ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ହତ୍ୟା
ଏକତରଫା ପ୍ରେମ ହେଲା କାଳ
ପୁରୀ (ବୁ୍ୟରୋ): ଏକତରଫା ପ୍ରେମ ହେଲା କାଳ । ଶେଷରେ ପ୍ରେମ ଲାଗି ଗଲା ଜୀବନ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ସଦରଥାନା ଅନ୍ତର୍ଗତ ବାଟଗାଁ ନିକଟ ନୂଆଗାଁ ଗ୍ରାମରେ । ଏକ ପରିବାରର ସଦସ୍ୟମାନେ ଏକତ୍ରିତ ହୋଇ ଯୁବକକୁ ଗାଁ ଦାଣ୍ଡରେ ଅତ୍ୟନ୍ତ ନୃଶଂସ ଭାବେ ପିଟି ପିଟି ହତ୍ୟା କରିଥିବା ନେଇ ସୁଚନା ଦେଇଛନ୍ତି ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା । ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ସମଙ୍ଗରାର ମୁନା ପ୍ରଧାନ । ଏନେଇ ମୃତ ମୁନାର ବାପା କୁଞ୍ଜ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ୧୫୫/୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ତତ୍ସହିତ ଉକ୍ତ ଘଟଣାରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଲାଗି ଜେରା କରାଯାଉଛି ।
ଥାନା ଅଧିକାରୀ ଶ୍ରୀ ବେହେରାଙ୍କ ସୂଚନାନୁଯାୟୀ, ମୁନା ନୂଆଁଗାଁରେ ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ । ହେଲେ ଯୁବତୀଙ୍କ ପରିବାର ଲୋକେ ମୁନା ସହ ବିବାହ କରିବାକୁ ମନା କରିଦେଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରଥମେ ମୁନା ଯୁବତୀଙ୍କ ଘରକୁ ଯାଇ ଗତ ୪ ଦିନ ତଳେ ବୋମା ମାଡ଼ କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଥିଲା । ହେଲେ ମୁନା ଫେରାର୍ ଥିଲା । ମାତ୍ର ସୋମବାର ବିଳମ୍ବିତ ରାତିରେ ମୁନା ପୁଣିଥରେ ଯୁବତୀଙ୍କ ଗାଁକୁ ଆସି ତାଙ୍କ ଘର ଦାଣ୍ଡ ଦୁଆରେ ଆତଙ୍କ ଖେଳାଇଲା । ଏହି ସମୟରେ ଯୁବତୀଙ୍କ ପରିବାର ଲୋକେ ଏକତି୍ରତ ହୋଇ ମୁନାକୁ ଗ୍ରାମରେ ଅଟକାଇ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏପରିକି ଅତ୍ୟନ୍ତ ନୃଶଂସ ଭାବେ ମୁନାର ଗୋଡ଼, ହାତ ଓ ଅଣ୍ଟାକୁ ପିଟି ପିଟି ଭାଙ୍ଗି ଦେଇଥିଲେ । ତତ୍ସହିତ ମୁଣ୍ଡକୁ ମଧ୍ୟ ଜୋର ଆଘାତ କରିଥିଲେ । ଫଳରେ ସେ ଗାଁ ମଝିରେ ରକ୍ତ ଜୁଡୁବୁଡୁ ହୋଇ ଅଚେତ ଅବସ୍ଥାରେ ପଡ଼ି ରହିଥିଲା । ପରେ ପାଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୁନାକୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରିବା ବେଳେ ସତ୍ୟବାଦୀ ଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ହେଲେ ବିଳମ୍ବିତ ରାତିରେ ମୁନାର ବାପା କୁଞ୍ଜ ପ୍ରଧାନ ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖି ଜେରା ଜାରି ରଖିଛି । ମୁନା ପେଷାରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ତା’ ନାଁରେ ବିଭିନ୍ନ ଥାନାରେ ସଙ୍ଗୀନ ମାମଲା ଥିବା ପୁଲିସ ସୂଚନା ଦେଇଛି ।