ଏଲ୍ଏସିକୁ ଗଲେ ୬ ଡିଭିଜନ ଯବାନ
ନୂଆଦିଲ୍ଲୀ, ୧୫ା୫: ଭାରତୀୟ ସ୍ଥଳ ସେନାର ନୂଆ ଅଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ ନିକଟରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି) ପ୍ରସଙ୍ଗରେ ଚୀନ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ସେଠାରେ କୌଣସିି ପ୍ରକାର ଉପଦ୍ରବକୁ ବରଦାସ୍ତ କରାଯିବ ନାହିଁ । ଏହି ପରିପ୍ରେକ୍ଷୀରେ ଭାରତୀୟ ସେନା ପକ୍ଷରୁ ଲଦାଖ ସେକ୍ଟରରେ ମୁତୟନ ଥିବା ଯବାନମାନଙ୍କ ମଧ୍ୟରୁ ୬ ଡିଭିଜନ ଯବାନଙ୍କୁ ଏଲ୍ଏସି ନିକଟକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ପ୍ରକ୍ରିୟା ୨ ବର୍ଷରୁ ଅଧିକ କାଳ ହେଲା ଜାରି ରହିଛି । ଏ ପର୍ଯ୍ୟନ୍ତ ଚୀନ୍ ସୀମାରେ ୩୫ ହଜାର ଯବାନ ମୁତୟନ ହେଲେଣି ।
ଏଲ୍ଏସିକୁ ସ୍ଥାନାନ୍ତରିତ ପ୍ରାୟ ୩୫ ହଜାର ସୈନିକଙ୍କ ମଧ୍ୟରୁ କେତେକ ସୈନିକ ଆତଙ୍କବାଦ ବିରୋଧୀ ଭୂମିକାରେ ସକ୍ରିୟ ଥିଲେ । ରାଷ୍ଟ୍ରୀୟ ରାଇଫଲ୍ସର ଏକ ଡିଭିଜନକୁ ମଧ୍ୟ ଜମ୍ମୁ-କଶ୍ମୀରରୁ ପ୍ରତ୍ୟାହାର କରିଆଣି ପୂର୍ବ ଲଦାଖ ସେକ୍ଟରରେ ମୁତୟନ କରାଯାଇଛି । ସେହିପରି ତେଜପୁରସ୍ଥିତ ଗଜରାଜ କୋର୍ର ଏକ ଗୋଟିଏ ଡିଭିଜନକୁ ଉଗ୍ରବାଦ ଭୂମିକାରୁ ହଟାଇ ପୂର୍ବୋତ୍ତର ଇଲାକାର ଚୀନ୍ ସୀମାରେ ମୁତୟନ କରାଯାଇଛି ।
ନିକଟରେ ଏଲ୍ଏସି ସ୍ଥିତ ଭାରତୀୟ ସେନା ପୋଷ୍ଟଗୁଡ଼ିକର ଅନତିଦୂରରେ ଚୀନ୍ ପକ୍ଷରୁ ବିପୁଳ ସୈନ୍ୟ ସମାବେଶ ପୂର୍ବକ ଯଥାସ୍ଥିତିରେ ଏକତରଫା ପରିବର୍ତ୍ତନ ପ୍ରୟାସ କରାଯିବାରୁ ଭାରତ ପକ୍ଷରୁ ଏ ଭଳି ପଦକ୍ଷେପ ନିଆଯାଇଛି । ସାମରିକ ବିଶେଷଜ୍ଞମାନଙ୍କ ମତରେ ଚୀନ୍ ଏପରି ହରକତ୍ କରୁଥିବା ଦୃଷ୍ଟିରୁ ପାକିସ୍ତାନ ସୀମା ଅପେକ୍ଷା ଚୀନ୍ ସୀମାରେ ଭାରତ ପ୍ରତି ଅଧିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।