କାମ ଆରମ୍ଭ କଲେ ରୂପକାର ସେବକ
ଅନୁକୂଳ ହେଲା କଣଗୁଜ
ପୁରୀ (ବୁ୍ୟରୋ): ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଶନିବାର ରଥଖଳାରେ ପରମ୍ପରା ଅନୁଯାୟୀ ତିନି ରଥର କଣଗୁଜ ଅନୁକୂଳ ହୋଇଛି । ପୂର୍ବାହ୍ନରେ ତିନିରଥର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର, ନରସିଂହ ମହାପାତ୍ର ଓ କୃଷ୍ଣଚନ୍ଦ୍ର ମହାରଣା ମହାପ୍ରଭୁଙ୍କ ଲାଗି ତୁଳସୀ, ଫୁଲମାଳ ଓ ମାହାର୍ଦ୍ଦ ଆଣି ୩ ଖଣ୍ଡ କାଠରେ ରଖି ପୂଜାର୍ଚ୍ଚନା କରି ନଡ଼ିଆ ଭାଙ୍ଗିଥିଲେ । ଏହାପରେ ଅନ୍ୟ ବିଶ୍ୱକର୍ମା ଓ ମହାରଣାମାନେ କଣଗୁଜ ପାଇଁ ରହିଥିବା ୩ଖଣ୍ଡ କାଠକୁ ଚଉପଟ କରିଥିଲେ । କାଠ ଚଉପଟ ସରିବା ପରେ ମୁଖ୍ୟ ବିଶ୍ୱକର୍ମା ରୂପକାର ସେବକଙ୍କୁ ହସ୍ତାନ୍ତର କରିଥିଲେ । ଚାପକୁ ଠାକୁର ବିଜେ ହେବା ପରେ ରଥଖଳାରେ ତିନିରଥର ମୁଖ୍ୟ ରୂପକାର କଣଗୁଜ ଅନୁକୂଳ କରିଥିଲେ । ରୂପକାରମାନେ କଣଗୁଜରେ ପାରମ୍ପରିକ ରୀତିରେ ସିଂହ ବିରାଳ ତଥା ନୃ ସିଂହ ରେଖା ଖୋଦେଇ କରିଥିଲେ । ପ୍ରଥମେ ଚିତ୍ର ଆଙ୍କି ନିହଣ ଓ ମୁଗୁରଦ୍ୱାର ଖୋଦେଇ କାମ ଆରମ୍ଭ କରିଥିଲେ ।
ନନ୍ଦି ଘୋଷ ରଥର ରୂପକାର କୁହନ୍ତି, ତାଳଧ୍ୱଜ ଏବଂ ନନ୍ଦିଘୋଷରେ ୧୬ଟି ଲେଖାଏଁ କଣଗୁଜ ଏବଂ ସୁଭଦ୍ରାଙ୍କ ରଥରେ୧୨ଟି କଣଗୁଜ ରହିଥାଏ । ସେହିପରି ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୧୨ଟି ପଟାଗୁଜ ରହୁଥିବା ବେଳେ ସୁଭଦ୍ରାଙ୍କ ରଥରେ ୮ଟି ପଟାଗୁଜ ରହିଥାଏ । ଭଉଁରୀ ପରେ ପଟାଗୁଜ କାମ ଆରମ୍ଭ ହେବ । ଏଥିରେ ଗଜ ବିରାଳ, ନର ବିରାଳ, ଗଜ-ସିଂହ ବିରାଳ ଅଙ୍କନ କରାଯିବ । ଏହାବ୍ୟତିତ ଦୁଆରବେଢ଼ା ତଳେ ୮ଟି ଲେଖାଏଁ ନାଟଗୋଡ଼ ହେବ । ତିନିରଥ ପାଇଁ ମୋଟ ୨୪ଟି ନାଟଗୋଡ଼ କରାଯିବ । ଶେଷରେ ତିନିଠାକୁରଙ୍କ ପଛପଟ ପ୍ରଭା କାମ ଖୋଦେଇ କରାଯିବ ବୋଲି କହିଛନ୍ତି ।
ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ରଥଖଳାର ଅପରପାଶ୍ୱର୍ ତଥା ମା’ ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖରେ ଯନ୍ତାଗାଡ଼ ଖୋଳାଯାଇଛି । ଏଥିସହ ଅର, ଫାଳି, ଅର ମୁଣ୍ଡିକୁ ସିଙ୍ଗଡ଼ାବାଡ଼ିଆ କାମଭୋଇ ସର୍ଦ୍ଦାରଙ୍କ ଦ୍ୱାରା ଅନୁକୂଳ ହେବ । ଯନ୍ତାଗାଡ଼ରେ ୪୨ ତୁମ୍ବରେ ୬୭୨ଟି ଅର ଖଞ୍ଜାଯିବ ।