ଭାଗଚାଷୀଙ୍କ କ୍ଷତିପୂରଣ ଦେଉନି ଆଇଆର୍ଇ
୪୦ବର୍ଷ ଧରି ରକ୍ଷଣାବେକ୍ଷଣ କରି ଆସୁଥିଲେ
ଛତ୍ରପୁର (ଆପ୍ର): ୪୦ବର୍ଷ ଧରି ୯୦ ଏକରରୁ ଊଦ୍ଧ୍ୱର୍ ଜମିରେ କାଜୁ, ଝାଉଁ ଓ କିଆଁ ଜଙ୍ଗଲ ତୋଟାର ରକ୍ଷଣାବେକ୍ଷଣ କରି ଆସୁଥିବା ରୟିତମାନଙ୍କୁ ମାଇନିଙ୍ଗ ବେଳେ କ୍ଷତିପୂରଣ ଦେବାକୁ ଆଇଆରଇ(ଭାରତୀୟ ବିରଳ ମୃତ୍ତିକା) କୁଣ୍ଠାବୋଧ କରୁଛି ବୋଲି ସାନ ଆର୍ଜିପଲ୍ଲୀ ଗ୍ରାମର ଭାଗଚାଷୀ ବା ରୟିତମାନେ ଆଇଆରଇଏଲ୍ ଓ ଜମି ମାଲିକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।
ସାନ ଆର୍ଜିପଲ୍ଲୀ ଗ୍ରାମର ଭାଗଚାଷୀ ଡ଼ି.ଏରାମ୍ମା, ଜେ.ସତ୍ୟାମ୍ମା, ଜେ.ପୋଲ୍ଲାମ୍ମା, ଏନ୍. ଏରାମ୍ମା ଓ ଏନ୍./ ସତ୍ୟାମ୍ମା ଦୀର୍ଘ ୩୦ରୁ ୪୦ବର୍ଷ ହେଲାଣି ଆଇଆରଇ କମ୍ପାନୀ ଦ୍ୱାରା ଖନନ ହେବାକୁ ଥିବା ୯୦ ଏକରରୁ ଊଦ୍ଧ୍ୱର୍ ଜମିରେ ଗଛ ଲଗାଇବା ଠାରୁ ବଡ଼ କରିବା ପର୍ଯ୍ୟନ୍ତ ସମସ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇ ପରିବାର ପ୍ରତିପୋଷଣ କରି ଆସୁଥିଲେ । ଏବେ କିନ୍ତୁ ଜମି ମାଇନିଙ୍ଗ ହେବାକୁ ଯାଉଛି । ଯାହା ଦ୍ୱାରା ଚାଷୀମାନଙ୍କ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହେଉଛି । ରାଜ୍ୟ ସରକାରଙ୍କ ଭୂ-ସଂସ୍କାର ଆଇନ ଅନୁସାରେ ଉକ୍ତ ଭୂମି ଉପରେ ନିର୍ଭରଶୀଳ ଭାଗଚାଷୀଙ୍କୁ କ୍ଷତିପୂରଣ ରାଶି ଦିଆଯିବାର ବ୍ୟବସ୍ଥା ରହିଥିଲେ ସୁଦ୍ଧା ଭାଗଚାଷୀମାନେ ଦୀର୍ଘ ଦିନ ହେଲାଣି ନ୍ୟାୟ ପାଇଁ ଧାଇଁ ଧାଇଁ ନୟାନ୍ତ ହେଲେଣି । ଏ ନେଇ ମ୍ୟାନେଜ୍ମେଣ୍ଟ ଓ ପ୍ରଶାସନ କେହି କର୍ଣ୍ଣପାତ କରୁନାହାନ୍ତି । ଏବେ ଆଇଆରଇ କର୍ତ୍ତୃପକ୍ଷ ସମସ୍ୟାର କୌଣସି ସମାଧାନ ନକରି ପୁଲିସ ଲଗାଇ ଜୋରଜବରଦସ୍ତ ଖନନ କରିବା ପାଇଁ ଚେଷ୍ଟା କରୁଛି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ନ୍ୟାୟ ନ ମିଳିଲେ ମରିବୁ ପଛେ ଆମ ଜମି ଛାଡ଼ିବୁ ନାହିଁ ବୋଲି ଅଭିଯୋଗକାରୀମାନେ ବିଷାଦଗାରା କରିଛନ୍ତି ।