ରୋଷେଇ ଘରେ ଚଡ଼କ

ଭୁବନେଶ୍ୱର,୧୩ା୫(ବୁ୍ୟରୋ): ୧୫ ଦିନ ତଳେ ୨୫ରୁ ୩ଠ ଟଙ୍କା ଥିଲା ଟମାଟୋ । ହେଲେ ଏବେ ଏହାର କିଲୋପିଛା ଦର ଗୋଟିଏ ଲିଟର ପେଟ୍ରୋଲ୍ ଠୁ ବି ଅଧିକ । ରାଜଧାନୀରେ ପେଟ୍ରୋଲ ଲିଟର ପିଛା ଦର ୧୧୨.୫ଠ ଟଙ୍କା ରହିଥିବାବେଳେ ଖୁଚୁରା ବଜାରରେ ଟମାଟୋର କିଲୋ ୧୨ଠ ଟଙ୍କାରେ ବିକ୍ରି ହେଉଛି । ଲେମ୍ବୁ ପରେ ଏବେ ଟମାଟୋର ଆକାଶଛୁଆଁ ଦରକୁ ନେଇ ଖାଉଟି ଚିନ୍ତାରେ । ଖାଲି ଟମାଟୋ ନୁହେଁ କିଛି ଦିନ ତଳେ ଚିକେନ୍ କିଲୋ ପିଛା ୧୮ଠ-୨ଠଠ ଟଙ୍କା ଥିବାବେଳେ ଏବେ ଏହା ୩ଠଠ ମୁହାଁ ହୋଇଛି । କିଏ ୨୬ଠ ତ ଆଉ କିଏ ୨୮ଠ ଟଙ୍କାରେ ଚିକେନ୍ ବିକୁଛନ୍ତି ।
ମିଳିଥିବା ସୂଚନାନୁସାରେ, ବାଲେଶ୍ୱରରୁ ବ୍ରହ୍ମପୁର, କଟକରୁ କଳାହାଣ୍ଡି, ଦର ଶୁଣିଲା ବେଳକୁ ଟମାଟୋ ରଙ୍ଗଠାରୁ ଅଧିକ ଲାଲ୍‌ ପଡିଯାଉଛି ଖାଉଟିଙ୍କ ମୁହଁ । ଟମାଟୋର ହୋଲ୍ସେଲ୍ ଦର ଏବେ କିଲୋ ପ୍ରତି ୮ଠ-୧ଠଠ ଟଙ୍କା ରହିଛି । ଖୁଚୁରା ବଜାରରେ ଏହା ୧୧ଠରୁ ୧୨ଠ ଟଙ୍କାରେ ବିକ୍ରି ହେଉଛି । ବାହା ଋତୁ ଏବଂ ଅନ୍ୟ ରାଜ୍ୟ କମ୍ ଟମାଟୋ ଆସୁଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଚାହିଦା ତୁଳନାରେ ଉତ୍ପାଦନ ନଥିବାରୁ ଦର ବଢିଥିବା କହୁଛନ୍ତି ବ୍ୟବସାୟୀ । ରାଜ୍ୟରେ ଟମାଟୋ ଉତ୍ପାଦନ ସେଭଳି ଆଖିଦୃଶିଆ ହୋଇନଥିବାବେଳେ ବାଙ୍ଗାଲୋର ଟମାଟୋ ଉପରେ ନିର୍ଭର କରିବାକୁ ପଡ଼ୁଛି । ସେଠି ବି ଉତ୍ପାଦନ କମିଥିବାରୁ ଦର ଉପରମୁହାଁ ହୋଇଥିବା କୁହାଯାଉଛି । ଗୋଟେପଟେ ପେଟ୍ରୋଲ୍, ଡିଜେଲ ଦରରେ ଅହେତୁକ ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ଥିବାବେଳେ ଟମାଟୋ ଭଳି ଆବଶ୍ୟକୀୟ ପରିବା ଆକାଶଛୁଆଁ ହେବା ପରେ ହାଣ୍ଡିଶାଳରେ ଚଡ଼କ ପଡ଼ିଛି । ଦରଦାମ୍ ବୃଦ୍ଧିରୁ ତ୍ରାହିତ୍ରାହି ଡାକିଲେଣି ଖାଉଟି ।
ଅନ୍ୟପକ୍ଷରେ ଟ୍ରିପଲ୍‌ ସେଞ୍ଚୁରି ମାରିବାକୁ ବସିଛି ଚିକେନ୍‌ । ଯାହାକି ଖାଉଟିଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । ସପ୍ତାହକ ତଳେ ଚିକେନ୍‌ ଦର ଥିଲା ୧୮୦ରୁ ୨୦୦ ଟଙ୍କା । ଏବେ ୨୬ଠ-୨୮ଠ । ହୋଟେଲ ଓ ଫାଷ୍ଟଫୁଡ୍‌ ଉପରେ ଚିକେନ୍ ଦର ବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଛି । ସବୁ ଚିକେନ୍‌ ଆଇଟମ୍ ଦାମ୍ ପ୍ଲେଟ୍ ପିଛା ୧୦ରୁ ୨୦ ଟଙ୍କା ବଢ଼ିଛି । ବିବାହ ଋତୁ ଚାଲିଥିଲେ ମଧ୍ୟ ରାଜ୍ୟରେ ଚିକେନ୍‌ ଉତ୍ପାଦନ କମ୍‌ ରହିଛି, ତା’ସାଙ୍ଗକୁ କୁକୁଡ଼ା ଚିଆଁ ଓ ଔଷଧ ଦର ବଢିଥିବାରୁ ଉତ୍ପାଦନ ଖର୍ଚ୍ଚ ବଢିଥିବା ରାଜ୍ୟ କୁକୁଡା ବ୍ୟବସାୟୀ ସଂଘ କହିଛି । ମହଙ୍ଗା ମାଡ଼ରେ ଲୋକେ କଲବଲ ହେଉଥିବାବେଳେ ଏପ୍ରିଲ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତକୁ ବଢ଼ିଯାଇଛି, ଯାହା ଗତ ୮ ବର୍ଷରେ ସର୍ବାଧିକ । ଆଗକୁ ଦରଦାମ୍ ନିୟନ୍ତ୍ରଣ ନ କଲେ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା କରୁଛନ୍ତି ଅର୍ଥନୀତି ବିଶାରଦ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *