୬ ଡକାୟତଙ୍କୁ କାବୁ କଲା ପୁଲିସ
ବ୍ରହ୍ମପୁର (ବୁ୍ୟରୋ): ଶନିବାର ମଧ୍ୟରାତ୍ରରେ ଗୋପାଳପୁର ଥାନା ଅଧୀନ ଭକ୍ତସାଲବେଗ ନଗର ନିକଟରେ ଡକାୟତି ପାଇଁ ଯୋଜନା କରୁଥିବା ୬ଜଣ ଯୁବକଙ୍କୁ କାବୁ କରିଛି ଗୋପାଳପୁର ଥାନା ପୁଲିସ୍ । ସେମାନଙ୍କ ଠାରୁ ମାରଣାସ୍ତ୍ର ଓ ବିସ୍ଫୋରକ ଜବତ କରିଛି ପୁଲିସ । ଅଭିଯୁକ୍ତମାନ ହେଲେ ଗୋପାଳପୁର ଥାନା ଅଧୀନ ଭେଙ୍କଟରାଜପୁର ଗ୍ରାମର ଶିବ ନାୟକ(୨୪), ଲୋଚାପଡ଼ା ରାମକୃଷ୍ଣ ନଗରର କେ.ମୋହନ ରାଓ(୩୫) ଓ ମିଟୁ ଦାସ(୨୪), ଭାପୁର ବଜାର ଭଣ୍ଡାରି ସାହିର ଅନିଲ ମହାଙ୍କୁଡ(୨୨), ପ୍ରହଲ୍ଲାଦନଗର ପ୍ରଥମ ଲାଇନ୍ର କାଳିଆ ସାହୁ(୨୫), ଗେଟ୍ବଜାର ଓଆର୍ଟି କଲୋନୀର ସାନିଆ ପ୍ରଧାନ(୩୦) । ସମସ୍ତଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିବା ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି । ଆଗକୁ ସାବିତ୍ରୀ ଅମାବାସ୍ୟା, ରଜ ରହିଥିବାରୁ ମଦୁଆଙ୍କ ଉପଦ୍ରବ ଅମାନିଆ ଗାଡି ଚାଳକ ଓ ଜୁଆଡିଆଙ୍କୁ ସାବାଡ କରିବା ସହ ବିଭିନ୍ନ ଡକାୟତି ଯୋଜନା ଫଣ୍ଡକୁ କାବୁ କରିବାକୁ ସମସ୍ତ ଥାନାଧିକାରୀଙ୍କୁ ବ୍ରହ୍ମପୁର ଏସ୍ପି ଡ.ଶ୍ରବଣ ବିବେକ ଏମ୍ ନିଦେ୍ର୍ଦଶ ଦେଇଛନ୍ତି । ଗୋପାଳପୁର ପୁଲିସ୍ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗୋପାଳପୁର ପୁଲିସ୍ ପକ୍ଷରୁ ପଥରା ଜଙ୍କସନ୍ ଠାରେ ଶନିବାର ମଧ୍ୟ ରାତ୍ରିରେ ପାଟ୍ରୋଲିଂ କରୁଥିବା ବେଳେ ଭକ୍ତ ସାଲେବେଗ ନିକଟରେ ଅଭିଯୁକ୍ତମାନେ ମାରଣାସ୍ତ୍ର ସହ ଡକାୟତି ଯୋଜନା କରୁଥିବା ପୁଲିସ୍କୁ ସୂଚନା ମିଳିଥିଲା । ପୁଲିସ୍ ସେଠାରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଲକ୍ଷ୍ୟ ଥିଲା ଜାତୀୟ ରାଜପଥ ଉପରେ ଥିବା ମାରୁତି ଶୋରୁମ୍, ବିଲୁ ଢ଼ାବା, ହାଇୱେ ଢ଼ାବା, ସାଇ ଦୁର୍ଗା ସର୍ଭିସ୍ ଷ୍ଟେସନ୍, ଚେନ୍ନାଇ-କୋଲକାତା ହାଇୱେ ରୋଡ୍ରୁ ଡକାୟତି କରିବା । ଏମାନଙ୍କ ନିକଟରୁ ୨ଟି କାତି, ୨ଟି ଲୁହା ରଡ୍, ୨ଟି ଟର୍ଚ୍ଚ ଲାଇଟ୍, ଗୋଟିଏ ଅଫୁଟା ବୋମା ସମେତ ବିଭିନ୍ନ ମଦ ଓ ଅନ୍ୟାନ୍ୟ ସାମଗ୍ରୀ ପୁଲିସ୍ ଜବତ କରିଛି । ଥାନାରେ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ର କହିଛନ୍ତି । ଏହି ଡକାୟତି ଯୋଜନାରେ ଗିରଫ ହୋଇଥିବା କେ.ମୋହନ ରାଓ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ୪ଟି ଅପରାଧିକ ମାମଲା ରହିଛି । ସେହିପରି ଶିବ ନାୟକ ନାମରେ ୬ଟି ଓ କାଳିଆ ସାହୁଙ୍କ ନାମରେ ୩ଟି ମାମଲା ରହିଛି । ଏହି ଗ୍ୟାଙ୍ଗରେ କେ.ମୋହନ ରାଓ, ଶିବ ନାୟକ ମାଷ୍ଟରମାଇଣ୍ଡ ବୋଲି ଥାନାଧିକାରୀ ଶ୍ରୀ ଖମାରୀ ସୂଚନା ଦେଇଛନ୍ତି ।