ପହଞ୍ଚôଲାନି ଆମ୍ବୁଲାନ୍ସ, ରାସ୍ତାରେ ପ୍ରସବ
ଫୁଲବାଣୀ (ବୁ୍ୟରୋ): ରାସ୍ତା ସାଜିଲା ବାଧକ । ମଝି ରାସ୍ତାରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ମହିଳା । ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଆମ୍ବୁଲାନ୍ସ କର୍ମଚାରୀ ପ୍ରାୟ ଏକ କିଲୋମିଟର ବାଟ ଚାଲି ଗର୍ଭବତୀଙ୍କୁ ଷ୍ଟ୍ରେଚରେ ବୋହି ଆଣିଥିଲେ । ଇତି ମଧ୍ୟରେ ରାସ୍ତାରେ ଗର୍ଭବତୀ ଜଣକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଜି ବି କନ୍ଧମାଳ ଜିଲ୍ଲାର ଶତାଧିକ ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନାହିଁ । ଗ୍ରାମବାସୀ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି । ବିଶେଷକରି ଏହି ଦୁର୍ଗମ ଅଞ୍ଚଳ ମାନଙ୍କରେ କେହି ରୋଗରେ ପଡ଼ିଲେ ଗାଁରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ । ବାଧ୍ୟ ହୋଇ ଜରୁରୀ ସମୟରେ ରୋଗୀଙ୍କୁ ଦୋଳାରେ ବୋହି ନେବାକୁ ପଡ଼ିଥାଏ । ଚକାପାଦ ବ୍ଲକ୍ ପସରା ପଞ୍ଚାୟତ ଉଡାନସିଂ ଗ୍ରାମର କୈଳାଶ କହଁରଙ୍କ ପନôୀ ସୁମତୀ ଶନିବାର ଗର୍ଭ ଯନ୍ତ୍ରଣା ପାଇଥିଲେ । ଆଶା ଦିଦି ସୁନୀତା ବେହେରା ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ପ୍ରମୋଦ ସାହୁ, ଡ୍ରାଇଭର୍ ଶିବରାମ ମଲିକ ଓ ଆଟେଣ୍ଡାଣ୍ଟ୍ ମିଥୁନ କହଁର ରୋଗୀଙ୍କୁ ଆଣିବା ପାଇଁ ବାହାରି ଥିଲେ । ରାଇପଦା ନିକଟ ପିଟମାହାଠାରୁ ଆଉ ଆଗକୁ ଯିବା ପାଇଁ ରାସ୍ତା ନ ଥିବାରୁ ଗାଡ଼ି ସେଠାରେ ଅଟକି ଯାଇଥିଲା । ସେଠାରୁ ଷ୍ଟ୍ରେଚର୍ ନେଇ ଗର୍ଭବତୀଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ କର୍ମଚାରୀ ଚାଲି ଚାଲି ଯାଇଥିଲେ । ବାଟରେ ଜଙ୍ଗଲ ଭିତରେ ସୁମତି ଆଶା ଦିଦିଙ୍କ ସହାୟତାରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଆମ୍ବୁଲାନ୍ସ କର୍ମଚାରୀ ସେହି ସ୍ଥାନରୁ ଷ୍ଟେଚର୍ ଯୋଗେ ପ୍ରସୂତି ଓ ନବଜାତକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପରେ ଗାଡ଼ିରେ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଉଭୟ ମାଆ ଓ ଶିଶୁକନ୍ୟାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା କୁହାଯାଇଛି । ସୂଚନା ଥାଉକି, ପିଟମାହା ଠାରୁ ଉଡ଼ାନସିଂ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ନାହିଁ । ବାଟରେ ପଡୁଥିବା ବୃତ୍ତଙ୍ଗ ନଦୀ ଉପରେ ପୋଲ ନ ଥିବାରୁ ଲୋକେ ଏହାକୁ ପାର୍ ହେବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ପର୍ଯ୍ୟନ୍ତ ଥିବା ଏକ ମାଟି ରାସ୍ତା ପ୍ରାୟ ୨୦ ବର୍ଷ ତଳେ ନିର୍ମାଣ ହୋଇଥିଲା । ମରାମତି କରାଯାଇ ନ ଥିବାରୁ ଏହି ରାସ୍ତା ଆଉ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ ।