ଆଇପିଏଲ୍ ପରେ ଗଢ଼ାଯିବ ଦୁଇ ଭାରତୀୟ ଟିମ୍

ନୂଆଦିଲ୍ଲୀ, ୧୬ା୫ (ଏଜେନ୍ସି): ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ର ପଞ୍ଚଦଶ ସଂସ୍କରଣ ପରେ ମଧ୍ୟ ଭାରତୀୟ ଖେଳାଳିମାନଙ୍କୁ ବିଶ୍ରାମ କରିବାର ସମୟ ମିଳିବନି, କାରଣ ଜୁନ୍ ଓ ଜୁଲାଇରେ ଦୁଇଟି ବଡ଼ ଶୃଙ୍ଖଳା ଖେଳାଯିବ । ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ, ଅନ୍ୟପଟେ ଦକ୍ଷିଣ ଆଫ୍ରିକୀୟ ଟିମ୍ ଭାରତ ଆସିବ । ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ବଡ଼ ମିଶନ୍ ପାଇଁ ବିସିସିଆଇ ଖାସ୍ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ସୂଚନାନୁଯାୟୀ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି ଦୁଇଟି ଅଲଗା ଅଲଗା ଟିମ୍ ପ୍ରସ୍ତୁତ କରିବ, ଯେମିତି ଗତ ବର୍ଷ ମୁଖ୍ୟ ଟିମ୍କୁ ଇଂଲଣ୍ଡ ଓ ଦ୍ୱିତୀୟ ଟିମ୍କୁ ଶ୍ରୀଲଙ୍କା ପଠାଯାଇଥିଲା ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରେ ଜୁନ୍ ୯ରୁ ୧୯ ଯାଏଁ ପାଞ୍ଚ ଟି-୨୦ ମ୍ୟାଚ୍ର ଶୃଙ୍ଖଳା ହେବ । ଏକ କ୍ରିକେଟ୍ ୱେବ୍ସାଇଟ୍ର ରିପୋର୍ଟ ଅନୁଯାୟୀ ଟିମ୍ର ନିୟମିତ ସଦସ୍ୟ ଯେପରିକି ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା, ରିଷଭ ପନ୍ତ, ଲୋକେଶ ରାହୁଲ, ମହମ୍ମଦ ଶାମୀ, ରବିଚନ୍ଦ୍ରନ୍ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା ଓ ଫର୍ମକୁ ଫେରିଥିବା ଚେତେଶ୍ୱର ପୂଜାରା ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହେବେ; ସେଥିପାଇଁ ସେମାନଙ୍କୁ ଦିଲ୍ଲୀ, କଟକ, ଭାଇଜାଗ୍, ରାଜକୋଟ୍ ଓ ବେଙ୍ଗାଲୁରୁଠାରେ ହେବାକୁ ଥିବା ଟି-୨୦ ମ୍ୟାଚ୍ରୁ ବିଶ୍ରାମ ଦିଆଯାଇଛି । ଆହତ ହୋଇଥିବା ଅଜିଙ୍କ୍ୟ ରାହାଣେ ଏନ୍ସିଏ ଯାଇ ଫିଟ୍ନେସ୍ ହାସଲ କରିବେ ।
ଆଇପିଏଲ୍ ତାରକାଙ୍କୁ ଘରେ ସୁଯୋଗ ମିଳିବ
ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳାରେ ସେହି ଖେଳାଳିମାନଙ୍କୁ ସୁଯୋଗ ମିଳିପାରେ ଯେଉଁମାନେ ଆଇପିଏଲ୍ ଭଲ ପ୍ରଦର୍ଶନ କରୁଛନ୍ତି । ମୋଟାମୋଟି ଭାବରେ ଏହି ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ମିଶ୍ରଣ ହେବ । ଶିଖର ଧାବନ୍ଙ୍କୁ ପୁଣି ଥରେ ଶ୍ରୀଲଙ୍କା ଗସ୍ତ ଭଳି ଟିମ୍ର ନେତୃତ୍ୱଭାର ମିଳିପାରେ । ତିଲକ ବର୍ମା, ଉମରାନ ମଲିକ, ଅର୍ଶଦୀପ ସିଂହ, ଋତୁରାଜ ଗାଏକୱାଡ଼, ପ୍ରସିଦ୍ଧ କ୍ରିଷ୍ଣ ଓ ଅଭେଶ ଖାଁଙ୍କ ଭଳି ଯୁବ ତାରକାଙ୍କୁ ଏହି ଟିମ୍ରେ ସାମିଲ୍ କରାଯାଇପାରେ । ଅଭିଜ୍ଞ ଖେଳାଳିମାନଙ୍କ ମଧ୍ୟରେ ଧାବନଙ୍କ ଛଡ଼ା ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାରଙ୍କ ନାମ ସବୁଠାରୁ ଉପରେ ଅଛି । ଚୟନ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ଫିଟ୍ନେସ୍ ରିପୋର୍ଟକୁ ଅପେକ୍ଷା କରାଯିବ, ଯିଏକି ଆଘାତ ଯୋଗୁଁ ଚଳିତ ଆଇପିଏଲ୍ରୁ ବାଦ୍ ପଡ଼ିଛନ୍ତି ।
ଆୟରଲାଣ୍ଡ ଯିବ ଦ୍ୱିତୀୟ ଟିମ୍!
ଏଭଳି ସମ୍ଭାବନା ଅଛି ଯେ ଦକ୍ଷିଣ ଆଫ୍ରିକା ସହ ଖେଳିବାକୁ ଥିବା ଟିମ୍ ଆୟରଲାଣ୍ଡ ବିପକ୍ଷରେ ଜୁନ୍ ୨୬ ଓ ୨୮ରେ ହେବାକୁ ଥିବା ଦୁଇ ମ୍ୟାଚ୍ର ଟି-୨୦ ଶୃଙ୍ଖଳା ପାଇଁ ଡବଲିନ୍ ଯାତ୍ରା କରିବ ଯେତେବେଳେକି ବରିଷ୍ଠ ଖେଳାଳି ଇଂଲଣ୍ଡ ଗସ୍ତ ପାଇଁ ନିଜକୁ ପ୍ରସ୍ତୁତ କରିବେ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ସହିତ ଜୁଲାଇ ୧ରୁ ୫ ଯାଏଁ ହେବାକୁ ଥିବା ବର୍ମିଂହାମ୍ ଟେଷ୍ଟ ପୂର୍ବରୁ ଅଭ୍ୟାସ ମ୍ୟାଚ୍ ଆୟୋଜନ କରିବା ପାଇଁ କଥାବାର୍ତ୍ତା ଚାଲିଛି । ପୂରା ଯୋଜନାରେ ଏବେ ଚୂଡ଼ାନ୍ତ ମୋହର ବାଜିବା ବାକି ଅଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *