ମିଳୁନି ସୌର ଶକ୍ତି ସୂଚନା
ଭୁବନେଶ୍ୱର,୧୫ା୫(ତଥ୍ୟ): ଅଣପାରମ୍ପରିକ ଶକ୍ତି ବିଶେଷକରି ସୌରଶକ୍ତିର ବ୍ୟବହାର ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱଆରୋପ କରୁଥିବାବେଳେ ଠିକଣା ସୂଚନା ଅଭାବରୁ ଆମ ରାଜ୍ୟରେ ଏ କ୍ଷେତ୍ରରେ ସେତେଟା ଅଗ୍ରଗତି ପରିଲକ୍ଷିତ ହେଉନାହିଁ । ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ମାଧ୍ୟମରେ କେତେକ ସରକାରୀ କୋଠାରେ ସୌରଶକ୍ତି ଉତ୍ପାଦନ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସାଧାରଣ ବିଦୁ୍ୟତ୍ ଗ୍ରାହକ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି କି ସେମାନଙ୍କୁ ଏହାର ସୁବିଧା ସଂପର୍କରେ ସବିଶେଷ ସୂଚନା ଦିଆଯାଉ ନାହିଁ । ।
ଓରେଡା ସହାୟତାରେ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଦପ୍ତର ବିଶେଷକରି ବିଦ୍ୟାଳୟ, ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଖଣି ଖାଦାନ, ଥାନା ଓ ଅନ୍ୟାନ୍ୟ ସରକାରୀ ଦପ୍ତରରେ ସୌରଶକ୍ତି ପ୍ୟାନେଲ୍ ଲଗାଯାଇଛି । ଏହି ସରକାରୀ ସଂସ୍ଥାର ସଂଖ୍ୟା ମାତ୍ର ୧୬୩୦ । ଏଥିମଧ୍ୟରେ କେବଳ ଅଗ୍ନିଶମ କେନ୍ଦ୍ରର ସଂଖ୍ୟା ୩୧୩ ବୋଲିୂ ଜଣାପଡ଼ିଛି ।
ଅନ୍ୟ ସରକାରୀ ସଂସ୍ଥା ମଧ୍ୟରେ ୭୬୬ଟି ଆବାସିକ ବିଦ୍ୟାଳୟ, ୧୯୦ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ୧୭୫ ଥାନା ଓ ୩୦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିଛି । ସେହିଭଳି ୩୩ କେନ୍ଦୁପତ୍ର ଗୋଦାମ, ୩ ଜିଲ୍ଲା ମୁଖ୍ୟ ଚିକିସôାଳୟ, ୩ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ୧୦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ଏହି ତାଲିକାରେ ଥିବାବେଳେ ୯ ଖଣି ବି ରହିଛି ।
ସରକାରୀ ଡାକ୍ତରଖାନାଗୁଡ଼ିକରେ ବାରମ୍ବାର ବିଦୁ୍ୟତ୍ ବିଭ୍ରାଟ ଏପରିକି ଟର୍ଚ୍ଚ ଆଲୋକରେ ଅପରେସନ ଭଳି ଖବର ପ୍ରସାରିତ ହେଉଥିଲେ ମଧ୍ୟ ଏହିସବୁ ସ୍ଥାନରେ କିନ୍ତୁ ସୌରଶକ୍ତି ବ୍ୟବସ୍ଥା କରାଯାଉନାହିଁ । ସହରାଞ୍ଚଳରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଛାତରେ ସୌରଶକ୍ତି ଉତ୍ପାଦନ ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଖଞ୍ଜାଯାଇ ପାରିଲେ ଏଠାରେ ୨୪ଘଣ୍ଟିଆ ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ ହୋଇପାରିବ ବୋଲି ମତପ୍ରକାଶ ପାଉଛି ।
ସେହିଭଳି ବିଦୁ୍ୟତ୍ ଗ୍ରାହକମାନେ ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ୟାନେଲ ବସାଇବାକୁ ଚାହିଁଲେ ସେମାନଙ୍କ ପାଇଁ ରିହାତି ବ୍ୟବସ୍ଥା ରହିଛି । ଏହି ଦାୟିତ୍ୱ ବିଦୁ୍ୟତ୍ ବଣ୍ଟନକାରୀ କମ୍ପାନୀକୁ ଦିଆଯାଇଛି । କିନ୍ତୁ ଗ୍ରାହକମାନେ ଯୋଜନା ସଂକ୍ରାନ୍ତରେ ସଠିକ ଭାବେ ଅବଗତ ନୁହନ୍ତି ଓ ବିଦୁ୍ୟତ୍ ବଣ୍ଟନକାରୀ କମ୍ପାନୀ ପକ୍ଷରୁ ଏ ସଂକ୍ରାନ୍ତରେ ଗ୍ରାହକଙ୍କୁ କୌଣସି ସୂଚନା ଦିଆଯାଉନାହିଁ । ଲୋକେ ଘରୋଇ ସଂସ୍ଥାଠାରୁ ବି ସୌରଶକ୍ତି ପ୍ୟାନେଲ କିଣିବାକୁ ଭରସି ପାରୁନାହାନ୍ତି । ଫଳରେ ଲୋକେ ବ୍ୟାପକ ଅର୍ଥ ବ୍ୟୟରେ ବିଦୁ୍ୟତ୍କାଟ୍ରୁ ବର୍ତ୍ତିବାପାଇଁ ଇନଭର୍ଟର କିଣୁଛନ୍ତି ପଛେ ସୌରଶକ୍ତି ବ୍ୟବସ୍ଥା କରୁନାହାନ୍ତି ।
ବିଦୁ୍ୟତ୍ ବ୍ୟବସାୟ କରୁଥିବା ଓପିଟିସିଏଲ୍ର ଆଇପିଡିଏସ୍ ଯୋଜନାରେ କେବଳ ସରକାରୀ କାର୍ଯ୍ୟାଳୟ ଓ ସବ୍ଷ୍ଟେସନଠାରେ ମାତ୍ର ୧୦୬ଟି ସ୍ଥାନରେ ସୌର ପ୍ୟାନେଲ ସ୍ଥାପନ ହୋଇଛି । ଏଥିରୁ ମୋଟ୍ ୬୩୫ କିଲୋୱାଟ ବିଜୁଳି ମିଳୁଛି । ଓପିଟିସିଏଲ୍ର ମୁଖ୍ୟ କାର୍ଯ୍ୟାଳୟରେ ୧୫୩ କିଲୋୱାଟର ସୌର ପ୍ୟାନେଲ ବି ସ୍ଥାପନହୋଇଛି । ଗ୍ରୀନ ଏନର୍ଜି ଡେଭ୍ଲପ୍ମେଣ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିଃ (ଗେଡକୋଲ୍) ମଧ୍ୟ ୬୫ଟି ସରକାରୀ କୋଠା ତଥା ଶିକ୍ଷାନୁଷ୍ଠାନରେ ୪ମେଗାୱାଟ କ୍ଷମତା ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିଛି ।
ହେଲେ ସାଧାରଣ ବିଦୁ୍ୟତ୍ ଗ୍ରାହକମାନେ କିଭଳି ଏହି ସୌରଶକ୍ତି ପ୍ରକଳ୍ପର ସୁବିଧା ନେବେ ସେ ଦିଗରେ ସେମାନଙ୍କୁ ଠିକଣା ଭାବେ ସୂଚନା ପ୍ରଦାନ କରାଯାଉ ନ ଥିବାରୁ ରାଜ୍ୟରେ ସୌରଶକ୍ତିରୁ ଯେତେ ବିଦୁ୍ୟତ୍ ଉତ୍ପାଦନ ହେବାକଥା ତାହା ହୋଇପାରୁ ନାହିଁ । ବିଦୁ୍ୟତ୍ ବିତରଣ କମ୍ପାନୀମାନଙ୍କ ସକାଶେ ଏଥିପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିବାକୁ ମତପ୍ରକାଶ ପାଉଛି ।