ସଫା ହେବ ସବୁ ଜଳାଶୟ, ମେସିନ୍ କିଣିବ ପୌର ପରିଷଦ

ଆସିକା (ଆପ୍ର): ପୋଖରୀଗୁଡିକର ରକ୍ଷଣାବେକ୍ଷଣ ଓ ବିକାଶ ଲାଗି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଣ୍ଟା ଭିଡ଼ିଛି । ଏନ୍ଏସି ପରିସରଭୁôକ୍ତ ଅଞ୍ଚଳର ପ୍ରମୁଖ ସାହିଗୁଡିକରେ ଥିବା କେତେକ ପୋଖରୀ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ରକ୍ଷଣାବେକ୍ଷଣ ଅଭାବରୁ କିଛି ପୋଖରୀ ପଙ୍କରେ ପୋତି ହୋଇଗଲାଣି ତ ଆଉ କେଉଁଠି ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଗଲାଣି । ଏନ୍ଏସି ଅଧୀନ ୧୫ ନଂ. ୱାର୍ଡର ଜୋକବନ୍ଧ ପୋଖରୀଟି ଦୀର୍ଘ ବର୍ଷ ହେଲା ଅଳିଆ ଆବର୍ଜନା, ପଙ୍କ ଓ ଦଳରେ ଭର୍ତ୍ତି ହୋଇଗଲାଣି । ପୋଖରୀ ଗୁଡିକରୁ ଦଳ ସଫା ହେଉ ନ ଥିବାରୁ ତାହା ବଢି ବଢି ଚାଲିଛି । ପରିସ୍ଥିତି ଏମିତି ହେଲାଣି ଯେ, କେତେକ ପୋଖରୀ ଆଉ ଶୌଚଯୋଗ୍ୟ ହେଉନାହିଁ । ବିଳମ୍ବରେ ହେଲେ ମଧ୍ୟ ପୋଖରୀ ପୁନରୁଦ୍ଧାର ପାଇଁ ଏନ୍ଏସି ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ପୋଖରୀ ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ହେବା ପରେ ନଗରପାଳିକା ବିନେତା ସ୍ୱାଇଁ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ମେସିନ ଲଗାଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୋଖରୀ ସଫା କରିବା ପାଇଁ ପଦକ୍ଷେପ ନେଇଛନ୍ତି । ମୁକ୍ତା ଯୋଜନା ମାଧ୍ୟମରେ ପୋଖରୀ ସଫେଇ ହେବା ପରେ ଏହାର ଚର୍ତୁପାଶ୍ୱର୍ ସୌନ୍ଦର୍ଯ୍ୟକରଣ ନିମନ୍ତେ ପଦକ୍ଷେପ ନିଆଯିବ । ସୁସ୍ଥ ଓଡିଶା ଓ ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ ଆନୁକୂଲ୍ୟରେ ନଗରପାଳିକା ବିନେତା ସ୍ୱାଇଁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜଙ୍କ ସଂଯୋଜନାରେ ମୋ ପୋଖରୀ ମୋ ଦାୟିତ୍ୱ କାର୍ଯ୍ୟକ୍ରମ ଚାଲୁ ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଥିବା ପୋଖରୀ ଗୁଡିକରୁ ଦଳ ସଫା କରିବା ଲାଗି ଅତ୍ୟାଧୁନିକ ମେସିନ୍ ବ୍ୟବହାର କରାଯିବ ଓ ଏଥିପାଇଁ ଅତିଶୀଘ୍ର ଠିକା ଆହ୍ୱାନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ସୂଚନା ଦେଇଛନ୍ତି । ପୋଖରୀ ଗୁଡିକରେ ଦଳ ଓ ଅନାବନା ଗଛ ଉଠିଯାଇଥିବା ବେଳେ ପୂଜା ସାମଗ୍ରୀ ପଡ଼ିବା ଦ୍ୱାରା ପାଣି ଦୂଷିତ ହେବାରେ ଲାଗିଛି । ଏନ୍ଏସିର ଏହି ଜନକଲ୍ୟାଣକାରୀ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *