ଟିକସଦାତାଙ୍କ ମିଳିତ ବିକ୍ଷୋଭ ପ୍ରଦର୍ଶନ

ମାତ୍ରାଧିକ ହୋଲଡିଂ ଟିକସ ବୃଦ୍ଧିକୁ ବିରୋଧ
ବାରିପଦା (ଆପ୍ର): ମାତ୍ରାଧିକ ହୋଲଡିଂ ଟିକସ ବୃଦ୍ଧିକୁ ବିରୋଧକରି ବିଭିନ୍ନ ଦଳ ପକ୍ଷରୁ ମିଳିତ ଭାବେ ବିକ୍ଷୋଭ୍ ପ୍ରଦର୍ଶନ କରାଯାଇଛି । ବାରିପଦା ପୌରପରିଷଦ ଟିକସଦାତାଙ୍କ ପକ୍ଷରୁ ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟିକସ ବୃଦ୍ଧିର ପ୍ରତ୍ୟାହାର ଦାବିରେ ମିଳିତ ଗଣଧାରଣା ଜଗବନ୍ଧୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି ।
କରୋନା ମହାମାରୀରେ ଅର୍ଥନୀତି ରସାତଳଗାମୀ ହୋଇଛି । ଶ୍ରମିକ, କୃଷକ, ବ୍ୟବସାୟୀ, ସାଧାରଣ ପରିବାରର ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ଆଘାତ ଲାଗିଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପେଟ୍ରୋଲ-ଡିଜେଲ-ରନ୍ଧନ ଗ୍ୟାସ୍ , କପଡ଼ା, ଜୀବନରକ୍ଷାକାରୀ ଔଷଧ, ପନିପରିବା ଇତ୍ୟାଦିର ଅହେତୁକ ଦରବୃଦ୍ଧି ଫଳରେ ଜନଗଣ ତ୍ରାହି ତ୍ରାହି ଡାକୁଛନ୍ତି । ବେରୋଜଗାର ବହୁଗୁଣିତ ହୋଇଛି, ନୂତନ କର୍ମ ସଂସ୍ଥାନ ବନ୍ଦ, ମଣିଷ ଦ୍ୱାରା ମଣିଷର ଶୋଷଣ ବଢ଼ି ଚାଲିଛି । ଏହି ଘଡ଼ିସନ୍ଧି ସମୟରେ ବାରିପଦା ପୌରପରିଷଦ ପକ୍ଷରୁ ହୋଲଡିଂ ଟିକସକୁ ବହୁଗୁଣିତ କରି ଟିକସ ଆଦାୟ କରିବା ପ୍ରତିବାଦରେ ଏବଂ ଟିକସ୍ ବୃଦ୍ଧିର ପ୍ରତ୍ୟାହାରକୁ ସମର୍ଥନ ଜଣାଇ ଟିକସ୍ତାମାନେ ଗଣଧାରଣାରେ ସାମିଲ ହୋଇଛନ୍ତି । ହ୍ରାସ ନ ହେଲେ ଆଗାମୀ ଦିନରେ ଆନେ୍ଦାଳନକୁ ତ୍ୱରାନ୍ୱିତ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି । ତୁରନ୍ତ ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମୟୂରଭଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟ ଏକ ଦାବିପତ୍ର ନିର୍ବାହୀ ଅଧିକାରୀ ବାରିପଦା ପୌରପରିଷଦଙ୍କ ଅନୁପସ୍ଥିତିରେ ବିଭାଗୀୟ ଅଧିକାରୀ ବ୍ରଜେଶ୍ୱରୀ ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ସରକାର ଯଥାଶୀଘ୍ର ଏହି ଟିକସ ପ୍ରତ୍ୟାହାର ପାଇଁ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେବା ସହ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଗଣଧାରଣାରେ ଶାନ୍ତନୁ କୁମାର ପାଲ, ରବିଗୋସ୍ୱାମୀ, ହେମନ୍ତ କୁମାର ଦାସ, ପ୍ରଭୁଦାନ ମାଣ୍ଡି, ବିଜନ ଦାସ, ରଘୁନାଥ ପଣ୍ଡା, ଅମଲ ଦେ, ଅରବିନ୍ଦ ଦାସ, ବିଶ୍ୱବିଜୟୀ ପଣ୍ଡା, କାହ୍ନୁଚରଣ ବେହେରା, ଜ୍ୟୋତିପ୍ରକାଶ ରଥ, ସୁସ୍ମିତା ଘୋଷାଲ, ଜଗେଶ ଅଗ୍ରୱାଲ ପ୍ରମୁଖ ଶତାଧିକ ଲୋକ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *