ଦେଶବ୍ୟାପୀ ସିବିଆଇ ଚଢ଼ଉ

ମ୍ୟାଚ୍ ଫିକ୍ସିଂରେ ପାକ୍ କନେକ୍ସନ୍
ନୂଆଦିଲ୍ଲୀ,୧୪ ।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ ଫିକ୍ସିଂ ସହ ପାକିସ୍ତାନର ସିଧା ସମ୍ପର୍କ ଥିବା ସିବିଆଇ ତଦନ୍ତରୁ ସ୍ପଷ୍ଟ ହୋଇଛି । ୨୦୧୯ ଆଇପିଏଲ୍ର ବିଭିନ୍ନ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ସିବିଆଇ ପକ୍ଷରୁ ୭ ଜଣ ସନ୍ଦିଗ୍ଧ ବୁକିଙ୍କ ନାମରେ ଏତଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ଏମାନେ ସମସ୍ତେ ପାକିସ୍ତାନରୁ ମିଳୁଥିବା ସୂଚନା ଆଧାରରେ ମ୍ୟାଚ୍ ଫିକ୍ସିଂ କରୁଥିଲେ । ସିବିଆଇ ଏହା ଉପରେ ଦେଶବ୍ୟାପୀ ତଦନ୍ତ ଆରମ୍ଭ କରିଛି ବୋଲି ଅଧିକାରୀମାନେ ଶନିବାର ସୂଚନା ଦେଇଛନ୍ତି । ଦିଲ୍ଲୀ, ହାଇଦ୍ରାବାଦ୍, ଜୟପୁର ଓ ଯୋଧପୁରର ୭ଟି ସ୍ଥାନରେ ସିବିଆଇ ଅଧିକାରୀମାନେ ଚଢ଼ଉ କରିଛନ୍ତି । ସଟ୍ଟାବାଜିରେ ଅତିକମ୍ରେ ୧୦ କୋଟି ଟଙ୍କା ଦେଣନେଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଏତଲାରେ ଉଲ୍ଲେଖ ଅଛି ଯେ, କ୍ରିକେଟ୍ ବେଟିଂରେ ସାମିଲ୍ ନେଟ୍ୱାର୍କ ପାକିସ୍ତାନରୁ ମିଳୁଥିବା ସୂଚନା ଅନୁସାରେ ଆଇପିଏଲ୍ ମ୍ୟାଚ୍ ଫଳାଫଳକୁ ପ୍ରଭାବିତ କରିଆସୁଥିବା ସୂଚନା ସିବିଆଇକୁ ମିଳିଛି । ଏ ସମ୍ପର୍କିତ ପ୍ରଥମ ଏତଲାରେ ଦିଲ୍ଲୀର ରୋହିଣୀ ନିବାସୀ ଦିଲୀପ କୁମାର ଏବଂ ହାଇଦ୍ରାବାଦର ଗୁରୁମ ବାସୁ ଓ ଗୁରୁମ ସତୀଶଙ୍କୁ ଅଭିଯୁକ୍ତ କରାଯାଇଛି । ଦ୍ୱିତୀୟ ଏତଲାରେ ଅଭିଯୁକ୍ତ ଭାବେ ସଜ୍ଜନ ସିଂହ, ପ୍ରଭୁଲାଲ୍ ମୀଣା, ରାମ ଅବତାର ଓ ଅମିତ କୁମାର ଶର୍ମାଙ୍କ ନାମ ଅଛି । ଏମାନେ ରାଜସ୍ଥାନର ଅଧିବାସୀ ।
ସୂତ୍ର ଅନୁଯାୟୀ, ଅଭିଯୁକ୍ତମାନେ ରାଜସ୍ଥାନରେ ଥାଇ ବେଟିଂ କାରବାର କରି ଆସୁଥିଲେ । ପ୍ରଥମ ଅଭିଯୁକ୍ତ ୨୦୧୦ରୁ ଓ ଦ୍ୱିତୀୟ ଅଭିଯୁକ୍ତ ୨୦୧୩ରୁ ସକ୍ରିୟ ଥିଲେ । ଏମାନଙ୍କ ନେଟ୍ୱାର୍କ ବେଟିଂ ପାଇଁ ଲୋକଙ୍କୁ ଉତ୍ସାହିତ କରିଆସୁଥିଲା ଏବଂ ଏହି ସୂତ୍ରରେ ସେମାନେ ଲୋକଙ୍କୁ ଧୋକା ଦେଉଥିଲେ ।
ଆହୁରି ଜଣାଯାଇଛି ଯେ, ଅଜ୍ଞାତ ଏକାଧିକ ବ୍ୟାଙ୍କ ଅଧିକାରୀ ମଧ୍ୟ ଏହି ରାକେଟ୍ ସହ ଜଡ଼ିତ । ବ୍ୟାଙ୍କ ଅଧିକାରୀଙ୍କ ସହଯୋଗକ୍ରମେ ବୁକିମାନେ ନକଲି ଦସ୍ତାବିଜ୍ ଆଧାରରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ । ଜଣେ ବ୍ୟକ୍ତିଙ୍କର ଏକାଧିକ ଜନ୍ମ ତାରିଖ ଦିଆଯାଇ ଆକାଉଣ୍ଟ ଖୋଲା ଯାଉଥିଲା । ବ୍ୟାଙ୍କ କର୍ମଚାରୀଙ୍କ ଯଥୋଚିତ ଯାଞ୍ଚ୍ ବିନା ଆକାଉଣ୍ଟ ଖୋଲା ଯାଉଥିଲା ।
ସିବିଆଇ ସୂତ୍ର ଅନୁଯାୟୀ, ରାକେଟ୍ର ସଦସ୍ୟମାନେ ବିଦେଶରେ ରହୁଥିବା ସହଯୋଗୀମାନଙ୍କ ପାଖକୁ ଭାରତରୁ ସଂଗୃହୀତ ଅର୍ଥରାଶିକୁ ହାଓଲା ମାଧ୍ୟମରେ ପଠାଇ ଦେଉଥିଲେ । ଅଭିଯୁକ୍ତ ଦିଲୀପଙ୍କର ବହୁ ବ୍ୟାଙ୍କ ଆକାଉଣ୍ଟ ଥିଲା । ଆର୍ଥିକ ନିୟମକାନୁନ୍ର ଉଲ୍ଲଂଘନ ପୂର୍ବକ ୨୦୧୩ରୁ ଏପର୍ଯ୍ୟନ୍ତ ସେ ସବୁରେ ୪୩ ଲକ୍ଷ ଟଙ୍କା ଜମା କରାଯାଇଛି । ଗୁରୁମ ସତୀଶଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟରେ ୪ କୋଟି ୫୫ ଲକ୍ଷ ଟଙ୍କା ଓ ବିଦେଶରୁ ଆସିଥିବା ୩ ଲକ୍ଷ ୫ ହଜାର ଟଙ୍କା ୨୦୧୨ରୁ ୨୦୨୦ ଭିତରେ ଡିପୋଜିଟ୍ କରାଯାଇଛି । ଏହି ସମୟ ମଧ୍ୟରେ ଗୁରୁମ ବାସୁଙ୍କ ଆକାଉଣ୍ଟରେ ଜମା କରାଯାଇଛି ୫ କୋଟି ୩୭ ଲକ୍ଷ ଟଙ୍କା । ବାସୁଙ୍କର ଏମିତି କୌଣସି ବ୍ୟବସାୟ ନାହିଁ ଯେଉଥିରେ ଏତେ ଟଙ୍କା ଆୟ ହୋଇପାରିବ ।
ରାଜସ୍ଥାନର ୪ ଜଣ ଯାକ ଅଭିଯୁକ୍ତ ପାକିସ୍ତାନର ଜଣେ ବୁକି ସହ ଯୋଗାଯୋଗରେ ଥିଲେ । ସେହି ପାକିସ୍ତାନୀର ଫୋନ୍ ନମ୍ବର ୯୨୩୩୨୨୨୨୨୨୬୬୬୬ । ରାଜସ୍ଥାନୀ ବୁକିମାନେ ପଞ୍ଜାମ ନାସନାଲ୍ ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ କାରବାର କରୁଥିଲେ । ୯୨୩୨୨୭୮୯୦୦୦୦ ନମ୍ବର ବ୍ୟବହାର କରୁଥିବା ଆଉ ଜଣେ ପାକିସ୍ତାନୀ ବୁକି ବୋକାର ମାଲିକ ସହ ଦିଲ୍ଲୀର ଦିଲୀପ କୁମାର ଏବଂ ହାଇଦ୍ରାବଦ୍ର ସତୀଶ ଓ ଗୁରୁମ ସମ୍ପର୍କ ରଖିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *