୮୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା

ଏଡିଆର ରିପୋର୍ଟରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ତଥ୍ୟ
ଭୁବନେଶ୍ୱର,୧୭ା୫(ବୁ୍ୟରୋ): ୮୨ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ୬୫ ସଦସ୍ୟଙ୍କ ବିରୋଧରେ ହତ୍ୟା ଉଦ୍ୟମ, ମହିଳାଙ୍କ ବିରୋଧରେ ଅପରାଧ ଭଳି ସଂଗୀନ ମାମଲା ରହିଛି । ୧୫ ଜିଲ୍ଲା ପରିଷଦ ସଦସ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ ଏବଂ ୧୨ ଜଣଙ୍କ ନାଁରେ ମହିଳାଙ୍କ ବିରୋଧରେ ହିଂସା ନେଇ ମାମଲା ଥିବା ଓଡ଼ିଶା ଇଲେକ୍ସନ୍ ୱାଚ୍ ଆଣ୍ଡ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ରିପୋର୍ଟରେ ପ୍ରକାଶ ପାଇଛି ।
ନିକଟରେ ସମାପ୍ତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜୟୀ ୮୫୧ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୭୨୬ ଜଣଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ରିପୋର୍ଟ ପ୍ରସ୍ତୁତ ହେବା ସମୟରେ ୱେବ୍ସାଇଟ୍ରେ ବାକି ସଦସ୍ୟଙ୍କ ସତ୍ୟପାଠ ଅପ୍ଲୋଡ୍ ହୋଇନଥିବାରୁ ସେଗୁଡ଼ିକର ତଥ୍ୟ ମିଳିପାରିନି । ତେବେ ଏହି ୭୨୬ ଜିଲ୍ଲା ପରିଷଦ ସଦସ୍ୟଙ୍କ ଅପରାଧିକ ପୃଷ୍ଠଭୂମି, ସମ୍ପତ୍ତି, ଶିକ୍ଷା ଆଦିର ବିସ୍ତୃତ ତଥ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି ।
ରିପୋର୍ଟ ଅନୁସାରେ, ବିଜେଡିର ୬୬୧ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରେ ୬୬ (୧ଠ%)ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିପରି ବିଜେପିର ୩୭ ସଦସ୍ୟଙ୍କ ମଧ୍ୟରେ ୬(୧୬%), କଂଗ୍ରେସର ୨୨ ସଦସ୍ୟଙ୍କ ମଧ୍ୟରୁ ୭(୩୨%), ଜେଏମ୍ଏମ୍ର ୩ ଜିଲ୍ଲା ପରିଷଦ ସଦସ୍ୟଙ୍କ ଭିତରୁ ୧ (୩୩%), ସିପିଆଇ (ଏମ୍)ର ଜଣେ, ୨ ସ୍ୱାଧୀନ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ସେମାନେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଉଦ୍ବେଗର ବିଷୟ ହେଲା- ବିଜେଡିର ୫୩ ଜିଲ୍ଲା ପରିଷଦ ସଦସ୍ୟଙ୍କ ବିରୋଧରେ ସଂଗୀନ୍ ଅପରାଧିକ ମାମଲା ରହିଛି । ବିଜେପିର ୪, କଂଗ୍ରେସର ୬, ଜେଏମ୍ଏମ୍ର ୧ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ନାଁରେ ମଧ୍ୟ ରହିଛି ସାଂଘାତିକ ଅପରାଧ ମାମଲା ।
ଏଥିସହ କୋଟିପତି ଜିଲ୍ଲା ପରିଷଦ ସଦସ୍ୟଙ୍କ ତାଲିକା ମଧ୍ୟ ଜାରି କରାଯାଇଛି । ମୋଟ୍ ୭୨୬ ସଦସ୍ୟଙ୍କ ମଧ୍ୟରେ ୯୫ ଜଣ ଅର୍ଥାତ୍ ୧୩% ସଦସ୍ୟ ହେଉଛନ୍ତି କୋଟିପତି । ଦଳୱାରୀ ହିସାବ ଯଦି ଦେଖାଯାଏ ତାହେଲେ ବିଜେଡିର ୯ଠ, ବିଜେପିର ୩, କଂଗ୍ରେସର ୨ ସଦସ୍ୟ ସେମାନଙ୍କର ଏକକୋଟି ଟଙ୍କାରୁ ଊଦ୍ଧ୍ୱର୍ ସମ୍ପତ୍ତି ଥିବା ଘୋଷଣା କରିଛନ୍ତି । ଅଧିକ ସମ୍ପତ୍ତି ଥିବା ଟପ୍-୩ ସଦସ୍ୟ ବିଜେଡିର । ବାଲେଶ୍ୱର ଜିଲ୍ଲା ସୋରୋ ୧ ଜୋନ୍ର ବିଜେଡି ସଦସ୍ୟ ରେବତୀ ନାୟକଙ୍କର ମୋଟ୍ ୧୮ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବାବେଳେ ଭଦ୍ରକ ୨ ଜୋନ୍ର ଗୀତାରାଣୀ ମଲ୍ଲିକଙ୍କ ସମ୍ପତ୍ତିର ପରିମାଣ ହେଲା ୧୭ କୋଟିରୁ ଊଦ୍ଧ୍ୱର୍ । ଏହାସହ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ୨ ଜୋନ୍ର କୁନ୍ତି ପ୍ରଧାନଙ୍କ ସମ୍ପତ୍ତି ୧ଠ କୋଟିରୁ ଅଧିକ ଥିବା ସେମାନେ ଦର୍ଶାଇଛନ୍ତି ।
କମ୍ ସମ୍ପତ୍ତି ଥିବା ଟପ୍ ୩ ଜିଲ୍ଲା ପରିଷଦ ସଦସ୍ୟ ହେଉଛନ୍ତି ଚିଲିକା ୨ ଜୋନ୍ର ରୀନା ବେହେରା (ବିଜେଡି), ରାୟଗଡ଼ା ଜିଲ୍ଲା ଗୁଣୁପୁର ୨ ଜୋନ୍ର କୁନି ନିମାଳ (କଂଗ୍ରେସ) ଏବଂ କଟକ ଟାଙ୍ଗୀ ଚୌଦ୍ୱାର ୧ ଜୋନ୍ର ବିଶ୍ୱଜିତ୍ ପ୍ରଧାନ (ବିଜେଡି) । ରୀନା ତାଙ୍କ ପାଖରେ କୌଣସି ସମ୍ପତ୍ତି ନଥିବା ଦର୍ଶାଇଥିବାବେଳେ କୁନି ୨ ହଜାରରୁ ଅଧିକ ଏବଂ ବିଶ୍ୱଜିତ୍ଙ୍କ ପାଖରେ ୫ ହଜାର ଟଙ୍କାରୁ ଅଧିକ ରହିଛି । ଜିଲ୍ଲା ପରିଷଦ ସଦସ୍ୟଙ୍କ ହାରାହାରି ସମ୍ପତ୍ତି ୫୬.୬ଠ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।
ଅତ୍ୟଧିକ ଋଣ ନେଇଥିବା ତିନିଜଣ ସଦସ୍ୟ ହେଲେ ରେବତୀ ନାୟକ (ବିଜେଡି), ଗୀତାରାଣୀ ମଲ୍ଲିକ (ବିଜେଡି) ଏବଂ ଯାଜପୁର ଜିଲ୍ଲା ଦାନଗଦି ୩ ଜୋନ୍ର ସୁଚିତ୍ରା ବିଶ୍ୱାଳ (ବିଜେଡି) । ରେବତୀ ଓ ଗୀତାରାଣୀଙ୍କ ଋଣଭାର ୬ କୋଟି ଟଙ୍କାରୁ ଅଧିକ ରହିଥିବାବେଳେ ସୁଚିତ୍ରା ୩ କୋଟିରୁ ଅଧିକ ଟଙ୍କା ଋଣ କରିଥିବା ଦର୍ଶାଇଛନ୍ତି ।
ଜିଲ୍ଲା ପରିଷଦ ସଦସ୍ୟଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦିଆଯାଇଛି । ୪୫୧ (୬୨%) ସଦସ୍ୟ ୫ମରୁ ଦ୍ୱାଦଶ ପାସ୍ କରିଛନ୍ତି । ୨୫୬ (୩୫%) ଗ୍ରାଜୁଏଟ୍ ଏବଂ ତଦୁଦ୍ଧ୍ୱର୍, ୬ ଜଣ ଡିପ୍ଲୋମା ଧାରୀ, ୭ ଜଣ ସାମାନ୍ୟ ପାଠ ପଢ଼ିଥିବାବେଳେ ୬ ଜଣ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ତଥ୍ୟ ପ୍ରଦାନ କରିନାହାନ୍ତି । ଏହାଛଡ଼ା ୨୬୫ ଜଣଙ୍କ ବୟସ ୨୧ରୁ ୫ଠ ବର୍ଷ ମଧ୍ୟରେ ହୋଇଥିବାବେଳେ ୮୮ ଜଣଙ୍କ ବୟସ ୫୧ରୁ ୭ଠ ବର୍ଷ ମଧ୍ୟରେ । ୩୭୩ ସଦସ୍ୟ ସତ୍ୟପାଠରେ ସେମାନଙ୍କ ବୟସ ଘୋଷଣା କରିିନାହାନ୍ତି । ୭୨୬ ସଦସ୍ୟଙ୍କ ମଧ୍ୟରେ ୩୮୫ (୫୩%) ସଦସ୍ୟ ମହିଳା ଥିବା କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *