ପୁଣି ଧନଶାଳୀ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତି
ପୁରୀ (ବୁ୍ୟରୋ): ଧନଶାଳୀ ମଠ ଭାବେ ପରିଚିତ ଏମାରମଠ ପରିସରରୁ ସୋମବାର ପୁଣି ବାହାରିଛି ପୁରାତନ ସିଂହ ମୂର୍ତ୍ତି । ମାଟି ଖନନ ବେଳେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ବାହାରିଥିଲା । ହେଲେ ଖନନ ବେଳେ ଜେସିବି ମେସିନ୍ ମାଡ଼ରେ ମୂର୍ତ୍ତିଟି ଭାଙ୍ଗି ଯାଇଛି । ଜିପିଆର୍ଏସ୍ ହୋଇ ନ ଥିବାରୁ ଏପରି ଘଟିଥିବା ଅଭିଯୋଗ ହୋଇଛି । ସବୁଠାରୁ ପୁରୀର ପୁରାତନ ମଠ ଭାବେ ପରିଚିତ ଏମାରମଠ । ସନ୍ଥ ରାମାନୁଜ ପ୍ରଥମେ ସ୍ୱର୍ଗଦ୍ୱାରଠାରେ ଛତା ପୋତି ରହୁଥିଲେ । ତା’ପରେ ସେଠାରେ ଏକ ମଠ କରିଥିଲେ । ପରେ ବର୍ତ୍ତମାନର ଏମାରମଠ ସ୍ଥାନରେ ଛତା ପୋତି ନିଜ ଶିଷ୍ୟଙ୍କ ସହ ରହିଥିଲେ । ସେହି ଛତାରୁ ସେଠାରେ ଏମାରମଠ ଭାବେ ପରିଚିତ ହୋଇଥିଲା । ଏହି ମଠ ପରିସରରୁ ୨୦୧୧ରେ ୫୨୨ ଖଣ୍ଡ ରୁପା ଇଟା ଉଦ୍ଧାର କରାଯାଇଥିଲା । ହେଲେ ଏହି ମଠକୁ ଗତ ୨୦୧୯ରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ସେହି ସମୟରେ ମଠ ମଧ୍ୟରେ ଅନେକ ଗୁପ୍ତ କୋଠରୀ ରହିଥିବା ଜଣାପଡ଼ିଥିଲା । ତତ୍ସହିତ ଏହି ମଠ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ହଜାର ହଜାର ଲୋକଙ୍କ ମୁହଁରେ ଦାନା ଯୋଗାଇଥିବା କିମ୍ବଦନ୍ତୀ ରହିଛି ।