ଦୋଷ ଦେଲେ ଲାଭ ନାହିଁ
ଭାରତକୁ ସମର୍ଥନ ଦେଲା ଚୀନ୍
ନୂଆଦିଲ୍ଲୀ(ଏଜେନ୍ସି): ଗହମ ରପ୍ତାନୀ ଉପରେ ଭାରତର ପ୍ରତିବନ୍ଧକ ପରେ ୟୁରୋପୀୟ ବଜାରରେ ଗହମର ମୂଲ୍ୟ ଆକାଶ ଛୁଆଁ ହୋଇଛି । ପ୍ରାୟ ୬ଠ% ପର୍ଯ୍ୟନ୍ତ ଗହମ ମୂଲ୍ୟ ବୃଦ୍ଧି ପାଇଛି । ଫଳରେ ଗହମଜାତ ଅନ୍ୟ ଖାଦ୍ୟ ସାମଗ୍ରୀ ମୂଲ୍ୟ ମଧ୍ୟ ଅହେତୁକ ଭାବେ ବଢ଼ିଯାଇଛି । ଏହାକୁ ନେଇ ଜି-୭ ଗୋଷ୍ଠୀ ସଦସ୍ୟ ରାଷ୍ଟ୍ର ଭାରତ ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଭାରତକୁ ସମର୍ଥନ ଦେଇଛି ଚୀନ୍ । ଚୀନ୍ କହିଛି, ଭାରତକୁ ଦୋଷ ଦେଲେ ବିଶ୍ୱ ଖାଦ୍ୟ ସଂକଟ (ଗ୍ଲୋବାଲ ଫୁଡ୍ ସର୍ଟେଜ୍)ଜନିତ ସମସ୍ୟାର ସମାଧାନ ହେବ ନାହିଁ । ନିଜକୁ ବିକାଶଶୀଳ ରାଷ୍ଟ୍ର ଦାବି କରୁଥିବା ଦେଶଗୁଡ଼ିକ ଏହି ସମସ୍ୟାର ସମାଧାନ ଦିଗରେ ଚିନ୍ତା କରିବା ଉଚିତ୍ ହେବ ।
ପ୍ରକାଶ ଦୁଇଦିନ ପୂର୍ବେ ଭାରତ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସମୟରେ ଗହମ ରପ୍ତାନୀ ଉପରେ ରୋକ୍ ଲଗାଇଦିଆଯାଇଥିଲା । ଏହାକୁ ନେଇ ଜି-୭ ସଦସ୍ୟ ରାଷ୍ଟ୍ରମାନେ ଆଲୋଚନା କରିଥିଲେ ଏବଂ ମିଳିତ ଭାବେ ଭାରତକୁ ଦୋଷାରୋପ କରିଥିଲେ । ତେବେ ଚୀନ୍ ନିଜ ଆଡୁ ଭାରତ ସମର୍ଥନରେ ପ୍ରତିକ୍ରିୟା ରଖିଛି । ସରକାରୀ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ଏକ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ବର୍ତ୍ତମାନ ସମୟରେ ଜି-୭ର କୃଷି ମନ୍ତ୍ରୀମାନେ ଏବେ ଭାରତକୁ ଗହମ ରପ୍ତାନୀ ଉପରେ ରୋକ୍ ନ ଲଗାଇବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଜି-୭ ରାଷ୍ଟ୍ର ସମୂହ ନିଜ ରପ୍ତାନୀ ସାମଗ୍ରୀ ଉପରେ ଲାଭ ରଖିବା ସହ ଖାଦ୍ୟ ବଜାର ଯୋଗାଣକୁ ସ୍ଥିର ରଖିବା ଦିଗରେ ଆପଣାଛାଏ କ’ଣ ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି? ଭାରତର ବର୍ତ୍ତମାନ ସମୟରେ ଗହମ ରପ୍ତାନୀ ବନ୍ଦ କରିବା ନିଷ୍ପତ୍ତି ଯୁକ୍ତିଯୁକ୍ତ ଏବଂ ସମୟପୋଯୋଗୀ ବୋଲି ଚୀନ୍ କହିଛି ।
ପ୍ରକାଶ, ରୁଷ୍, ୟୁକ୍ରେନ୍ ପରେ ଭାରତ ତୃତୀୟ ଗହମ ଉତ୍ପାଦନକାରୀ ଦେଶ ହୋଇଥିଲେ ମଧ୍ୟ ବିଶ୍ୱ ଗହମ ରପ୍ତାନୀ କ୍ଷେତ୍ରରେ ଭାରତର ଭାଗିଦାରୀ ସାମାନ୍ୟ ରହିଛି । ଅନ୍ୟପକ୍ଷେ ରୁଷ୍, ୟୁକ୍ରେନ୍, ୟୁରୋପୀୟ ସଂଘ, ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ସମେତ କେତେକ ବିକଶିତ ଅର୍ଥବ୍ୟବସ୍ଥା (ରାଷ୍ଟ୍ର ସମୂହ) ବିଶ୍ୱ ଗହମ ରପ୍ତାନୀ କ୍ଷେତ୍ରରେ ପ୍ରମୁଖ ଭାଗିଦାରୀ ରହିଆସିଛନ୍ତି । ଅର୍ଥାତ୍ ଯଦି ଏସବୁ ଦେଶଗୁଡ଼ିକ ଗହମ ରପ୍ତାନୀ ପରିମାଣରେ ସାମାନ୍ୟ ବୃଦ୍ଧି କରିବେ ତେବେ ବିଶ୍ୱକୁ ଗହମ ପାଇଁ ଭାରତ ଉପରେ ଏତେମାତ୍ରାରେ ଆଶି୍ରତ ହେବାକୁ ପଡିବନି ବୋଲି ଗ୍ଲୋବାଲ୍ ଟାଇମ୍ସ ଦର୍ଶାଇଛି । ଭାରତ ସରକାର ସମ୍ପ୍ରତି ନିଜ ଦେଶରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା କିଛି ଭୁୂଲ୍ ନିଷ୍ପତ୍ତି ନୁହେଁ ବୋଲି ଚୀନ୍ର ଏହି ସରକାରୀ ମୁଖପତ୍ର ଦର୍ଶାଇଛି ।
ସୂଚନାଯୋଗ୍ୟ, ଭାରତ ସରକାର ଯଦି ବର୍ତ୍ତମାନ ସମୟରେ ଗହମ ରପ୍ତାନୀ ଉପରେ ରୋକ୍ ଲଗାଇ ନ ଥାନ୍ତେ, ତେବେ ୨ଠଠ୬-ଠ୭ ବର୍ଷ ଭଳି ପରିସ୍ଥିତି ଦେଖାଦେଇଥାନ୍ତା । ୨ଠଠ୬-ଠ୭ରେ ଭାରତକୁ ପ୍ରାୟ ଦେଢ଼ଗୁଣ ଅଧିକ ଦାମ୍ରେ ଅନ୍ୟ ଦେଶରୁ ଗହମ ଆମଦାନୀ କରିବାକୁ ପଡ଼ିଥିଲା । ସମ୍ପ୍ରତି ଭାରତରେ ଗହମ କ୍ୱିଣ୍ଟାଲ ପ୍ରତି ପ୍ରାୟ ୨୩ଠଠ ଟଙ୍କା ରହିଥିବା ବେଳେ ଯଦି ରୋକ୍ ଲଗାଯାଇନଥାନ୍ତା ତେବେ ଏହା କ୍ୱିଣ୍ଟାଲ ପିଛା ୩ଠଠଠ ଟଙ୍କା ହେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିଲା । ସମ୍ପ୍ରତି ଦେଶରେ ଗହମର ଅଭାବ ନଥିବା ସତ୍ତ୍ୱେ କିଗ୍ରା ପ୍ରତି ମୂଲ୍ୟ ବୃଦ୍ଧି ପାଇଛି, ଯଦି ଗହମର ଅଭାବ ପରିଲକ୍ଷିତ ହୋଇଥାନ୍ତା ତେବେ ପରିସ୍ଥିତି କ’ଣ ହୋଇଥାନ୍ତା ତାହା କେବଳ ବିଚାରସାପେକ୍ଷ । ଏତଦ୍ବ୍ୟତୀତ ଗହମ ରପ୍ତାନୀ ରୋକିବା ଦ୍ୱାରା ଆଉ କିଛି ଲାଭ ମଧ୍ୟ ମିଳିଛି । ଯେପରିକି ବର୍ତ୍ତମାନ ସମୟରେ ଦେଶରେ ବ୍ରେଡ୍, ବିସ୍କୁଟ୍ ତଥା ଗହମଜାତ ଖାଦ୍ୟ ସାମଗ୍ରୀ ମୂଲ୍ୟ ଅନ୍ତତଃ ପକ୍ଷେ ସ୍ଥିର ରହିବା ଆଶା କରାଯାଉଛି ।