ନେତୃତ୍ୱକୁ ଛାଡ଼ି ସବୁ ପ୍ରସଙ୍ଗରେ ହେଲା ଆଲୋଚନା

ଚର୍ଚ୍ଚାରେ କଂଗ୍ରେସର ଚିନ୍ତନ ଶିବିର
ନୂଆଦିଲ୍ଲୀ (ଏଜେନ୍ସି): ନିକଟରେ ଆୟୋଜିତ ହୋଇଯାଇଛି କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର । ରାଜସ୍ଥାନର ଉଦୟପୁର ଠାରେ ଆୟୋଜିତ ଏହି ଶିବିରରେ ଅନେକ ପ୍ରସଙ୍ଗରେ ଦଳର ତୁଙ୍ଗ ନେତାମାନେ ଆଲୋଚନା କରିଛନ୍ତି । ଆଭ୍ୟନ୍ତରୀଣ କନ୍ଦଳ ସମାଧାନ କ୍ଷେତ୍ରରେ ହେଉ କିମ୍ବା ୨ଠ୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି, ସାଂଗଠନିକ ପରିବର୍ତ୍ତନ ହେଉ କିମ୍ବା ୨ଠ୧୪ ପରଠାରୁ ମିଳୁଥିବା ପରାଜୟ, ପ୍ରାୟ ସବୁ ପ୍ରସଙ୍ଗରେ କଂଗ୍ରେସର ଭେଟେରାନ୍ ନେତାମାନେ ବିଚାରବିମର୍ଶ କରିଛନ୍ତି ଏବଂ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ପ୍ରଦାନ ରୂପକ ପରାମର୍ଶ ଦେଇଛନ୍ତି । ତେବେ ଏସବୁ ମଧ୍ୟରେ କଂଗ୍ରେସ କିନ୍ତୁ ଗୋଟିଏ ପ୍ରସଙ୍ଗରେ କୌଣସି ବିଚାରବିମର୍ଶ କରିନାହିଁ । ତାହା ହେଉଛି କଂଗ୍ରେସର ନେତୃତ୍ୱ ପ୍ରସଙ୍ଗ ।
କଂଗ୍ରେସ ଆଗାମୀ ଦିନରେ କାହା ନେତୃତ୍ୱରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବ? କାହା ନେତୃତ୍ୱରେ ରଣନୀତି ପ୍ରସ୍ତୁତ କରିବ? କାହା ନେତୃତ୍ୱରେ ବିଜେପି ଭଳି ଏକ ଶକ୍ତିଶାଳୀ ଦଳକୁ ଟକ୍କର ଦେବାକୁ ନିଜ ଅଭିଯାନ ଆରମ୍ଭ କରିବ ସେନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଅବଶ୍ୟ କିଛି ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳର ନେତୃତ୍ୱ ଭାର ଦିଆଯିବା ନେଇ ଯୁକ୍ତି ବାଢ଼ିଛନ୍ତି, ସେହିପରି ଆଉ କିଛି ନେତା ରାହୁଲ ଗାନ୍ଧୀ ହିଁ ପୁନର୍ବାର କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ଉଚିତ୍ ବୋଲି ମଧ୍ୟ ଦର୍ଶାଇଛନ୍ତି । କିନ୍ତୁ ୩ଦିନିଆ ଚିନ୍ତନ ଶିବିରରୁ ଏସମ୍ପର୍କରେ କୌଣସି ସଠିକ୍ ସୂଚନା ଆସିପାରିନାହିଁ । କଂଗ୍ରେସର ନେତୃତ୍ୱ ଏବେ ଗାନ୍ଧୀ ପରିବାରରୁ ପୃଥକ୍ ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ କରାଯିବା ନେଇ ହୋଇଆସୁଥିବା ଦାବି ଉପରେ କଂଗ୍ରେସ ଚୁପ୍ ହୋଇଯାଇଛି ।
କଂଗ୍ରେସ ଏହି ୩ଦିନିଆ ଚିନ୍ତନ ଶିବିରରେ ୨ଠ୨୪ ଲୋକସଭା ନିର୍ବାଚନୀ ରଣନୀତି ପ୍ରସ୍ତୁତି ପୂର୍ବକଆସନ୍ତା ଅକ୍ଟୋବର-୨ରୁ କଂଗ୍ରେସ ‘ଭାରତ ଯୋଡୋ’ ଯାତ୍ରା ଆୟୋଜନ କରିବ ବୋଲି ମଧ୍ୟ ଘୋଷଣା କରିଛି । କେତେକାଂଶରେ ପ୍ରଶାନ୍ତ କିଶୋର କଂଗ୍ରେସକୁ ଦେଇଥିବା ପରାମର୍ଶ ତଥା ବ୍ଲୁ-ପ୍ରିଣ୍ଟ୍ ଉପରେ ମଧ୍ୟ କଂଗ୍ରେସ କାମ କରିବାକୁ ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି । କିନ୍ତୁ ଦଳ ପାଇଁ ସବୁଠୁ ବଡ ପ୍ରସଙ୍ଗ ସାଜିଥିବା ‘ନେତୃତ୍ୱ’ ଉପରେ କୌଣସି ଆଲୋଚନା କରାଯାଇ ନାହିଁ । (ଯାହାକୁ ନେଇ ଦଳରେ ଜି-୨୩ ବିରୋଧୀ ଗୋଷ୍ଠୀ ବାରମ୍ବାର ପ୍ରଶ୍ନ ଉଠାଇଆସୁଥିଲେ)

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *