୩ ଲୁହାପଥର ଖଣି କାର୍ଯ୍ୟକ୍ଷମ
ଓଏମ୍ସିର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ଖଣି ନିଗମ (ଓଏମ୍ସି) ଏହାର ୬୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶିକ୍ଷାର ପ୍ରୋତ୍ସାହନ ଲାଗି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛି । ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଓଏମ୍ସି ଆନ୍ଥେମ୍ର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଏବଂ କୋଇଡ଼ା ଆଇଟିଆଇରେ ଏକ ଦକ୍ଷତା ଏକାଡେମୀ ପ୍ରତିଷ୍ଠା ପାଇଁ ବୈଷୟିକ ଶିକ୍ଷା ଏବଂ ତାଲିମ୍ ବିଭାଗ ସହ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଓଏମ୍ସିର ଖଣି ଅଞ୍ଚଳରେ ୫ଟି ଆଦର୍ଶ ବିଦ୍ୟାଳୟ ପାଇଁ ନିଗମ ୨ଠ୮ କୋଟି ଟଙ୍କା ଖର୍ଚ୍ଚ କରିବ । ଏହି ପ୍ରତିଷ୍ଠାନଗୁଡ଼ିକୁ ଚାଲୁ ରଖିବା ପାଇଁ ବାର୍ଷିକ ୩ଠ କୋଟି ଟଙ୍କା ଖର୍ଚ୍ଚ ହେବ ।
ପ୍ରତିଷ୍ଠା ଦିବସରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ଓଏମ୍ସିର ସାମାଜିକ କ୍ଷେତ୍ର ବିକାଶ ପଦକ୍ଷେପ ସମ୍ପର୍କରେ କହିଥିଲେ । ଓଏମ୍ସି ଦେଶରେ ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଖଣି କମ୍ପାନୀଗୁଡ଼ିକ ମଧ୍ୟରେ ଅନ୍ୟତମ । ଗତ ଆର୍ଥିକ ବର୍ଷରେ ଏହା ୩ଠ ମିଲିଅନ୍ ଟନ୍ ଉତ୍ପାଦନ ଲକ୍ଷ୍ୟ ହାସଲ ସହ ୧୭ ହଜାର କୋଟିର ଟର୍ଣ୍ଣଓଭର କରିପାରିଛି । ଚଳିତ ବର୍ଷରେ ଏହି ସଂଖ୍ୟା ଅଧିକ ହେବ ଏବଂ ଅନ୍ୟ ପିଏସ୍ୟୁ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଂଶପାଣି, ଉଂଚାବାଲି ଏବଂ ଖଣ୍ଡାବନ୍ଧଠାରେ ୩ଟି ଲୁହାପଥର ଖଣି କାର୍ଯ୍ୟକ୍ଷମ କରାଯାଇଛି । ଏହାସହ କମ୍ପ୍ଲାଏନ୍ସ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ ଏବଂ ଲିଟିଗେସନ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ଆଦି ୨ ଆଇଟି ମଡୁ୍ୟଲର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରାୟ ୩୯ କନିଷ୍ଠ ଆକାଉଣ୍ଟାଣ୍ଟସ, ଇଲେକ୍ଟ୍ରିସିଆନ୍ ସେମାନଙ୍କ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି ।
ଏହି ପିଏସ୍ୟୁ ଉକ୍ରର୍ଷତାର ନୂଆ ଶିଖର ଛୁଇଁବା ସହ ଆଗାମୀ ଦିନରେ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ନିଜକୁ ପ୍ରତିଷ୍ଠିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଏମ୍ସିର ଅଭିବୃଦ୍ଧକୁ ପ୍ରଶଂସା କରିଥିଲେ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପିକେ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍ଙ୍କ ସମେତ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓଏମ୍ସିର ଅଧ୍ୟକ୍ଷ ଡିକେ ସିଂ ଏଠାରେ ସ୍ୱାଗତ ଭାଷଣ ଏବଂ ଏମ୍ଡି ବଲୱନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।