ପୁତିନ୍ଙ୍କୁ ବ୍ଲଡ୍ କ୍ୟାନ୍ସର
ଗାଦିଚୁ୍ୟତ କରିବାକୁ ବିରୋଧୀ ଗୋଷ୍ଠୀଙ୍କ ଷଡ଼ଯନ୍ତ୍ର
ମସ୍କୋ (ଏଜେନ୍ସି): ବିଶ୍ୱର ଅନ୍ୟତମ ଟାଣୁଆ ନେତା ଭାବେ ଖ୍ୟାତ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୁତିନ୍ ସମ୍ପ୍ରତି ବ୍ଲଡ୍ କ୍ୟାନ୍ସର ବା ରକ୍ତ କର୍କଟ ରୋଗରେ ପୀଡିତ ହୋଇପଡିଛନ୍ତି । ସେ ଶାରୀରିକ ସ୍ତରରେ ଦୁର୍ବଳ ହୋଇପଡିଛନ୍ତି । ଗତ ୯ତାରିଖରେ ରୁଷ୍ ଯେତେବେଳେ ନିଜର ୭୭ତମ ବିଜୟ ଦିବସ ପାଳନ କରୁଥିଲା ସେତେବେଳେ ପୁତିନ୍ ସେନା ପ୍ୟାରେଡ୍ରେ ସାମିଲ ହୋଇଥିବା ବେଳେ ସାମାନ୍ୟ ଦୁର୍ବଳ ଜଣାପଡୁଥିଲେ । ପୁତିନ୍ଙ୍କୁ ସେଦିନ ନିଜ ପାଖରେ ଏକ କମ୍ବଳ ରଖିଥିବା ଏବଂ କାଶୁଥିବାର ଦେଖିବାକୁ ମିଳିଥିଲା, ଯାହାକି ସମଗ୍ର ବିଶ୍ୱ ଗଣମାଧ୍ୟମ ବେଶ୍ ଭଲଭାବେ ଦୃଶ୍ୟାୟନ କରିଥିଲା । ଜଣେ ପୂର୍ବତନ ବ୍ରିଟିଶ ଗୁଇନ୍ଦା ଅଧିକାରୀଙ୍କ ସୂଚନାକୁ ଆଧାର କରି ପୁତିନ୍ଙ୍କ ଜଣେ ନିକଟତମ ତଥା ବିଶ୍ୱସ୍ତ ନେତା (ରୁଷୀୟ) ଏପରି କହିଛନ୍ତି ।
ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ଏହି ରୁଷୀୟ ନେତା କହିଛନ୍ତି, କେବଳ ସେ ନୁହଁନ୍ତି ବରଂ ସମଗ୍ର ବିଶ୍ୱ ଏବେ ଚାହୁଁଛି ପୁତିନ୍ଙ୍କ ଦେହାନ୍ତ ହୋଇଯିବା ଉଚିତ୍ । ନିଜ ମହତ୍ୱାକାଂକ୍ଷୀ ମାନସିକତା ପାଇଁ ସମଗ୍ର ବିଶ୍ୱକୁ ଯୁଦ୍ଧ ବିଭୀଷିକା ମଧ୍ୟକୁ ଠେଲିଦେଇଥିବା ନେତାଙ୍କ ବଞ୍ଚôବାର କୌଣସି ଅଧିକାର ନାହିଁ । ୟୁକ୍ରେନ୍ ଉପରେ ଆକ୍ରମଣ କରିବା ନିଷ୍ପତ୍ତି ସମଗ୍ର ରୁଷ୍ର ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛି, ବିକାଶ ହାରକୁ ଦଶନ୍ଧି ଦଶନ୍ଧି ପଛକୁ ଠେଲିଦେଇଛି । ଏଥିପାଇଁ ରୁଷ୍ବାସୀ ତାଙ୍କୁ କଦାପି କ୍ଷମା କରିବେ ନାହିଁ । କିଛି ଦିନ ପୂର୍ବେ ୟୁକ୍ରେନ୍ର ଜଣେ ବରିଷ୍ଠ ସାମରିକ ଅଧିକାରୀ ମଧ୍ୟ କହିଥିଲେ ଯେ, ପୁତିନ୍ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ମାନସିକ ସ୍ତରରେ ଏବଂ ଶାରୀରିକ ସ୍ତରରେ ପୁତିନ୍ ଅନେକାଂଶରେ ଦୁର୍ବଳ ହୋଇପଡିଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ପୁତିନ୍ଙ୍କୁ ଏବେ ରାଷ୍ଟ୍ରପତି ଆସନରୁ ଗାଦିଚୁ୍ୟତ କରିବାକୁ ତାଙ୍କ ବିରୋଧୀ ଗୋଷ୍ଠୀମାନେ ଷଡଯନ୍ତ୍ର ଆରମ୍ଭ କରିଦେଇଥିବା ସମ୍ପର୍କରେ ମଧ୍ୟ ଜଣାପଡିଛି । ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଏହି କାର୍ଯ୍ୟକୁ ବାସ୍ତବ ରୂପ ଦିଆଯିବା ପାଇଁ ସବୁପ୍ରକାର ରଣନୀତି ପ୍ରସ୍ତୁୂତ କରାଯାଉଛି । ଦେଶର କିଛି ଦାୟିତ୍ୱସମ୍ପନ୍ନ ପୂର୍ବତନ ଜେନେରାଲ ଏବଂ ବରିଷ୍ଠ ରାଜନେତା ରୁଷ୍ର ଭବିଷ୍ୟତ ପାଇଁ ପୁତିନ୍ଙ୍କ କାର୍ଯ୍ୟଶୈଳୀ ବିପଦ ସାଜିବ ବୋଲି ଆଶଙ୍କା କରୁଛନ୍ତି । ଅନ୍ୟପକ୍ଷେ ୟୁକ୍ରେନ୍ ଉପରେ ଆକ୍ରମଣ ଦ୍ୱାରା କେବଳ ରୁଷ୍ର ହିଁ କ୍ଷତି ହୋଇଥିବା ସେମାନେ ଅନୁୂଭବ କରୁଛନ୍ତି । ୟୁକ୍ରେନ୍ର ହୋଇଥିବା କ୍ଷୟକ୍ଷତି, ରୁଷ୍ର କ୍ଷତି ତୁଳନାରେ ନଗଣ୍ୟ ବୋଲି ଏମାନେ କହିଛନ୍ତି । ସେହିପରି ୟୁକ୍ରେନ୍ର ଗୁପ୍ତଚର ମୁଖ୍ୟ ମେଜର ଜେନେରାଲ କିରିଲୋ ବୁଦାନୋଭ୍ ଏସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଚଳିତବର୍ଷ ରୁଷ୍ରେ ଏକ ବଡ଼ ପରିବର୍ତ୍ତନ ଆସିବ, ଯାହାକି ସମଗ୍ର ବିଶ୍ୱ ପାଇଁ ଏହା ମଙ୍ଗଳକାରୀ ସାବ୍ୟସ୍ତ ହେବ । ଅଗଷ୍ଟ ଦ୍ୱିତୀୟ ଭାଗ ବେଳକୁ ପୁତିନ୍ କ୍ଷମତାଚୁ୍ୟତ ହୋଇସାରିଥିବେ । ନିଜ ଜୀବଦଶା ପର୍ଯ୍ୟନ୍ତ ରୁଷ୍ର ରାଷ୍ଟ୍ରପତି ଭାବେ ରହିବା ନେଇ ଆଇନ ପ୍ରଣୟନ କରିଥିବା ପୁତିନ୍କୁ କ୍ରେମଲିନ୍ରୁ ହଟାଇ ଦିଆଯିବ ।