ନିଖୋଜର ୫ ଦିନ ପରେ ସରୋଜ ପାଢ଼ୀ ଉଦ୍ଧାର
ଭୁବନେଶ୍ୱର (ବୁ୍ୟରୋ): ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ମଙ୍ଗଳବାର ବ୍ରହ୍ମପୁରରୁ ଉଦ୍ଧାର କରାଯାଇଛି । ନିଖୋଜ ହେବାର ୫ ଦିନ ପରେ ତାଙ୍କୁ କମିଶନରେଟ୍ ପୁଲିସ ଉଦ୍ଧାର କରି ଭୁବନେଶ୍ୱର ଆଣୁଥିବା ଖବର ମିଳିଛି ।
ତାମିଲନାଡୁର ରାମେଶ୍ୱରମ୍ରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ଶ୍ରୀ ପାଢ଼ୀଙ୍କୁ କମିସନରେଟ୍ ପୁଲିସ ଠାବ କରିଥିଲା । ଉଦ୍ଧାର ଖବର ପାଇ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି । ଗତ ୧୨ ତାରିଖରେ ସେ ନିଖୋଜ ହୋଇଥିବା ନେଇ ତାଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ୟୁନିଟ୍-୬ ସ୍ଥିତ ରାଧାକ୍ରିଷ୍ଣ ଏନ୍କ୍ଲେଭ୍ ଘରୁ ୧୨ ତାରିଖ ସକାଳେ ଶ୍ରୀ ପାଢ଼ୀ ବାହାରକୁ ଯାଇ ଫେରି ନ ଥିଲେ । ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବନ୍ଦ ଥିଲା । ଫଳରେ ପରିବାରବର୍ଗ ମନସ୍ତାପରେ ରହିଥିଲେ । କିନ୍ତୁ ୧୪ ତାରିଖ ରାତି ୯.୩୦ରେ ଏକ ଅଜଣା ନମ୍ବରରୁ ଶ୍ରୀ ପାଢ଼ୀ ପୁଅ ମୋବାଇଲ୍କୁ ଫୋନ୍ କରି ସେ ରାମେଶ୍ୱରମ୍ରେ ଅଛନ୍ତି ଓ ଦୁଇଦିନ ନରେ ଘରେ ପହଞ୍ଚିବେ ବୋଲି କହିଥିଲେ । କ୍ୟାପିଟାଲ୍ ଥାନା ପୁଲିସକୁ ପୁଅ ଏ ବିଷୟରେ ଜଣାଇଥିଲେ ।
ଏକ ପୁଲିସ ଟିମ୍ ସହିତ ପୁଅ ତାମିଲନାଡ଼ୁ ଯାଇ ଖୋଜାଖୋଜି କରି ନିରାଶ ହୋଇଥିଲେ । ଉଦ୍ଧାର ଖବର ପାଇବା ପରେ ବରିବାରବର୍ଗ ଆଶ୍ୱସ୍ତ ହୋଇଛନ୍ତି । ସରୋଜ ପାଢୀ ଆସିକା ରାଜନୀତିରେ ୨୫ ବର୍ଷ ହେଲା ସକ୍ରିୟ ଅଛନ୍ତି । ସେ ୨୦୦୪ରେ ଆସିକା ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜୟୀ ହୋଇଥିଲେ ।