ମାଣିକ ଶାହା ହେବେ ନୂଆ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା/ନୂଆଦିଲ୍ଲୀ, ୧୪ା୫: ତ୍ରିପୁରାରେ ଆଉ ୧୧ ମାସ ପରେ ମେ’ ୨୦୨୩ରେ ହେବ ବିଧାନସଭା ନିର୍ବାଚନ । ତା’ ପୂର୍ବରୁ ବିଜେପି ହାଇକମାଣ୍ଡଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଦେବ ଶନିବାର ଇସ୍ତଫା ଦେଇଛନ୍ତି । ବିଜେପି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ମାଣିକ ଶାହା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଶନିବାର ବିଧାୟକ ଦଳ ବୈଠକରେ ମାଣିକ ନେତା ନିର୍ବାଚିତ ହୋଇଛନ୍ତି ।
ମାଣିକ ଶାହା ପେଶାରେ ଜଣେ ଦନ୍ତ ଚିକିସôକ । ଚଳିତ ବର୍ଷ ସେ ତ୍ରିପୁରାର ଏକମାତ୍ର ରାଜ୍ୟସଭା ଆସନରେ ଜିତି ଥିଲେ । ୨୦୧୬ରେ ମାଣିକ ଶାହା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବାର ଚାରିବର୍ଷ ପରେ ତାଙ୍କୁ ଦଳର ପ୍ରଦେଶ ଅଧ୍ୟକ୍ଷ କରାଯାଇଥିଲା ।
ତ୍ରିପୁରାରେ ୨୦୧୮ରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠିତ ହୋଇଥିଲା । ଗତ ମାସରେ ପ୍ରାୟ ୧୪ଜଣ ବିଧାୟକ ବିପ୍ଳବ ଦେବଙ୍କ ବିରୋଧରେ ଗୋଷ୍ଠୀ ଗଢ଼ି ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ ଉଠାଇ ଥିଲେ । ସେ ସମୟରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା । ଏବେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ନୂଆ ନେତୃତ୍ୱ ଚୟନ କରାଗଲା ।
ଗତ ୧୧ ମାସ ଭିତରେ ବିଜେପି ଶାସିତ ଚାରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳିଛନ୍ତି । ୨୦୨୧ ଜୁଲାଇରେ ଉତ୍ତରାଖଣ୍ଡରେ ତୀରଥ ସିଂହ ରାୱତଙ୍କୁ ହଟାଇ ପୁଷ୍କର ସିଂହ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେହି ମାସରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଠାରୁ ଇସ୍ତଫା ପତ୍ର ମାଗି ନେଇ ହାଇକମାଣ୍ଡ ବସବ ରାଜ ବୋମଇଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ । ଏହା ପରେ ଗୁଜୁରାଟରେ ବିଜୟ ରୂପାଣୀଙ୍କ ସ୍ଥାନରେ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା । ଏବେ ପାଳି ପଡ଼ିଲା ବିପ୍ଳବ କୁମାର ଦେବଙ୍କର ।
ବିପ୍ଳବ ଦେବ ବିବାଦୀୟ ବୟାନ ପାଇଁ ବହୁଚର୍ଚ୍ଚିତ । ସେ କିଛିଦିନ ପୂର୍ବେ ଯୁବ ପିଢ଼ିଙ୍କୁ ଚାକିରି ନ ଖୋଜି ପାନ ଦୋକାନ ଖୋଲିବାକୁ ପରାମର୍ଶ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *