ସିଂହମୂର୍ତ୍ତି ଗଙ୍ଗ ଯୁଗର!
ପୁରୀ (ବୁ୍ୟରୋ): ଏମାର ମଠ ପରିସରରୁ ସୋମବାର ସିଂହମୂର୍ତ୍ତି ଉଦ୍ଧାର ହେବା ପରେ ମଙ୍ଗଳବାର ଅପରାହ୍ଣରେ ପୁରୀରେ ପହଞ୍ଚିଥିଲେ ଏଏସ୍ଆଇର ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ୨ଠରୁ ଊଦ୍ଧ୍ୱର୍ ଅଧିକାରୀ ପ୍ରଥମେ ଏମାର ମଠ ପରିସରକୁ ଯାଇ ଖନନ ହୋଇଥିବା ସ୍ଥଳରେ ପହଞ୍ଚô ବାହାରିଥିବା ସିଂହମୂର୍ତ୍ତିର ଅନୁଧ୍ୟାନ କରିଥିଲେ ।
ପ୍ରଥମେ ଟିମ୍ ସିଂହମୂର୍ତ୍ତିକୁ ସଫା କରିବା ସହ ସେଗୁଡ଼ିକର ଫଟୋଗ୍ରାଫି ମଧ୍ୟ କରିଥିଲେ । ତତ୍ସହିତ ମୂର୍ତ୍ତିର ବିଭିନ୍ନ ଦିଗକୁ ଭଲଭାବେ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଏଏସ୍ଆଇର ସୁପରିଟେଣ୍ଡେଣ୍ଟ ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଉଦ୍ଧାର ହୋଇଥିବା ସିଂହମୂର୍ତ୍ତିଟି ଗଙ୍ଗ ସାମ୍ରାଜ୍ୟ ସମୟର ବୋଲି ଅନୁମାନ କରାଯାଉଛି । ଏହି ମୂର୍ତ୍ତିର ପରୀକ୍ଷଣ କରାଯାଇ ରିପୋର୍ଟ ହାଇକୋର୍ଟଙ୍କୁ ଅବଗତ କରାଯିବ ।
ଅନ୍ୟପକ୍ଷରେ ଉକ୍ତ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ ଅଧିକ କିଛି କହିହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ତେବେ ଶ୍ରୀ ମଲ୍ଲିକଙ୍କ ଅନୁଧ୍ୟାନ ସମୟରେ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଓବିସିସିର ବରିଷ୍ଠ ଅଧିକାରୀ ଓ ଟାଟା କମ୍ପାନୀର ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଧନଶାଳୀ ମଠ ଭାବେ ପରିଚିତ ଏମାରମଠ । ଏହି ମଠ ପରିସରରୁ ଗତ ସୋମବାର ପୁଣି ବାହାରିଥିଲା ପୁରାତନ ସିଂହମୂର୍ତ୍ତି । ମାଟି ଖନନ ବେଳେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ବାହାରିଥିଲା । ହେଲେ ଖନନ ବେଳେ ଜେସିବି ମେସିନ୍ ମାଡ଼ରେ ମୂର୍ତ୍ତିଟି ଭାଙ୍ଗି ଯାଇଥିଲା । ଜିପିଆର୍ଏସ ହୋଇ ନ ଥିବାରୁ ଏପରି ଘଟିଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ଅପରାହ୍ଣରେ ଏଏସ୍ଆଇର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୂର୍ତ୍ତିର ଅନୁଧ୍ୟାନ କରି ଫେରିଯାଇଛନ୍ତି ।