ଅଲ୍ବିଦା ସାଇମଣ୍ଡ୍ସ

କାର୍ ଦୁର୍ଘଟଣାରେ ପ୍ରାଣ ହରାଇଲେ ଅଷ୍ଟ୍ରେଲୀୟ କ୍ରିକେଟର୍
ଦୁଇ ବିଶ୍ୱକପ୍ ବିଜେତା ଟିମ୍ର ସଦସ୍ୟ ଥିଲେ
ଟାଉନ୍ସଭିଲେ, ୧୫ା୫ (ଏଜେନ୍ସି): କ୍ରିକେଟ୍ପ୍ରେମୀଙ୍କ ପାଇଁ ରବିବାର ସକାଳୁ ଏକ ଦୁଃଖଦ ଖବର ଆସିଥିଲା । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଆଣ୍ଡ୍ରୁ ସାଇମଣ୍ଡସ୍ ଏକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଶନିବାର ରାତି ପ୍ରାୟ ୧୦ଟା ୩୦ରେ ଟାଉନ୍ସଭିଲେଠାରେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
କୁଇନ୍ସଲାଣ୍ଡ ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ସହରଠାରୁ ପ୍ରାୟ ୫୦ କିଲୋମିଟର ପଶ୍ଚିମରେ ହର୍ଭେ ରେଞ୍ଜ୍ ରୋଡ୍ଠାରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ରାସ୍ତାରେ ଓଲଟି ପଡ଼ିଥିଲା । ଏହି କାର୍ରେ କେବଳ ଆଣ୍ଡ୍ରୁ ସାଇମଣ୍ଡ୍ସ ଥିଲେ । ଏଲିସ୍ ସେତୁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ହସ୍ପିଟାଲ୍କୁ ନିଆଯାଇଥିଲା । ଡାକ୍ତରମାନଙ୍କ ବହୁ ପ୍ରୟାସ ସତ୍ତ୍ୱେ ତାଙ୍କ ଜୀବନ ବଞ୍ଚାଯାଇ ପାରି ନ ଥିଲା । ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ସେ ପତ୍ନୀ ଲୌରା ଓ ଦୁଇ ପିଲାଙ୍କୁ ଛାଡ଼ି ଯାଇଛନ୍ତି ।
୧୯୭୫ ଜୁନ୍ ୯ରେ ଇଂଲଣ୍ଡର ବର୍ମିଂହାମ୍ଠାରେ ଜନ୍ମଗ୍ରହଣ କରିଥିବା ସାଇମଣ୍ଡ୍ସଙ୍କ ଅକାଳ ବିୟୋଗ ପରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳି ଯାଇଛି । ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍କିପର୍-ବ୍ୟାଟର୍ ଆଦାମ ଗିଲ୍କ୍ରିଷ୍ଟ, ପୂର୍ବତନ ଅଧିନାୟକ ମାର୍କ ଟେଲର୍, ଭାରତର ପୂର୍ବତନ କ୍ରିକେଟର୍ ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ, ପାକିସ୍ତାନର ପୂର୍ବତନ କ୍ରିକେଟର୍ ଶୋଏବ ଅଖତାର ପ୍ରମୁଖ ଅନେକ ପୂର୍ବତନ ଖେଳାଳି ଶୋକବ୍ୟକ୍ତ କରିଛନ୍ତି ।
୧୯୮ ଦିନିକିଆ ଓ ୨୬ ଟେଷ୍ଟ ଖେଳିଥିଲେ
‘ରୟ’ ନାମରେ ପରିଚିତ ସାଇମଣ୍ଡ୍ସଙ୍କ ଆନ୍ତର୍ଜାତିକ କ୍ୟାରିଅର ୧୯୯୮ରୁ ୨୦୦୯ ଯାଏଁ – ଏକ ଦଶନ୍ଧିରୁ ଊଦ୍ଧ୍ୱର୍ କାଳ ପରିବ୍ୟାପ୍ତ ଥିଲା । ଅଷ୍ଟ୍ରେଲିଆର ୨୦୦୩ ଓ ୨୦୦୭ ଦିନିକିଆ ବିଶ୍ୱକପ୍ ବିଜୟୀ ଟିମ୍ର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ ।
ସାଇମଣ୍ଡ୍ସ ୧୯୮ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫୦୮୮ ରନ୍ କରିବା ସହ ୧୩୩ ୱିକେଟ୍ ଅକ୍ତିଆର କରିଥିଲେ । ଏହାଛଡ଼ା ସେ ୨୬ ଟେଷ୍ଟ ଖେଳି ୧୪୬୨ ରନ୍ କରିବା ସହ ୨୪ ୱିକେଟ୍ ନେଇଥିବା ବେଳେ ୧୪ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ରେ ୩୩୭ ରନ୍ କରିବା ସହ ୮ ୱିକେଟ୍ ପାଇଥିଲେ । ଦିନିକିଆରେ ସେ ଛଅ ଶତକ ଓ ୩୦ ଅର୍ଦ୍ଧଶତକ ଲଗାଇଥିଲେ । ଏହି ଫର୍ମାଟ୍ରେ ତାଙ୍କର ସର୍ବୋଚ୍ଚ ସ୍କୋର୍ ଥିଲା ୧୫୬ ରନ୍ । ଟେଷ୍ଟରେ ସେ ଦୁଇ ଶତକ ଓ ୧୦ ଅର୍ଦ୍ଧଶତକ ମାରିଥିଲେ । ଏଥିରେ ଅପରାଜିତ ୧୬୨ ତାଙ୍କ ସର୍ବୋଚ୍ଚ ସ୍କୋର୍ ଥିଲା । ସେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ ଡେକାନ୍ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ । ଏହାଛଡ଼ା ଇଂଲିଶ୍ କାଉଣ୍ଟି ଚାମ୍ପିଅନ୍ସିପ୍ରେ ଗ୍ଲୁସେଷ୍ଟରସାୟାର, କେଣ୍ଟ ଓ ସରେ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।
ହରଭଜନଙ୍କ ସହ ଝଗଡ଼ା
ସାଇମଣ୍ଡ୍ସ ଜଣେ ଭଲ ଅଲ୍ରାଉଣ୍ଡର ହୋଇଥିଲେହେଁ ବିଭିନ୍ନ ସମୟରେ ବିବାଦରେ ଛନ୍ଦି ହୋଇଥିଲେ । ବିଶେଷକରି ମଦ୍ୟପାନ ତାଙ୍କ କ୍ୟାରିଅରକୁ ପ୍ରଭାବିତ କରିଥିଲା । ସେ ୨୦୦୮ରେ ଭାରତୀୟ ଅଫ୍ସ୍ପିନର୍ ହରଭଜନ ସିଂହଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ସମୟରେ ହରଭଜନ ତାଙ୍କୁ ମଙ୍କି (ମାଙ୍କଡ଼) ସମ୍ବୋଧନ କରିଥିଲେ । ତେବେ ଭାରତୀୟ କ୍ରିକେଟର୍ଙ୍କୁ ଏହି ମାମଲାର ଶୁଣାଣି ପରେ କ୍ଲିନ୍ ଚିଟ୍ ଦିଆଯାଇଥିଲା । ଏ ପ୍ରସଙ୍ଗକୁ ‘ମଙ୍କିଗେଟ୍’ କୁହାଯାଏ ।
୨୦୨୨ରେ ତିନି ଅଷ୍ଟ୍ରେଲୀୟ କ୍ରିକେଟର୍ଙ୍କ ଦେହାନ୍ତ
ଚଳିତ ବର୍ଷ ଅଷ୍ଟ୍ରେଲୀୟ କ୍ରୀଡ଼ା ଜଗତ ପାଇଁ ଦୁଃଖପୂର୍ଣ୍ଣ ରହିଛି । ପ୍ରଥମେ ରଡ୍ ମାର୍ଶ ଓ ଏହାପରେ ଶେନ୍ ୱାର୍ଣ୍ଣଙ୍କ ଦେହାନ୍ତ ହୋଇଥିଲା । ୱାର୍ଣ୍ଣ ଥାଇଲାଣ୍ଡରେ ଏକ ଫାର୍ମ ହାଉସ୍ରେ ହୃଦ୍ଘାତରେ ପ୍ରାଣ ହରାଇଥିଲେ । ଆଉ ଏବେ ଆଉ ଜଣେ ଅଷ୍ଟ୍ରେଲୀୟ ସାଇମଣ୍ଡ୍ସଙ୍କ କ୍ରିକେଟ୍ ଜଗତକୁ ଅଲ୍ବିଦା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *