୩ କୋଟିର ବ୍ରାଉନ୍ ସୁଗର ଜବତ
ପୁରୀ ପୁଲିସ୍କୁ ସଫଳତା
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ନିଶାମୁକ୍ତ । ଏହି ଅଭିଯାନକୁ ଶତପ୍ରତିଶତ ସଫଳ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି ଏସ୍ପି କନ୍ୱାର୍ ବିଶାଲ ସିଂ । ଶନିବାର ବାସେଳିସାହୀ ଥାନା ପୁଲିସ ୩ ଜଣ ନିଶା ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ୩ ଜଣଙ୍କ ମଧ୍ୟରେ ଜଣେ କିଙ୍ଗ୍ପିନ୍ ରହିଥିବା ବେଳେ ଅନ୍ୟ ଦୁଇଜଣ ଦୁଇ ଭାଇ । ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସେମାନେ ହେଲେ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ କେଶରପୁରର ଶୁଶାନ୍ତ ପଟ୍ଟନାୟକ ଓରଫ ନଣ୍ଡା (କିଙ୍ଗ୍ପିନ୍), ରାଜକିଶୋରସାହୁ (ରାଜୁ) ଓ ମାନସ ସାହୁ (ଗୁଣ୍ଠ) । ଏମାନଙ୍କଠାରୁ ପୁଲିସ ୩ କେଜି ୧୯୨ ଗ୍ରାମ୍ ବ୍ରାଉନ୍ ସୁଗର, ୪ଟି ମୋବାଇଲ, ନଗଦ ୨୦ହଜାର ଟଙ୍କା, ମେସିନ୍ ଓ କାର୍ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ଶ୍ରୀ ସିଂ ।
ଶ୍ରୀ ସିଂ ଆହୁରି କହିଛନ୍ତି, ପୁରୀକୁ ନିଶାମୁକ୍ତ କରିବା ଲାଗି ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ପୁରୀକୁ ଏକ କାର୍ ଯୋଗେ ବ୍ରାଉନ୍ ସୁଗର ଯୋଗାଇବା ଲାଗି ଶନିବାର ସକାଳେ ବିଶେଷ ସୂତ୍ରରୁ ପୁଲିସ୍କୁ ଖବର ମିଳିଥିଲା । ଖବର ମିଳିବା ପରେ ସଙ୍ଗେସଙ୍ଗେ ଏସ୍ଟିଏଫ୍ ଟିମ୍ ଏବଂ ବାସେଳିସାହୀ ପୁଲିସ ପକ୍ଷରୁ ମିଳିତଭାବେ ମଙ୍ଗଳାଘାଟ ଛକରେ କାର୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ପୁଲିସ ସେମାନଙ୍କ ଠାରୁ ବ୍ରାଉନ୍ ସୁଗର ଜବତ କରିଥିଲା । ପୁଲିସ ସେମାନଙ୍କୁ ଅଟକ ରଖିଥିଲା । ତଦନ୍ତ ପରେ ସେମାନେ ନିଶା ବ୍ୟବସାୟୀ ବୋଲି ପୁଲିସ ଜାଣିବାକୁ ପାଇଥିଲା । ପୁଲିସ୍ ନିଜଆଡୁ ୧୧୩/୨୨ରେ ମାମଲା ରୁଜୁ କରିଛି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା, ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀ, ବାସେଳିସାହୀ ଥାନା ଅଧିକାରୀ କୁଳମଣୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଥାଉକି, ଆଜି ସୁଦ୍ଧା ପୁରୀ ପୁଲିସ ପକ୍ଷରୁ ମୋଟ ୪.୮କେଜି ବ୍ରାଉନ୍ ସୁଗର ଜବତ ହୋଇଥିବା ବେଳେ ୩୩ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।