ଦୌଲତପୁର ପଞ୍ଚାୟତରେ ପାନୀୟ ଜଳ ସଙ୍କଟ
ତିହିଡ଼ି (ଆପ୍ର): ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତରେ କେତେକ ନଳକୂପରୁ ଲୁଣାପାଣି ବାହାରୁଛି । ଯେଉଁଥିପାଇଁ ପାନୀୟଜଳର ସଙ୍କଟ ସୃଷ୍ଟି ହୋଇଛି । ଦିନକୁ ଦିନ ତାତି ବଢୁଥିବା ବେଳେ ପାନୀୟ ଜଳ ପାଇବାରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କର ବସୁଧା ଯୋଜନା ଠିକ୍ ଭାବେ କାର୍ଯ୍ୟକ୍ଷମ ହେଉନଥିବା ଅଭିଯୋଗ ହେଉଛି । ଏହି ପଞ୍ଚାୟତରେ ଦକ୍ଷିଣ ଦୌଲତପୁର ଜେନାସାହି, ମାଲପୁର ବାବୁ ବେହେରା ଘର ପାଖ, କଚେରୀ ପଡ଼ିଆ ନଣ୍ଡାବଳ ଘର ପାଖ, ଚନ୍ଦ୍ରକାଟବିନ୍ଧା ମିଶ୍ରସାହି ଏବଂ ମାଲପୁର ପ୍ରାଥମିକ ବିଦ୍ୟାଳୟରେ ଥିବା ନଳକୂପରୁ ଲୁଣା ପାଣି ବାହାରୁଛି । ଏହି ପାଣି ବ୍ୟବହାର ଦ୍ୱାରା ଲୋକଙ୍କୁ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଦୌଲତପୁର ବିଦ୍ୟାଳୟରେ ନଳକୂପ ନାହିଁ । ପୀରହାଟ ନୂଆ ବଜାରରେ ଥିବା ନଳକୂପରେ କମ୍ ପାଣି ବାହାରୁଛି । ବସୁଧା ଯୋଜନାରେ ଓଭରହେଡ଼ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ତାହା ଗ୍ରାମବାସୀଙ୍କ ଉପକାରରେ ଆସିପାରୁନାହିଁ । ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ପଞ୍ଚାୟତର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଇଥିଲେ ମଧ୍ୟ ଅର୍ଜୁନବିନ୍ଧା, ନିମାଇଁସାହି, ଦୌଲତପୁର ତଳମୁଣ୍ଡ, ପୀରହାଟ ଥାନା ପାଖକୁ ପାଣି ପହଞ୍ଚି ପାରୁନାହିଁ । ପାଣି ପମ୍ପ ୧୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଚାଲୁଥିଲେ ମଧ୍ୟ ଏହା ଲୋକଙ୍କର ପାଣି ଆବଶ୍ୟକତା ପୂରଣ କରିପାରୁନାହିଁ । ପଞ୍ଚାୟତର ତଳମୁଣ୍ଡକୁ ପାଣି ପହଞ୍ଚିବାକୁ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ପଞ୍ଚାୟତବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଖଗେନ୍ଦ୍ର ପ୍ରସାଦ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଦୌଲତପୁର ପଞ୍ଚାୟତରେ ଯେଉଁ ନଳକୂପରେ ଲୁଣା ପାଣି ବାହାରୁଛି ସେଠାରେ ନୂତନ ନଳକୂପ ବସାଯିବାକୁ ପଦକ୍ଷେପ ନିଆଯାଇଛି ।