ଐତିହାସିକ ମୁକୁଟ ବିିଜୟ
ବ୍ୟାଙ୍କକ୍, ୧୫ା୫: ରବିବାର ଇତିହାସ ରଚିଛି ଭାରତୀୟ ବ୍ୟାଡ୍ମିଣ୍ଟନ ଟିମ୍୍ । ଥୋମାସ୍ କପ୍ର ୭୩ ବର୍ଷର ଇତିହାସରେ ଭାରତ ପ୍ରଥମ ଥର ମୁକୁଟ ଜିତିଛି, ତାହା ପୁଣି ୧୪ ଥର ବିଜେତା ଇଣ୍ଡୋନେସିଆକୁ ହରାଇ । ପୂର୍ବ ସଂସ୍କରଣର ବିଜେତାକୁ ଭାରତ ୩-୦ରେ ପରାଜିତ କରିଛି ବେଶ୍ ଅପ୍ରତ୍ୟାଶିତ ଢଙ୍ଗରେ ।
ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ର୍ରଥମ ଥର ଫାଇନାଲ୍ ଖେଳିଥିଲା । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ମୁକୁଟ ଲଢ଼େଇରେ ଭାରତ ଲଗାତାର ତିନି ମ୍ୟାଚ୍ ଜିତିଥିଲା, ଯେଉଁଥିରେ ଦୁଇଟି ଏକକ ଓ ଗୋଟିଏ ଯୁଗଳ ମ୍ୟାଚ୍ ଥିଲା । ବିଶ୍ୱ ଚାମ୍ପିଅନ୍ସିପ୍ସ ପଦକଧାରୀ ଲକ୍ଷ୍ୟ ସେନ୍, କିଦାମ୍ବୀ ଶ୍ରୀକାନ୍ତ ଏବଂ ଯୁଗଳ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଭାରତ ପାଇଁ ଏହି ବହୁ ପ୍ରତୀକ୍ଷିତ ସଫଳତା ଆଣି ଦେଇଥିଲେ । ଏଥି ପୂର୍ବରୁ ଭାରତ କ୍ୱାର୍ଟର୍-ଫାଇନାଲ୍ରେ ପାଞ୍ଚ ଥର ବିଜେତା ମାଲେସିଆକୁ ୩-୨ରେ ଏବଂ ସେମିଫାଇନାଲ୍ରେ ୨୦୧୬ ବିଜେତା ଡେନ୍ମାର୍କକୁ ୩-୨ରେ ହରାଇ ମୁକୁଟ ପର୍ଯ୍ୟାୟରେ ପ୍ରବେଶ କରିଥିଲା ।
ଏହି ବିଜୟ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଟିମ୍ର ଖେଳାଳିମାନଙ୍କ ସହ ଫୋନ୍ରେ କଥାବାର୍ତ୍ତା କରିଥିଲେ ଏବଂ ଏହି ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଇତ୍ୟବସରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଭାରତୀୟ ଟିମ୍ ପାଇଁ ଏକ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ।