ଓଡ଼ିଶା ପଞ୍ଚମ ସର୍ବବୃହତ୍ ବଜାର
ଆଇଡିଏସ୍ଏ ସର୍ଭେ ରିପୋର୍ଟ
ଭୁବନେଶ୍ୱର,୧୪ା୫(ବୁ୍ୟରୋ): ଓଡ଼ିଶାରେ ଡାଇରେକ୍ଟ ସେଲିଂ (ପ୍ରତ୍ୟକ୍ଷ ବିକ୍ରୟ) ଶିଳ୍ପ କୋଭିଡ୍-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିକୂଳ ବ୍ୟବସାୟ ପରିବେଶ ସତ୍ତ୍ୱେ ୧୩.୩% ଅଭିବୃଦ୍ଧି ହାର ହାସଲ କରିବା ସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ସର୍ବକାଳୀନ ସର୍ବୋଚ୍ଚ ସ୍ତର ୧୦୩୪ କୋଟି ଟଙ୍କାରେ ପହଞ୍ଚିଛି । ଇଣ୍ଡିଆନ ଡାଇରେକ୍ଟ ସେଲିଂ ଆସୋସିଏସନ୍ (ଆଇଡିଏସ୍ଏ) ପକ୍ଷରୁ ଶନିବାର ଏଠାରେ ପ୍ରକାଶିତ ଏକ ବାର୍ଷିକ ସର୍ଭେ ରିପୋର୍ଟରେ କୁହାଯାଇଛି ।
ଏହି ରିପୋର୍ଟର ପରିସଂଖ୍ୟାନରୁ ଜଣାଯାଇଛି ଯେ ପୂର୍ବ ଆର୍ଥିକ ବର୍ଷରେ ହୋଇଥିବା ବିକ୍ରି ୯୧୨.୬୦ କୋଟି ଟଙ୍କା ତୁଳନାରେ ଏଥିରେ ୧୨୧ କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି ଏବଂ ଏହା ସୂଚାଇ ଦେଉଛି ଯେ ଏହି ବ୍ୟବସାୟ ମଡେଲ ରାଜ୍ୟରେ ଏକ ଦୀର୍ଘସ୍ଥାୟୀ ଅଥବା ଅତିରିକ୍ତ ରାଜସ୍ୱ ଉତ୍ସ ଭାବରେ ଲୋକପ୍ରିୟ ହୋଇ ରହିଛି ।
ଓଡ଼ିଶାରେ ଡାଇରେକ୍ଟ ସେଲିଂ ରାଜ୍ୟ ରାଜକୋଷକୁ ୨୦୨୦-୨୧ ବର୍ଷରେ ଜିଏସ୍ଟି ଆକାରରେ ପ୍ରାୟ ୧୫୦ କୋଟି ଟଙ୍କାର ଅବଦାନ ରଖୁଛି ଏବଂ ବିକ୍ରି ଦୃଷ୍ଟିରୁ ଏହା ଦେଶରେ ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି । ରାଜ୍ୟରେ ମୋଟ୍ ପ୍ରାୟ ୩.୩୪ ଲକ୍ଷ ପ୍ରତ୍ୟକ୍ଷ ବିକ୍ରେତା ରହିଥିବାବେଳେ ସେମାନଙ୍କ ମଧ୍ୟରେ ମହିଳା ବିକ୍ରେତା ପ୍ରାୟ ୧.୫ ଲକ୍ଷ ରହିଛନ୍ତି ଏବଂ ସେମାନଙ୍କୁ ନେଇ ରାଜ୍ୟ ୨୦୨୦-୨୧ରେ ଜାତୀୟ ସ୍ତରରେ ହୋଇଥିବା ମୋଟ୍ ବିକ୍ରି ୧୮,୦୬୭ କୋଟି ଟଙ୍କାରେ ୫.୭୨% ଅଥବା ୧୦୩୪ କୋଟି ଟଙ୍କା ଅବଦାନ ରଖୁଛି, ଯାହା ୨୦୧୯-୨୦ ବର୍ଷରେ ୫.୪୪ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଓଡ଼ିଶା ମଧ୍ୟ ବିକ୍ରି କ୍ଷେତ୍ରରେ ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡିକ ମଧ୍ୟରେ ତୃତୀୟ ସ୍ଥାନ ବଜାୟ ରଖୁଛି । ପୂର୍ବାଞ୍ଚଳ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଏବଂ ଝାଡଖଣ୍ଡକୁ ନେଇ ଗଠିତ ହୋଇଥିବାବେଳେ ଏହା ଜାତୀୟ ଡାଇରେକ୍ଟ ସେଲିଂ ମାନଚିତ୍ରରେ ମୋଟ ୪୭୦୮ କୋଟି ଟଙ୍କା କାରବାର ସହିତ ଜାତୀୟ ମୋଟ୍ ବିକ୍ରିରେ ୨୬.୦୪% ଅଂଶ ସହିତ ଦ୍ୱିତୀୟ ସ୍ଥାନ ବଜାୟ ରଖୁଛି ଏବଂ ଏହି ଅଞ୍ଚଳରେ ମୋଟ ୨୬,୫୭ ଲକ୍ଷ ପ୍ରତ୍ୟକ୍ଷ ବିକ୍ରେତା ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।
ଆଇଡିଏସ୍ଏ ଚେୟାରମ୍ୟାନ୍ ରଜତ ବାନାର୍ଜୀ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ପ୍ରତ୍ୟକ୍ଷ ବିକ୍ରି ସମ୍ପର୍କରେ କହିଛନ୍ତି, ଡାଇରେକ୍ଟ ସେଲିଂ ଶିଳ୍ପ ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ଭାବରେ ଅପରିବର୍ତ୍ତିତ ରହିଛି । ୧୩%ରୁ ଅଧିକ ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହିତ ଓଡ଼ିଶା ଏହି ଶିଳ୍ପ ପାଇଁ ୫ମ ସର୍ବବୃହତ ବଜାର ହୋଇଛି । ଡାଇରେକ୍ଟ ସେଲିଂ ୭୯ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଦୀର୍ଘସ୍ଥାୟୀ ଆତ୍ମନିଯୁକ୍ତି ଏବଂ ଅଣୁ-ଔଦ୍ୟୋଗିକତା ଯୋଗାଇ ଦେଇଛି । ଡାଇରେକ୍ଟ ସେଲିଂ ବିଗତ ପାଞ୍ଚବର୍ଷରେ ୧୨ ପ୍ରତିଶତ ଚକ୍ରବୃଦ୍ଧି ହାରରେ ଏକ ସ୍ଥିର ଏବଂ ନିରନ୍ତର ଅଭିବୃଦ୍ଧି ଧାରା ପ୍ରଦର୍ଶନ କରିଛି । ୨୦୨୦ରେ କୋଭିଡ ମହାମାରୀର ପ୍ରଥମ ଲହର ସମୟରେ ସାମାନ୍ୟ ବ୍ୟାଘାତ ସତ୍ତ୍ୱେ ଏହା ଦୀର୍ଘସ୍ଥାୟୀ ଭାବ ପ୍ରଦର୍ଶନ କରିଛି । ଆଇଡିଏସ୍ଏର ୧୮ ସଦସ୍ୟ କମ୍ପାନୀ ସଫଳତାର ସହିତ ଖାଉଟିଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବା ଏବଂ ତା ସହିତ ଓଡ଼ିଶାରେ ୩.୩୪ ଲକ୍ଷ ପ୍ରତ୍ୟକ୍ଷ ବିକ୍ରେତାଙ୍କ ସ୍ୱାର୍ଥ ସୁରକ୍ଷିତ ରଖିବା ନେଇ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଦାବି କରିପାରିବେ ବୋଲି ଶ୍ରୀ ବାନାର୍ଜୀ କହିଛନ୍ତି ।
ଏହି ସମ୍ମିଳନୀକୁ ସମ୍ବୋଧିତ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ପ୍ରତ୍ୟେକ ବିକ୍ରେତାଙ୍କ ଉତ୍ପାଦର ଯାଞ୍ଚ ପାଇଁ ଗ୍ରାହକଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ଆବଶ୍ୟକ । ଗ୍ରାହକ ଉତ୍ପାଦ ନେଇ ସବୁକିଛି ଯାଞ୍ଚ କରିବା ଉଚିତ୍ ଏବଂ ବିଭ୍ରାନ୍ତିକର ପ୍ରତିଶ୍ରୁତିରୁ ଦୂରେଇ ରହିବା ଆବଶ୍ୟକ । ରାଜ୍ୟରେ କାର୍ଯ୍ୟ କରୁଥିବା ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଏବଂ ଗ୍ରାହକ ପରାମର୍ଶ କେନ୍ଦ୍ରଗୁଡ଼ିକ ପ୍ରତ୍ୟକ୍ଷ ବିକ୍ରୟ ବ୍ୟବସାୟ ସମ୍ବନ୍ଧରେ ଗ୍ରାହକଙ୍କ ସଚେତନତା ସୃଷ୍ଟି କରିବେ । ସିଧାସଳଖ ବିକ୍ରୟ ଉଦେ୍ଦଶ୍ୟରେ କୌଣସି ସଂସ୍ଥା କିମ୍ବା ବିକ୍ରେତା ପିରାମିଡ୍ ସ୍କିମ୍ ଗ୍ରହଣ କଲେ ଏହାକୁ ବରଦାସ୍ତ କରାଯିବନି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ଗ୍ରାହକ କୌଣସି ଠକେଇ କିମ୍ବା ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପର ଶିକାର ହେବା ଭଳି କାର୍ଯ୍ୟକଳାପ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ଗ୍ରାହକଙ୍କ ସ୍ୱାର୍ଥ ତଥା ପ୍ରତ୍ୟକ୍ଷ ବିକ୍ରୟ ବ୍ୟବସାୟ ମଧ୍ୟରେ ସମତୁଲ ରହିବା ସହ ଉତ୍ପାଦର ଗୁଣବତ୍ତା ନିଶ୍ଚିତ ହେବା ଆବଶ୍ୟକ । ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ଉପଦେଷ୍ଟା ପ୍ରଫେସର ବେଜୋନ ମିଶ୍ର କହିଛନ୍ତି, ବ୍ୟବସାୟୀମାନେ ଗ୍ରାହକଙ୍କ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ଜିତିବା ଆବଶ୍ୟକ ।