ଧାରଣା ଦେଲେ କାର୍ଯ୍ୟରତ ସାମ୍ବାଦିକ
ଏମ୍କେସିଜି ସମସ୍ୟା
୪ ଦଫା ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଧାରଣା
ବ୍ରହ୍ମପୁର (ବୁ୍ୟରୋ): ଏମ୍କେସିଜି ମେଡିକାଲର ବିଭିନ୍ନ ପ୍ରମୁଖ ସମସ୍ୟାକୁ ନେଇ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି ସହରର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି । ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଲୋକମାନେ ମଧ୍ୟ ଏହି ମେଡିକାଲ ଉପରେ ନିର୍ଭରଶୀଳ ହୋଇଥିବାବେଳେ ଏହା ବର୍ତ୍ତମାନ ଏକ ରେଫରାଲ୍ ମେଡିକାଲ ଭାବେ କାର୍ଯ୍ୟ କରୁଛି । ଏଠାରେ ଥିବା ଅନେକ ବିଭାଗରେ ଅଭିଜ୍ଞ ଡାକ୍ତର ଅଭାବ ଯୋଗୁ ରୋଗୀ କଟକ, ଭୁବନେଶ୍ୱର ଓ ବିଶାଖପାଟଣାର ମେଡିକାଲଗୁଡିକ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ମେଡିକାଲରେ ଲାଗି ରହିଥିବା ପ୍ରମୁଖ ସମସ୍ୟାଗୁଡିକର ତୁରନ୍ତ ସମାଧାନ କରିବା ସହ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କ ମୁଖ୍ୟ ଦାବିଗୁଡିକ ହେଲା- ଏମ୍କେସିଜି ମେଡିକାଲରେ ଖାଲି ରହିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରାଯାଉ, ଟ୍ରମା କେୟାର ସେଣ୍ଟରକୁ ପୂର୍ଣ୍ଣ କାର୍ଯକ୍ଷମ କରାଯାଉ, ଏମ୍କେସିଜିରେ ବର୍ଣ୍ଣକେୟାର ୟୁନିଟ୍ ତୁରନ୍ତ ଖୋଲାଯାଉ, କାଜୁଆଲଟିରେ ବରିଷ୍ଠ ଅଭିଜ୍ଞ ଡାକ୍ତର ନିଯୁକ୍ତି କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ । ଏହି ୪ଟି ପ୍ରମୁଖ ଦାବି ନେଇ ବ୍ରହ୍ମପୁର ସହରର ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନେ ମେଡିକାଲର ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଥିଲେ ।
ସେହିପରି ଦାବିଗୁଡିକ ପୂରଣ ନହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଜାରି ରହିବ ବୋଲି ସାମ୍ବାଦିକମାନେ କହିଛନ୍ତି । ଏହି ଗଣଧାରଣାରେ ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ଅଶୋକ ବ୍ରହ୍ମା, ନାରାୟଣ ମହାଙ୍କୁଡ, ସୁଦୀପ ସାହୁ, ସମୀର ଆଚାର୍ଯ୍ୟ, ଆର୍.ଶ୍ରୀନିବାସ, ଲକ୍ଷ୍ମୀ ବେଜ, ଜ୍ୟୋତିରଞ୍ଜନ ଦାସ, ପ୍ରହ୍ଲାଦ ସାହୁ, ଜଗନ୍ନାଥ ସାହୁ, ପିତାମ୍ବର ନାହାକ, ପିଣ୍ଟୁ ବେହେରା, ବିଶ୍ୱନାଥ ମଲାଣ, ରଶ୍ମିତା ପାଣିଗ୍ରାହୀ, କିରଣ ମିଶ୍ର, ସ୍ୱାଧୀନ ସାହୁ, ଅମର ଦାସ, ଶିବ ପଣ୍ଡା, ରାଜେଶ ସାହୁ, ବି.କେ ବିଶୋରଦ, ସ୍ୱାଧୀନ ପାତ୍ର, ପ୍ରଶାନ୍ତ ଜେନା, ଦିନେଶ ପଟ୍ଟନାୟକ, ରୁପେଶ ପଣ୍ଡା, କାଳୀପ୍ରସାଦ ରଥ, ବିଶ୍ୱନାଥ ମାରଣା, ରୂପକ ମହାନ୍ତି, ଲଡୁକିଶୋର ପାତ୍ର, ସିଦ୍ଧି ରଞ୍ଜନ ପାଣିଗ୍ରାହୀ, ଗୋପାଳ ରେଡ୍ଡି, ସୁବ୍ରମଣ୍ୟମ୍ ସ୍ୱାମୀ, ବିନୋଦ ପ୍ରଧାନ, ସୀମାଞ୍ଚଳ ପାଣିଗ୍ରାହୀ, ସଞ୍ଜୟ ସାହୁ, ଉମାଶଙ୍କର ମିଶ୍ର, ଫିନୋଜ ପ୍ରଧାନ, ସୀମାଞ୍ଚଳ ସାହୁଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ସାମ୍ବାଦିକମାନଙ୍କର ଏହି ଶାନ୍ତିପୂର୍ଣ୍ଣ ଧାରଣାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ସହ ସହରର ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛି ।