ଜାମିନ ସତ୍ତ୍ୱେ ମିଳୁନି ମୁକ୍ତି

ନୂଆଦିଲ୍ଲୀ, ୧୬ା୫: ଜାମିନ ଆବେଦନ ମଞ୍ଜୁର ହେବା ସତ୍ତ୍ୱେ ଅଭିଯୁକ୍ତ ଜେଲ୍ରୁ ନ ମୁକୁଳିବା ଘଟଣାରେ ସୁପ୍ରିମ୍ କୋର୍ଟ କ୍ଷୋଭ ପ୍ରକାଶ ପୂର୍ବକ ଦେଶର ସବୁ ହାଇକୋର୍ଟଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ଛଅ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ଦେବା ଲାଗି ସର୍ବୋଚ୍ଚ ଅଦାଲତର ଏକ ଖଣ୍ଡପୀଠ ଆଦେଶ ଦେଇଛନ୍ତି ।
ମାମଲର ବିବରଣୀରୁ ପ୍ରକାଶ ଯେ, ଆନ୍ଧ୍ର ପ୍ରଦେଶର ଜନୈକ ଅଭିଯୁକ୍ତ ଗୋପୀ ସେଟ୍ଟୀ ହରିକୃଷ୍ଣା ଜେଲରେ ୯ ବର୍ଷ କାଳ ବନ୍ଦୀ ହୋଇ ରହିଥିଲେ । ଉକ୍ତ ମାମଲା ସୁପ୍ରିମ୍ କୋର୍ଟକୁ ଯାଇଥିଲା । ମାମଲାର ତଥ୍ୟ ବିଶ୍ଳେଷଣ କରି ସର୍ବୋଚ୍ଚ ଅଦାଲତ ୨୦୨୦ ସେପ୍ଟେମ୍ବର ୨୮ ତାରିଖ ଦିନ ହରିକୃଷ୍ଣାଙ୍କୁ ଅନ୍ତରୀଣ ଜାମିନ୍ ମଞ୍ଜୁର କରିଥିଲେ । ଆଦେଶନାମାରେ କୁହାଯାଇଥିଲା ଯେ, ଅଭିଯୁକ୍ତଙ୍କୁ ୩ ଦିନ ଭିତରେ ଟ୍ରାଏଲ୍ କୋର୍ଟରେ ପେସ୍ କରାଯିବ ଏବଂ ଟ୍ରାଏଲ୍ କୋର୍ଟ ଯେଉଁ ସବୁ ସର୍ତ୍ତ ଉଚିତ୍ ମନେ କରିବେ, ସେହି ଅନୁସାରେ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନରେ ଜେଲ୍ରୁ ମୁକ୍ତି ଦିଆଯିବ ।
କିନ୍ତୁ ଆନ୍ଧ୍ର ପ୍ରଦେଶର ସମ୍ପୃକ୍ତ ନିମ୍ନ ଅଦାଲତର ଜଜ୍ ସୁପ୍ରିମ୍ କୋର୍ଟଙ୍କ ଜାମିନ୍ ଆଦେଶର ଭୁଲ୍ ତର୍ଜମା କରି ଅଭିଯୁକ୍ତ ହରିକୃଷ୍ଣାଙ୍କୁ ମୁକ୍ତ କରି ନ ଥିଲେ । ଜାମିନ ଆଦେଶ ଜାରି ହେବା ପରେ ଅଭିଯୁକ୍ତ ଆହୁରି ଦୁଇ ବର୍ଷ ବନ୍ଦୀ ଜୀବନ ବିତାଇବା ଘଟଣାରେ ନ୍ୟାୟମୂର୍ତ୍ତି ୟୁ ୟୁ ଲଳିତ, ନ୍ୟାୟମୂର୍ତ୍ତି ଏସ୍ ରବୀନ୍ଦ୍ର ଭଟ, ନ୍ୟାୟମୂର୍ତ୍ତି ପି ଏସ୍ ନରସିଂହା ଓ ନ୍ୟାୟମୂର୍ତ୍ତି ସୁଧାଂଶୁ ଧୂଲିୟାଙ୍କ ଖଣ୍ଡପୀଠ କ୍ଷୋଭ ପ୍ରକାଶ ପୂର୍ବକ ଗତ ସପ୍ତାହରେ କଠୋର ପଦକ୍ଷେପ ନେଇଛନ୍ତି ।
ନ୍ୟାୟପୀଠ ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କୁ କହିଛନ୍ତି ସମ୍ପୃକ୍ତ ନିମ୍ନ ଅଦାଲତର ଜଜ୍ଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଉ । ତା ସହିତ ଦେଶସାରା ଏଭଳି କେତେ ମାମଲା ଅଛି, ଛଅ ସପ୍ତାହ ମଧ୍ୟରେ ଜଣାଇବା ଲାଗି ସବୁ ହାଇକୋର୍ଟଙ୍କ ଠାରୁ ଜବାବ ତଲବ କରିଛନ୍ତି ଖଣ୍ଡପୀଠ ।
ନ୍ୟାୟପୀଠ କହିଛନ୍ତି ଏହି ମାମଲା ଅତ୍ୟନ୍ତ ଦୁଃଖଦାୟକ ସ୍ଥିତି ଦର୍ଶାଉଛି । ଜାମିନ ଆଦେଶରେ ତିନି ଦିନ ଭିତରେ ଅଭିଯୁକ୍ତଙ୍କୁ ଟ୍ରାଏଲ୍ କୋର୍ଟରେ ପେସ୍ କରାଇବା ପାଇଁ କୁହାଯାଇଥିଲା ଏହି ଦୃଷ୍ଟିରୁ ଯେ ନ୍ୟାୟ ପ୍ରକ୍ରିୟା ଶୀଘ୍ରାତିଶୀଘ୍ର ସମ୍ପୂର୍ଣ୍ଣ ହେବ । ନିମ୍ନ ଅଦାଲତର ଜଜ୍ ଏହାର ଭୁଲ୍ ବ୍ୟାଖ୍ୟା କଲେ । ପ୍ରଶାସନିକ ସ୍ତରରେ ଉକ୍ତ ମାମଲାକୁ ଦେଖି ସମ୍ପୃକ୍ତ ଜଜଙ୍କଠାରୁ ସ୍ପଷ୍ଟୀକରଣ ମାଗିବା ଲାଗି ସୁପ୍ରିମ୍ କୋର୍ଟ ଆନ୍ଧ୍ର ହାଇକୋର୍ଟଙ୍କୁ ଅଦେଶ ଦେଇଛନ୍ତି ।
ଏଭଳି ସମସ୍ୟାରୁ ବର୍ତ୍ତିବାର ଏକ ଉପାୟ ମଧ୍ୟ ଦର୍ଶାଇଛନ୍ତି ସୁପ୍ରିମ୍ କୋର୍ଟ । ନ୍ୟାୟପୀଠ କହିଛନ୍ତି ଏକ ରେଜିଷ୍ଟର ବ୍ୟବସ୍ଥା ହେଉ ଯେଉଁଥିରେ କେତେ ମାମଲାରେ ଅଭିଯୁକ୍ତମାନଙ୍କୁ ଜେଲ୍ରୁ ମୁକ୍ତି ଦେବା ସମ୍ବନ୍ଧୀୟ ଆଦେଶ ଦିଆଯାଇଛି । କେତେ ଅଭିଯୁକ୍ତ ମୁକ୍ତି ଆଦେଶରୁ ବଞ୍ଚôତ ହୋଇଛନ୍ତି ସେମାନଙ୍କ ନାମ ରେଜିଷ୍ଟରରେ ପଞ୍ଜୀକୃତ ହେଉ । ସେମାନଙ୍କୁ କାହିଁକି ମୁକ୍ତି ଦିଆଯାଇ ନାହିଁ, ସେ ବିଷୟ ମଧ୍ୟ ରେଜିଷ୍ଟରରେ ଉଲ୍ଲିଖିତ ହେଉ । ଏହାପରେ ମାମଲାଗୁଡ଼ିକର ଶୁଣାଣି ପାଇଁ ସମ୍ପୃକ୍ତ ଅଦାଲତମାନଙ୍କୁ ନିଦେ୍ର୍ଦଶ ଦିଆଯାଉ । ଏହା ସତ୍ତ୍ୱେ ଯଦି ଅଭିଯୁକ୍ତ ଜେଲ୍ରୁ ମୁକ୍ତି ନ ପାଇଲେ, ସେ କ୍ଷେତ୍ରରେ ଜାମିନ ମଞ୍ଜୁର କରିଥିବା ବା ଜେଲରୁ ମୁକ୍ତି ପାଇଁ ଆଦେଶ ଦେଇଥିବା କୋର୍ଟଙ୍କୁ ଏ ବିଷୟରେ ଅବଗତ କରାଯାଉ ।
ମାମଲାର ପରବର୍ତ୍ତି ଶୁଣାଣି ଜୁଲାଇ ୧୧ରେ ହେବ । ମାମଲାଟିକୁ ଗମ୍ଭୀରତାର ସହ ନେବା ଲାଗି ନ୍ୟାୟପୀଠ ତାଙ୍କ ଆଦେଶନାମାରେ ଉଲ୍ଲେଖ କରିଛନ୍ତିି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *