ଶେଷ ପର୍ଯ୍ୟାୟରେ ୨ୟ ବ୍ରାହ୍ମଣୀ ସେତୁ

ମାସଶେଷ ସୁଦ୍ଧା ହେବ ଯାତାୟାତ ଉପଯୋଗୀ
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଦୁଇଦିନିଆ ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି, ବ୍ରାହ୍ମଣୀ ନଦୀ ଉପରେ ଯେଉଁ ଦ୍ୱିତୀୟ ସେତୁ ନିର୍ମାଣ ଚାଲିଛି ତାହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜନସାଧାରଣଙ୍କ ସୁବିଧା ପାଇଁ ଏହି ସେତୁର ଗୋଟିଏ ପାଶ୍ୱର୍କୁ ଚଳିତ ମାସ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ କରାଯିବ । ଜୁନ୍‌ ମାସ ଶେଷ ସୁଦ୍ଧା ଏହି ସେତୁକୁ ୬ ଲେନ୍‌ ବିଶିଷ୍ଟ କରି ପୂର୍ଣ୍ଣାଙ୍ଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସେତୁ ସମ୍ପୂର୍ଣ୍ଣ ହେବାପରେ ରାଉରକେଲା ସହରରେ ଟ୍ରାଫିକ୍‌ ସମସ୍ୟାର ସମାଧାନ ହୋଇପାରିବ । ଭାରିଯାନଗୁଡ଼ିକ ସହର ଭିତରକୁ ନଆସି ବାଇପାସ୍‌ ରାସ୍ତା ଦେଇ ଯାତାୟାତ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହା ଫଳରେ ପ୍ରଦୂଷଣ ମଧ୍ୟ ନିୟନ୍ତ୍ରଣ ହୋଇପାରିବ । ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍‌ ହକିକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଉନ୍ନୟନମୂଳକ କାମ ସହିତ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି । ମୁଖ୍ୟ ସଚିବ ଏହିସବୁ କାର୍ଯ୍ୟ ବୁଲି ଦେଖିଥିଲେ ।
ମୁଖ୍ୟତଃ ସେ କୋଏଲନଗରସ୍ଥିତ ବୈକୁଣ୍ଠ ଘାଟ ନିକଟରେ ନିର୍ମାଣାଧୀନ ରିକ୍ରିଏସନାଲ ପାର୍କ, ଟ୍ରାଫିକ ଗେଟ୍‌ ନିକଟରେ ଚାଲିଥିବା ପାର୍କିଂ ସ୍ଥଳ ଓ ପାନପୋଷଠାରେ ବହୁତଳ ମାର୍କେଟ କଂପ୍ଲେକ୍ସର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ । କାମର ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟସୀମା ଭିତରେ ପ୍ରକଳ୍ପ ଶେଷ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ ।
ରାଉରକେଲା ଗସ୍ତ ସାରି ମୁଖ୍ୟ ସଚିବ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଏବଂ ଲହୁଣୀପଡ଼ା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ । ଏହି ଗସ୍ତ ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *