ଅକ୍ଟୋବର ୨ରୁ ‘ଭାରତ ଯୋଡ଼ୋ’ ଯାତ୍ରା
ସରିଲା ଚିନ୍ତନ ଶିବିର…ଉତ୍ସାହରେ କଂଗ୍ରେସ ଭରପୂର
ଜୟପୁର(ଏଜେନ୍ସି): ରାଜସ୍ଥାନର ଉଦୟପୁରରେ ଆୟୋଜିତ ହୋଇଥିବା କଂଗ୍ରେସର ୩ଦିନିଆ ଚିନ୍ତନ ଶିବିର ରବିବାର ଦିନ ଶେଷ ହୋଇଛି । ଶେଷ ଦିନରେ ଦଳର ଜାତୀୟ ସଭାପତି ସୋନିଆ ଗାନ୍ଧୀ ନେତାମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଆସନ୍ତା ଅକ୍ଟୋବର ୨ ଅର୍ଥାତ୍ ଗାନ୍ଧୀ ଜୟନ୍ତୀ ଠାରୁ କଂଗ୍ରେସ ଦେଶବ୍ୟାପୀ ଅର୍ଥାତ୍ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି । ଏଥିରେ ଦଳର ସମସ୍ତ ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି ଯୁବ ନେତା, ନେତ୍ରୀ ଏବଂ କର୍ମୀମାନେ ଅଂଶଗ୍ରହଣ କରିବେ । ମୋଦି ସରକାରଙ୍କ ଜାତି, ଧର୍ମ ଆଳରେ ବିଭାଜନ ନୀତି ବିରୋଧରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ସାମ୍ପ୍ରଦାୟିକ ସମନ୍ୱୟ ରକ୍ଷା କରିବାରେ ସାହାଯ୍ୟ କରିବ ବୋଲି ସୋନିଆ କହିଛନ୍ତି । ଏହା ବ୍ୟତୀତ ଜିଲ୍ଲାସ୍ତରରେ ମଧ୍ୟ ଜନସଚେତନତା ଅଭିଯାନ ଆରମ୍ଭ କରାଯିବ । ଏହି ଯାତ୍ରାରେ ଯୋଗଦେବା ପାଇଁ ସେ ସମସ୍ତ ଶ୍ରମିକଙ୍କୁ ନିବେଦନ କରିଛନ୍ତି । ସୋନିଆ ନିଜ ସମ୍ବୋଧନରେ ଉଦୟପୁରର ଚିନ୍ତନ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୨ଠ୨୪ ଲୋକସଭା ନିର୍ବାଚନ ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ । ‘ଆମେ ପୁଣି ଫେରିବା’ କଂଗ୍ରେସର ନୂଆ ସଂକଳ୍ପ ହେବ ବୋଲି ସୋନିଆ ନାରା ଦେଇଛନ୍ତି ।
ସୋନିଆଙ୍କ ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ଦଳର ନେତାମାନଙ୍କୁ ସମ୍ବୋଧିତ କରିଥିଲେ । ସେ ନିଜ ଭାଷଣରେ ବିଜେପି ଏବଂ ଆରଏସ୍ଏସ୍ ଉପରେ ବିଷୋଦ୍ଗାର କରିଥିଲେ । ଏଥିସହ ଆଞ୍ଚଳିକ ଦଳଙ୍କ ପାଇଁ ବିଜେପିକୁ ହରାଇବା ସମ୍ଭବ ନୁହେଁ ବୋଲି ମଧ୍ୟ ରାହୁଲ କହିଛନ୍ତି । ରାହୁଲଙ୍କ କହିବାନୁସାରେ ମୋଦି ସରକାର ଦେଶର ଯୁବବର୍ଗଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି । ସଂଖ୍ୟାଲଘୁଙ୍କ ପାଇଁ ବିଜେପି ସରକାର ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ଏବଂ ସେମାନଙ୍କ ସମସ୍ୟା ଓ ଅଧିକାର ପ୍ରତି ଉଦାସୀନ ନୀତି ଗ୍ରହଣ କରିଛି ବୋଲି ରାହୁଲ କହିଛନ୍ତି । ଅକ୍ଟୋବର ୨ରୁ କଂଗ୍ରେସର ପ୍ରତ୍ୟେକ ନେତା, କର୍ମୀ ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବୁଝିବେ । ଜନସାଧାରଣଙ୍କ ସହ କଂଗ୍ରେସର ତୁଟିଯାଇଥିବା ସମ୍ପର୍କ ଏବଂ ବିଶ୍ୱାସକୁ ପୁଣିଥରେ ଯୋଡ଼ିବାକୁ ହେବ । ଏହି ଅବସରରେ ସେ ବେକାରୀ, ବର୍ଦ୍ଧିତ ମୁଦ୍ରାସ୍ଫୀତି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ଭାରତ ଯୋଡୋ ଅଭିଯାନରେ ଦଳ ବିଜେପି ସରକାରର ସବୁ ବିଫଳ ନୀତିଗୁଡ଼ିକୁ ପ୍ରମୁଖ ପ୍ରସଙ୍ଗ କରିବ ବୋଲିଚଂଗ୍ରେସ ନିଷ୍ପତ୍ତି ନେଇଛି ।
କଂଗ୍ରେସର ଏହି ୩ ଦିନିଆ ଚିନ୍ତନ ଶିବିର ଅବସରରେ ଦଳର ସବୁଠୁ ବଡ଼ ଚିନ୍ତା ସାଜିଥିବା ଜି-୨୩ (ବିଦ୍ରୋହୀ ନେତା ସମୂହ) ବିବାଦ ତୁଟିଥିବା ସମ୍ପର୍କରେ ସୂଚନା ମିଳିଛି । ଦଳର ବରିଷ୍ଠ ନେତାମାନେ କଂଗ୍ରେସର ନୂଆ ନୀତିରେ ସହମତ ହୋଇଛନ୍ତି । କେବଳ ସେତିକି ନୁହେଁ, କଂଗ୍ରେସ ୨ଠ୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି । ଦଳ ସାଙ୍ଗଠନିକସ୍ତରେ କିପରି ପୁଣିଥରେ ମଜବୁତ୍ ହେବ, ଜନତାଙ୍କ ବିଶ୍ୱାସଭାଜନ ହୋଇପାରିବ ସେନେଇ ଚିନ୍ତନ ଶିବିରରେ ଅନେକ ପ୍ରସ୍ତାବ ପାରିତ ହୋଇଛି । ଚିନ୍ତନ ଶିବିରର ଅନ୍ତିମ ଦିବସରେ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁ୍ୟସି) ବୈଠକ ବସିଥିବା ଏବଂ ଅନେକ ପ୍ରସ୍ତାବକୁ ଅନୁମୋଦନ କରିଥିବା ଜାଣିବାକୁ ମିଳିଛି । ସାଂଗଠନିକ, ରାଜନୈତିକ, ଅର୍ଥନୈତିକ, କୃଷି, ସାମାଜିକ ନ୍ୟାୟ ଏବଂ ଯୁବ ସମ୍ବନ୍ଧୀୟ ପ୍ରସଙ୍ଗରେ ପରାମର୍ଶ ଉଦେ୍ଦଶ୍ୟରେ ଗଠିତ ଉତ୍ସର୍ଗୀକୃତ ପ୍ୟାନେଲଗୁଡିକ ସୋନିଆଙ୍କୁ ନିଜ ନିଜ ରିପୋର୍ଟ ଦାଖଲ କରିଥିଲେ, ଯାହା ଉପରେ ସିଡବ୍ଲୁ୍ୟସିରେ ଆଲୋଚନା ହୋଇଥିଲା । ତେବେ ଏହି ଅବସରରେ ଦଳକୁ ପଣ୍ଡିଂ ପରିମାଣ ହ୍ରାସ ପାଇଥିବା ଏବଂ ଏହାକୁ କିପରି ବୃଦ୍ଧି କରାଯିବ ସେନେଇ ମଧ୍ୟ ବରିଷ୍ଠ ନେତାମାନେ ଗୁୂରୁତ୍ୱାରୋପ କରିଥିବା ଜଣାପଡିଛି ।