ରାଜ୍ୟବ୍ୟାପୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ନିଦେ୍ର୍ଦଶ
ଦିଲ୍ଲୀ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ତତ୍ପରତା
କଟକ, ୧୪ ।୫ (ବୁ୍ୟରୋ): ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡ ଘଟଣାରେ ୩୦ ଜଣଙ୍କ ମୃତୁ୍ୟ ଘଟିଛି । ଏହି ମର୍ମନ୍ତୁଦ ଘଟଣା ପରେ ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ରାଜ୍ୟବ୍ୟାପୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବାକୁ ବିଭାଗୀୟ ଡିଜି ସନ୍ତୋଷ ଉପାଧ୍ୟାୟ ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଅଟ୍ଟାଳିକା ସମେତ ଶିକ୍ଷାନୁଷ୍ଠାନ ଗୁଡିକରେ ଓଡିଶା ଅଗ୍ନିଶମ ନିର୍ବାପକ ଓ ନିରାପତ୍ତା ନିୟମ-୨୦୧୭ କିଭଳି ପାଳନ ହେଉଛି ତାହା ଯାଞ୍ଚ କରିବାକୁ କୁହାଯାଇଛି । ଏହାଛଡା ବିଭିନ୍ନ ସହରର ପ୍ରମୁଖ ବଜାର, ହାଟ ଭଳି ନିୟମିତ ଗହଳି ହେଉଥିବା ସ୍ଥାନରେ ଯାଞ୍ଚ କରାଯିବ । ସମସ୍ତ ରେଞ୍ଜ ଅଗ୍ନିଶମ ଅଧିକାରୀ, ଅତିରିକ୍ତ ଓ ଉପ ଅଗ୍ନିଶମ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବେ । ଯଦି କୌଣସି ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ସାମାନ୍ୟ ଢିଲାପଣ ଦେଖିବାକୁ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜି ଶ୍ରୀ ଉପାଧ୍ୟାୟ ନିଦେ୍ର୍ଦଶ ଦେଇଛନ୍ତି ।
ଓଡିଶା ଅଗ୍ନିଶମ ନିୟମ ଅନୁସାରେ, ୧୨ ମିଟରରୁ ଉଚ୍ଚ ତଥା ତିନି ମହଲାରୁ ଊର୍ଦ୍ଧ୍ୱ ଯେ କୌଣସି ଅଟ୍ଟାଳିକାରେ ସର୍ବନିମ୍ନ ୫୦୦ ମିଟର ଫାଙ୍କାସ୍ଥାନ ସହ ଦୁଇଟି ଦ୍ୱାର ରହିବ । ଯଦ୍ୱାରା ଆପାତକାଳୀନ ସମୟରେ ଉଦ୍ଧାରକାର୍ଯ୍ୟରେ ସମସ୍ୟା ଉପୁଜିବ ନାହିଁ । ଏହି ଅନୁସାରେ ଗଢିଉଠିଥିବା କୋଚିଂସେଣ୍ଟର, ହଷ୍ଟେଲ, ହୋଟେଲ, ଲଜ, ଗେଷ୍ଟହାଉସ, ଶିକ୍ଷାନୁଷ୍ଠାନ, ସିନେମା ହଲ, ମଲ୍ଟିପ୍ଲେକ୍ସ, ହସ୍ପିଟାଲ, ବ୍ୟବସାୟୀକ କିମ୍ବା ଅଫିସ ଅଟ୍ଟାଳିକା, ଅଡିଟୋରିୟମ, କନ୍ଭେନସନ ହଲ, ଫ୍ୟାକ୍ଟ୍ରି ଆଦି ଅଟ୍ଟାଳିକାରେ ଉପରୋକ୍ତ ବ୍ୟବସ୍ଥା ରହିବା ଜରୁରୀ । ଏହାସହିତ ଅଗ୍ନିକାଣ୍ଡ ଜନିତ ଅଘଟଣ ଏଡ଼ାଇବା ପାଇଁ ଜଣେ ସୁପରଭାଇଜର କିମ୍ବା ଫାୟର ଅଫିସର ନିଯୁକ୍ତି କରାଯିବା ଆବଶ୍ୟକ । ତେଣୁ ଏହିସବୁ ସ୍ଥାନରେ ନିୟମାନୁସାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି କି ନାହିଁ ତାହା ଯାଞ୍ଚ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଅଟ୍ଟାଳିକାର ସମସ୍ତ ଫ୍ଲୋର ତଥା ମହଲାର ଟିକିନିଖି ଯାଞ୍ଚ କରାଯିବା ସହ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମଧ୍ୟ ଦେଖାଯିବ । ଏହାଛଡା ଉକ୍ତ ଅଟ୍ଟାଳିକା ଗୁଡିକର ମାଲିକ ତୁରନ୍ତ ଅଗ୍ନି ନିରାପତ୍ତା ପ୍ରମାଣପତ୍ରର ନକଲ ଅଗ୍ନିଶମ ବିଭାଗରେ ଦାଖଲ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିସôାଳୟ, ପ୍ରମୁଖ ମେଡିକାଲ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ । କାରଣ ଏହି ସବୁ ସ୍ଥାନକୁ ଦୈନିକ ଶତାଧିକ ଲୋକଙ୍କ ଯା’ଆସ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହକ ମଧ୍ୟରେ ଏହିସବୁ ସ୍ଥାନରେ ଯାଞ୍ଚ ସହ ନିରାପତ୍ତା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଆସନ୍ତା ୨୧ ତାରିଖ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ସାରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ନିୟମିତ ଗହଳି ଲାଗିରହୁଥିବା ବିଭିନ୍ନ ସହରର ବଜାର ଓ ଗ୍ରାମାଞ୍ଚଳର ହାଟ ଆଦି ସ୍ଥାନକୁ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ଅଧିକାଂଶ ସମୟରେ ସଟ୍ସର୍କିଟ ଯୋଗୁଁ ଏହିସବୁ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥାଏ । ତେଣୁ ବଜାରରେ ଖୋଲିଥିବା ସମସ୍ତ ଛୋଟ/ବଡ଼ ଦୋକାନରେ ବିଦୁ୍ୟତ ସଂଯୋଗ ବ୍ୟବସ୍ଥା ଯାଞ୍ଚ କରାଯିବ । ତତ୍ସହିତ ଜନସାଧାରଣଙ୍କୁ ଅଗ୍ନିକାଣ୍ଡ ମୁକାବିଲା ନିମନ୍ତେ ପ୍ରଶିକ୍ଷଣ ଏବଂ ମୁକାବିଲା ନିମେନ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ତେବେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଆସି ୧୧୨-ଡାଏଲ କରି ଯୋଗାଯୋଗ କରିବାକୁ ଡିଜି ଶ୍ରୀ ଉପାଧ୍ୟାୟ ପରାମର୍ଶ ଦେଇଛନ୍ତି ।