ଦେଶରେ ୨ଠ ଲକ୍ଷ ମନ୍ଦିର, ୭ ଲକ୍ଷ ମସଜିଦ
ନୂଆଦିଲ୍ଲୀ, ୧୫ା୫: ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ହିନ୍ଦୁଙ୍କ ସଂଖ୍ୟା ୯୬ କୋଟି, ମୁସଲିମ୍ ଜନସଂଖ୍ୟା ୧୭ କୋଟି । ୯୬ କୋଟି ହିନ୍ଦୁଙ୍କ ପାଇଁ ୨୦ ଲକ୍ଷରୁ ଅଧିକ ମନ୍ଦିର ଥିବା ସ୍ଥଳେ । ୧୭ କୋଟି ମୁସଲିମ୍ଙ୍କ ପାଇଁ ଅଛି ୭ ଲକ୍ଷାଧିକ ମସଜିଦ ।
ଦେଶରେ ଏବେ ଠିକ୍ କେତେ ସଂଖ୍ୟକ ଧାର୍ମିକ ସ୍ଥଳ ଅଛି ତାହାର ସରକାରୀ ହିସାବ ନାହିଁ । ତେବେ ଭିନ୍ନ ଭିନ୍ନ ଡାଟା ରିସର୍ଚ୍ଚ କମ୍ପାନୀ ମନ୍ଦିର ଓ ମସଜିଦର ମୋଟ ସଂଖ୍ୟା ଆକଳନ କରିଛନ୍ତି । ଟ୍ରାଭଲ ଟ୍ରାଙ୍ଗଲର ଏକ ରିପୋର୍ଟ ଅନୁଯାୟୀ ଭାରତରେ ୯୬ କୋଟି ହିନ୍ଦୁଙ୍କ ପାଇଁ ଅଛି ୨୦ ଲକ୍ଷରୁ ଅଧିକ ମନ୍ଦିର । ସବୁଠୁ ବେଶୀ ମନ୍ଦିର ଅଛି ତାମିଲନାଡୁରେ । ଏହି ରାଜ୍ୟର ମନ୍ଦିର ସଂଖ୍ୟା ପ୍ରାୟ ୩ ଲକ୍ଷ ।
ମନ୍ଦିର ଭଳି ମସ୍ଜିଦ୍ ସମ୍ପର୍କରେ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ସଂଖ୍ୟା ଜାରି କରାଯାଇନାହିଁ । ବିଭିନ୍ନ ଡାଟା ରିସର୍ଚ୍ଚ କମ୍ପାନୀ ଏ ସମ୍ପର୍କରେ ଭିନ୍ନ ଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଫାଇଣ୍ଡିଂ ଡାଟାର ଏକ ରିପୋର୍ଟ ଅନୁଯାୟୀ ଭାରତରେ ଏବେ ପ୍ରାୟ ୭ ଲକ୍ଷ ମନ୍ଦିର ଅଛି ।
ଭାରତକୁ ମନ୍ଦିର ମାଳିନୀ ଦେଶ କୁହାଯାଇଥାଏ, କିନ୍ତୁ ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ, ଦୁନିଆର ସବୁଠାରୁ ବଡ଼ ମନ୍ଦିର ଭାରତରେ ନାହିଁ, ଅଛି କାମ୍ବୋଡ଼ିଆରେ । କାମ୍ବୋଡ଼ିଆର ଅଙ୍ଗକୋରୱାଟ ଠାରେ ଭଗବାନ ବିଷ୍ଣୁଙ୍କ ବିଶାଳ ମନ୍ଦିର ଅଛି । ସିମରିପ ସହରରେ ମିକାଙ୍ଗ ନଦୀ ତଟରେ ଶହ ଶହ ଏକର ପରିସରରେ ନିର୍ମିତ ଏହି ମନ୍ଦିର ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି । ପୃଥିବୀର ଦ୍ୱିତୀୟ ବୃହତ୍ତମ ମନ୍ଦିର ଅଛି ଦିଲ୍ଲୀରେ । କମନ୍ୱେଲ୍ଥ କ୍ରୀଡ଼ାଗ୍ରାମ ନିକଟରେ ୧୦୦ ଏକର ଜମିରେ ତୋଳାଯାଇଛି ସ୍ୱାମୀ ନାରାୟଣ ମନ୍ଦିର । ଏହାକୁ ମଧ୍ୟ ଅକ୍ଷରଧାମ ମନ୍ଦିର କୁହାଯାଏ । ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିବା ଅକ୍ଷରଧାମ ମନ୍ଦିରରେ ୧୦ ହଜାର ବର୍ଷର ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଓ ବାସ୍ତୁକଳା ପ୍ରଦର୍ଶିତ ହୋଇଛି । ପୃଥିବୀର ବୃହତ୍ତମ ମସଜିଦ ମଧ୍ୟ ଭାରତରେ ନାହିଁ । ସାଉଦିଆରବ ସ୍ଥିତ ମସଜିଦ-ଅଲ-ହରମକୁ ଦୁନିଆର ସବୁଠୁ ବଡ଼ ମସଜିଦ ମାନ୍ୟତା ମିଳିଛି । ଏହାକୁ ମଧ୍ୟ ମକ୍କା କୁହାଯାଏ ।