ଆଣ୍ଡାମାନରେ ସକ୍ରିୟ ହେଲା ମୌସୁମୀ
ଭୁବନେଶ୍ୱର, ୧୬ା୫(ବୁ୍ୟରୋ): ଆଣ୍ଡାମାନ-ନିକୋବର ଦୀପପୁଞ୍ଜରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଏହା ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆଣ୍ଡାମାନ୍ ସମୁଦ୍ର ଓ ଦୀପପୁଞ୍ଜରେ ସମ୍ପୂର୍ଣ୍ଣ ସ୍ପର୍ଶ କରିବା ସହ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ଏବଂ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିବା ଲାଗି ପାଗ ଅନୁକୂଳ ରହିଛି ।
ପାଣିପାଗ ବିଭାଗର କହିବା ଅନୁସାରେ, ଆଣ୍ଡାମାନରେ ୨୨ ତାରିଖ ସୁଦ୍ଧା ମୌସୁମୀ ବାୟୁ ଛୁଇଁବ ବୋଲି ଆକଳନ କରାଯାଇଥିଲା । ତେବେ ଆକଳନ ସମୟର ୬ଦିନ ପୂର୍ବରୁ ଆଣ୍ଡାମାନରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଆଣ୍ଡାମାନ୍ ସାଗର ସହ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ । ଆଣ୍ଡାମାନ ଛୁଇଁବାର ୧୫ ଦିନ ପରେ ଅର୍ଥାତ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥାଏ । ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ଭିତରେ ଓଡ଼ିଶାରେ ପ୍ରବେଶ କରିଥାଏ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ଆକଳନକୁ ଯଦି ଧରାଯାଏ, ତାହେଲେ ଓଡ଼ିଶାରେ ମୌସୁମୀ ଜୁନ୍ ପ୍ରଥମ ସପ୍ତାହରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଚଳିତ ବର୍ଷ ମେ’ ୨୭ରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । ଏହି ଆକଳନରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗୁଆ କିମ୍ବା ପଛୁଆ ହୋଇପାରେ । ଏଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୋମବାର ଆଣ୍ଡାମାନ ନିକୋବର ଛୁଇଁସାରିଛି । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।
ସାଧାରଣତଃ ମୌସୁମୀ ଜୁନ ୧ରେ କେରଳ ଛୁଇଁଥାଏ । ଏହାପରେ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ । ଏଥର ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଆସିପାରେ । ମେ’ ୨୭ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଏଥର ଏହା ସ୍ୱାଭାବିକ ରହିବ ।
୨୦୦୫ ମସିହାରୁ ୨୦୨୧ ଯାଏ ଅର୍ଥାତ ୧୭ ବର୍ଷ ମଧ୍ୟରେ ୨୦୧୫କୁ ଛାଡ଼ିଦେଲେ ଆଇଏମଡି ଆକଳନ ପ୍ରାୟ ସଠିକ୍ ରହିଛି । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୦୧୭ରେ ମେ ୩୦, ୨୦୧୮ରେ ମେ ୨୯, ୨୦୧୯ରେ ୮ଜୁନ, ୨୦୨୦ରେ ଜୁନ ୧ ଏବଂ ୨୦୨୧ରେ ଜୁନ ୩ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ଏବର୍ଷ ବି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଅଳ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମୌସୁମୀ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଥିଲା । ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୬%ରୁ ୧୦୪% ବର୍ଷା ହେବ ।