ଗହମ ରପ୍ତାନୀ ବନ୍ଦ କଲା ଭାରତ

ନୂଆଦିଲ୍ଲୀ(ଏଜେନ୍ସି): ଘରୋଇ ବଜାରରେ ଦରଦାମ୍ ବୃଦ୍ଧି ବିଶେଷକରି ସମ୍ଭାବିତ ଗହମ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉଦେ୍ଦଶ୍ୟରେ ଭାରତ ସରକାର ବର୍ତ୍ତମାନ ସମୟରେ ଗହମ ରପ୍ତାନୀ ଉପରେ ଶନିବାର ହଠାତ୍ ଜରୁରିକାଳୀନ ରୋକ୍ ଲଗାଇଦେଇଛନ୍ତି । ଏହି ନିଦେ୍ର୍ଦଶକୁ ତକ୍ରାଳନ ପ୍ରଭାବୀ ଢ଼ଙ୍ଗରେ ଲାଗୁ କରିବାକୁ ଅର୍ଥାତ୍ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ଭାରତ ସରକାରଙ୍କ ବିଦେଶ ବ୍ୟାପାର ମହାନିଦେ୍ର୍ଦଶାଳୟ ପକ୍ଷରୁ ଅଧିସୂଚନା ମଧ୍ୟ ଜାରି କରାଯାଇଛି । ଏଥିରେ ଦେଶବାସୀଙ୍କ ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଗହମ ରପ୍ତାନୀ ଉପରେ ରୋକ୍ ଲଗାଯାଇଥିବା ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ଏବଂ ସାମ୍ପ୍ରତିକ ସ୍ଥିତିରେ ଗହମ ରପ୍ତାନୀ ଉପରେ ରୋକ୍ ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଥିବା ଅଧିସୂଚନାରେ ଦର୍ଶାଯାଇଛି । ଫଳରେ ବିଶ୍ୱର ତୃତୀୟ ବୃହତ୍ ଗହମ ଉତ୍ପାଦକ ରାଷ୍ଟ୍ର ଭାରତରୁ ବର୍ତ୍ତମାନ ସମୟରେ ଅନ୍ୟ ରାଷ୍ଟ୍ର ସମୂହଙ୍କୁ ଗହମ ରପ୍ତାନୀ ପ୍ରକ୍ରିୟା ବନ୍ଦ ରହିବା ସ୍ପଷ୍ଟ ହୋଇଯାଇଛି । ତେବେ ମେ’ ୧୩ ପୂର୍ବରୁ ଗହମ ରପ୍ତାନୀ ସମ୍ପର୍କୀତ ଜାରି ହୋଇଥିବା ଲେଟର ଅଫ୍ କ୍ରେଡିଟ୍ ପାଇଁ ଗହମର ସିପ୍ମେଣ୍ଟ କରାଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।
ପ୍ରକାଶ, ସମଗ୍ର ବିଶ୍ୱରେ ଗହମ ଉତ୍ପାଦନ କ୍ଷେତ୍ରରେ ରୁଷ୍ ଏବଂ ୟୁକ୍ରେନ୍ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ଦୁଇ ରାଷ୍ଟ୍ରଙ୍କ ପରେ ଭାରତ ୩ୟ ସ୍ଥାନରେ ରହିଛି । ତେବେ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ଏବେ ସମଗ୍ର ବିଶ୍ୱକୁ ଗହମ ରପ୍ତାନୀ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହୋଇଛି । ପରିସ୍ଥିତି ଏପରି ହୋଇଛି କେବଳ ଭାରତ ଏବେ ଏକମାତ୍ର ଦେଶ ଭାବେ ସମଗ୍ର ବିଶ୍ୱର ଦୃଷ୍ଟିରେ ରହିଛି । ଭାରତ ସରକାର ମଧ୍ୟ କିଛି ଦିନ ପୂର୍ବେ ମିଳିତ ଜାତିସଂଘ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁ୍ୟଏଫ୍ପି)କୁ ଭାରତ ବିଶ୍ୱକୁ ଖାଦ୍ୟ ଯୋଗାଣ ଜାରି ରଖିବା ନେଇ ପ୍ରତିଶ୍ରୁତି ଦେଇଥିଲା । ତେବେ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଏବେ ଭାରତର ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଥିବା ସ୍ପଷ୍ଟ ପରିଲକ୍ଷିତ ହେଉଥିବା ବେଳେ ଭାରତ ସରକାର ବର୍ତ୍ତମାନ ସମୟରେ ନିଜ ଦେଶବାସୀଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଚିନ୍ତା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ଗହମର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ମୂଲ୍ୟ କ୍ୱିଣ୍ଟାଲ ପିଛା ୨ଠ୧୫ ଟଙ୍କା ତୁଳନାରେ ଖୋଲା ବଜାରରେ ଗହମ ଚାଷୀଙ୍କୁ ଯଥେଷ୍ଟ ଅଧିକ ମୂଲ୍ୟ ମିଳିଛି । ସୁତରାଂ ଚଳିତ ବର୍ଷ ଗହମ ଚାଷୀମାନେ ସରକାରୀ ମଣ୍ଡିରେ ଗହମ ବିକ୍ରି କରିବା ଅପେକ୍ଷା ଖୋଲା ବଜାରରେ ନିଜ ଶସ୍ୟକୁ ବିକ୍ରି କରିଛନ୍ତି ।
ଅନ୍ୟପକ୍ଷେ ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁ ବୈଶ୍ୱିକ ବଜାରରେ ଗହମ ମୂଲ୍ୟ ଅନୁନ୍ୟ ୪ଠ% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି, ଯାହାକି ବିଗତ ୧୪ ବର୍ଷ ମଧ୍ୟରେ ସର୍ବାଧିକ ବୃଦ୍ଧି । ବିଦେଶୀ ମୁଦ୍ରା ଆୟ ଆଶାରେ ଭାରତ ସରକାର ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଗହମ ରପ୍ତାନୀ କରିବାକୁ ଚିନ୍ତା କରିଥିଲେ ମଧ୍ୟ ଗହମ ଚାଷୀମାନେ କିନ୍ତୁ ସରକାରଙ୍କୁ ଏମ୍ଏସ୍ପି ଦରରେ ଗହମ ବିକିବାକୁ କୁଣ୍ଠାବୋଧ କରୁଛନ୍ତି । ଗୋଟିଏ ପଟେ ଭାରତ ସମେତ ସମଗ୍ର ବିଶ୍ୱରେ ଗହମର ଚାହିଦା ବଢ଼ୁଥିବା ବେଳେ ଅନ୍ୟପକ୍ଷେ ଦରଦାମ୍ ମଧ୍ୟ ବୃଦ୍ଧି ପାଇଛି । ସେହିପରି ଅଟା ଓ ଗହମ ଜାତ ଉତ୍ପାଦ ମୂଲ୍ୟରେ ମଧ୍ୟ ୧୩% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସୁତରାଂ ଆଗାମୀ ଦିନରେ ଦେଶରେ ଗହମ ଏବଂ ଗହମଜାତ ଖାଦ୍ୟସାମଗ୍ରୀର ଅଭାବକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ଗହମ ରପ୍ତାନୀ ପ୍ରକ୍ରିୟାକୁ ବନ୍ଦ କରିବାକୁ ହିଁ ଭାରତ ସରକାର ଶ୍ରେୟସ୍କର ମଣିଛନ୍ତି । ତେବେ ଦେଶରେ ଗହମଜନିତ ଏପ୍ରକାର ସ୍ଥିତି ପାଇଁ ଭାରତ ସରକାରଙ୍କ ଏମ୍ଏସ୍ପି ମୂଲ୍ୟ ହ୍ରାସ ନିଷ୍ପତ୍ତି ହିଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଇପାରେ । ତେବେ ଏସବୁ ମଧ୍ୟରେ ଗହମର ବୈଶ୍ୱିକ ମୂଲ୍ୟରେ ଅ·ନକ ବୃଦ୍ଧି ଭାରତ ସମେତ ପଡୋଶୀ ଓ ଅନ୍ୟ ଦୁର୍ବଳ ଦେଶଙ୍କ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ମତପ୍ରକାଶ ପାଇଛି । ଅନ୍ୟପକ୍ଷେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ଜି-୭ ଗ୍ରୁପ୍ର ସଦସ୍ୟ ରାଷ୍ଟ୍ରମାନେ ନାପସନ୍ଦ କରିଛନ୍ତି । ଯଦି ସମସ୍ତେ ଏପ୍ରକାର ଚିନ୍ତା କରିବେ ତେବେ ବିଶ୍ୱରେ ଖାଦ୍ୟ ସଂକଟ ନିଶ୍ଚିତ ସୃଷ୍ଟି ହେବ ବୋଲି ଜି-୭ ପକ୍ଷରୁ ମତ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *