ଭାରତ ଆଗରେ ଇଣ୍ଡୋନେସିଆ ଆହ୍ୱାନ
ଥୋମାସ୍ କପ୍ ମୁକୁଟ ଲଢ଼େଇ
ବ୍ୟାଙ୍କକ୍, ୧୪ା୫ (ଏଜେନ୍ସି): ଥୋମାସ୍ କପ୍ରେ ଆତ୍ମବିଶ୍ୱାସରେ ଭରା ଭାରତ ରବିବାର ପୁଣି ଥରେ ସାମର୍ଥ୍ୟାତୀତ ପ୍ରଦର୍ଶନ କରି ନୂଆ ଇତିହାସ ରଚିବା ଲକ୍ଷ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବ, ଯେଉଁଠି ମୁକୁଟ ଲଢ଼େଇରେ ତା’ ଆଗରେ ୧୪ ଥର ବିଜେତା ଇଣ୍ଡୋନେସିଆର ଆହ୍ୱାନ ରହିବ ।
ପୂର୍ବ ସଂସ୍କରଣ ବିଜେତା ଇଣ୍ଡୋନେସିଆର ଯାତ୍ରା ଏ ଯାବତ୍ ଉଲ୍ଲେଖନୀୟ ରହି ଆସିଛି, ଯାହାକୁ ପରାଜିତ କରିବା ସହଜସାଧ୍ୟ ନୁହେଁ । ତେବେ ଭାରତୀୟ ପୁରୁଷ ଟିମ୍ ଶକ୍ତିଶାଳୀ ମାଲେସିଆ ଓ ଡେନ୍ମାର୍କକୁ ହରାଇ ପ୍ରଥମ ଥର ଫାଇନାଲ୍ରେ ପ୍ରବେଶ କରିବା ସହ ନିଜ ଭିତରର ଉତ୍ସାହ ଓ କ୍ଷମତାର ପ୍ରଦର୍ଶନ କରି ସାରିଛି । ଭାରତ ପୂର୍ବରୁ କେବେ ବି ପଦକ ଜିତି ନ ଥିଲା, ଚୂଡ଼ାନ୍ତ ଲଢ଼େଇ ହାରିଲେ ବି ଅତି କମ୍ରେ ରୌପ୍ୟ ପାଇବ । ତେବେ ଏ ଯାତ୍ରା ରୌପ୍ୟଠାରୁ ଆଗକୁ ବି ଯାଇପାରେ । ଶକ୍ତିଶାଳୀ ଟିମ୍ ବିପକ୍ଷ ଲଢ଼େଇରେ ଭାରତୀୟ ଟିମ୍ ପ୍ରତ୍ୟାବର୍ତ୍ତନ କରିବାର ସାମର୍ଥ୍ୟ ଓ ଆତ୍ମବିଶ୍ୱାସର ନମୁନା ବି ଦେଖାଇ ସାରିଛି ।
ପ୍ରତିଯୋଗିତାରେ ଇଣ୍ଡୋନେସିଆର ଏ ଯାବତ୍ ଅପରାଜେୟ ରେକର୍ଡ ଥିବା ବେଳେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ କେବଳ ଗୋଟିଏ ମ୍ୟାଚ୍ – ଚାଇନୀଜ୍ ତାଇପେ ବିପକ୍ଷରେ ହାରି ଯାଇଥିଲା । ଇଣ୍ଡୋନେସିଆ ନକ୍ଆଉଟ୍ ପର୍ଯ୍ୟାୟରେ ଚୀନ୍ ଓ ଜାପାନ୍କୁ ହରାଇଥିଲା । ଭାରତ ମଧ୍ୟ ପାଞ୍ଚ ଥର ବିଜେତା ମାଲେସିଆ ଓ ୨୦୧୬ ବିଜେତା ଡେନ୍ମାର୍କକୁ ଧରାଶାୟୀ କରିଛି ।
ଭାରତୀୟ ବ୍ୟାଡ୍ମିଣ୍ଟନ୍ର ଦୁଇ ପୋଷ୍ଟର ବଏ – କିଦାମ୍ବୀ ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଣୟ ପାଞ୍ଚ ବିଜୟ ରେକର୍ଡ ସହ ଗୁରୁଦାୟିତ୍ୱକୁ ବହନ କରି ଆସିଛନ୍ତି । ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟିଙ୍କ ଦେଶର ସର୍ବଶ୍ରେଷ୍ଠ ଯୁଗଳ ଯୋଡ଼ି ଭଲ ପ୍ରଦର୍ଶନ କରିଛନ୍ତି । ବିଶ୍ୱର ନଅ ନମ୍ବର ଖେଳାଳି ଲକ୍ଷ୍ୟ ସେନ୍ ଭଲ ଖେଳୁଥିଲେହେଁ ପୂର୍ବ ଦୁଇ ମୁକାବିଲାରେ ସକାରାତ୍ମକ ଆରମ୍ଭ କରି ପାରି ନ ଥିଲେ ।
ତେନେ କ୍ରିଷ୍ଣ ପ୍ରସାଦ ଗରଗା ଓ ବିଷ୍ଣୁବର୍ଦ୍ଧନ ଗୌଡ଼ÿ ପଞ୍ଜଳାଙ୍କ ଯୁଗଳ ଯୋଡ଼ି ଆଶାଜନକ ପ୍ରଦର୍ଶନ କରି ପାରି ନାହାନ୍ତି । ସେମାନେ ମାଲେସିଆ ଓ ଡେନ୍ମାର୍କ ବିପକ୍ଷରେ ନିଜ ମ୍ୟାଚ୍ ହାରି ଯାଇଥିଲେ । ଭାରତୀୟ ଥିଙ୍କ୍ ଟ୍ୟାଙ୍କ୍ ଫାଇନାଲ୍ ପାଇଁ ଦ୍ୱିତୀୟ ଯୁଗଳ ଯୋଡ଼ି ଭାବେ ଏମ୍ଆର୍ ଅର୍ଜନ ଓ ଧ୍ରୁବ କପିଳାଙ୍କୁ ଫେରାଇ ଆଣିପାରେ । ଏହି ଯୋଡ଼ି ରାଉଣ୍ଡ ରବିନ୍ରେ ଦୁଇଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍ ଜିତିଥିଲେ ଏବଂ ଗୋଟିଏ ମ୍ୟାଚ୍ ହାରି ଯାଇଥିଲେ ।
ରବିବାର ଲକ୍ଷ୍ୟ ବିଶ୍ୱର ଚାରି ନମ୍ବର ଖେଳାଳି ଆନ୍ଥୋନୀ ସିନିସୁକା ଜିଣ୍ଟିଙ୍ଗ୍ଙ୍କ ଆହ୍ୱାନର ସମ୍ମୁଖୀନ ହୋଇ ପାରନ୍ତି । ସେ ଏହି ଇଣ୍ଡୋନେସୀୟ ବିପକ୍ଷ ପୂର୍ବ ମ୍ୟାଚ୍ରୁ ପ୍ରେରଣା ନେଇ ପାରିବେ, ଯାହାଙ୍କୁ ସେ ମାର୍ଚ୍ଚରେ ଖେଳାଯାଇଥିବା ଜର୍ମାନ୍ ଓପନ୍ରେ ସିଧାସଳଖ ଗେମ୍ରେ ହରାଇଥିଲେ ।
ଶ୍ରୀକାନ୍ତ ବିଶ୍ୱର ଆଠ ନମ୍ବର ଖେଳାଳି ଜୋନାତନ କ୍ରିଷ୍ଟୀଙ୍କୁ ଭେଟି ପାରନ୍ତି, ଯିଏକି ସ୍ୱିସ୍ ଓପନ୍ରେ ମୁକୁଟ ଜିତି ଏବଂ କୋରିଆ ଓପନ୍ ଓ ବ୍ୟାଡ୍ମିଣ୍ଟନ ଏସିଆ ଚାମ୍ପିଅନ୍ସିପ୍ସରେ ଉପବିଜେତା ହେବା ସହ ଜୋର୍ଦାର ଫର୍ମରେ ଅଛନ୍ତି । ଭାରତୀୟଙ୍କ କ୍ରିଷ୍ଟୀଙ୍କ ବିପକ୍ଷରେ ୪-୫ ଜୟ-ପରାଜୟ ରେକର୍ଡ ରହିଛି । ଶ୍ରୀକାନ୍ତ ଚଳିତ ବର୍ଷ ଏହି ଇଣ୍ଡୋନେସୀୟଙ୍କଠାରୁ ଦୁଇଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ହାରିବା ପରେ ଏହି ମ୍ୟାଚ୍ ଖେଳିବେ ।
ସେମିଫାଇନାଲ୍ରେ ଆଘାତ ସତ୍ତ୍ୱେ ଭାରତକୁ ନିର୍ଣ୍ଣାୟକ ବିଜୟ ଦେଇଥିବା ପ୍ରଣୟ ଏଥର ବି ଆବଶ୍ୟକସ୍ଥଳେ ସେହି ଭୂମିକା ନିର୍ବାହ କରି ପାରନ୍ତି । ସେ ବିଶ୍ୱର ୨୪ତମ ଖେଳାଳି ଶେସାର ହିରେନ୍ ରୁସ୍ତାଭିଟୋଙ୍କୁ ଭେଟି ପାରନ୍ତି । ଏବେ ବିଶ୍ୱର ୨୩ତମ ସ୍ଥାନରେ ଥିବା ପ୍ରଣୟଙ୍କ ଏହି ଇଣ୍ଡୋନେସୀୟଙ୍କ ବିପକ୍ଷରେ ୨-୦ ରେକର୍ଡ ରହିଛି; କିନ୍ତୁ ସେ ଏହି ଯୁବ ଖେଳାଳିଙ୍କ ବିପକ୍ଷରେ ଗତ ପାଞ୍ଚ ବର୍ଷ ହେଲା ଖେଳି ନାହାନ୍ତି ।
ଇଣ୍ଡୋନେସିଆ ପାଖରେ ବିଶ୍ୱର ଶ୍ରେଷ୍ଠ ଯୁଗଳ ସଟ୍ଲର୍ ଅଛନ୍ତି । ତେଣୁ ସାତ୍ତ୍ୱିକ ଓ ଚିରାଗଙ୍କ ଭଳି ଭାରତୀୟ ଯୋଡ଼ିଙ୍କୁ କଡ଼ା ଆହ୍ୱାନ ଦେଇ ଗତି କରିବାକୁ ପଡ଼ିବ ।
ଟିମ୍ ସହିତ ଥିବା ପୂର୍ବତନ ଭାରତ କୋଚ୍ ବିମଳ କୁମାର ଏ ଯାବତ୍ ଭାରତର ପ୍ରଦର୍ଶନ ନେଇ ସନ୍ତୁଷ୍ଟ ଅଛନ୍ତି । ଇଣ୍ଡୋନେସିଆ ବିପକ୍ଷରେ ଆମର ୫୦-୫୦ ସୁଯୋଗ ରହିଛି ବୋଲି ବିମଳ ଆଶାବ୍ୟକ୍ତ କରିଛନ୍ତି ।