ୍ୟବାଦ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *