ଭିଜିଲାନ୍ସ ହାତରେ ଭିଜିଲାନ୍ସ ଇନ୍ସପେକ୍ଟର
ସମ୍ବଲପୁର, ୧୩ା୫ (ଆପ୍ର): ବାଡ଼ ଯଦି ଫସଲ ଖାଏ କହିବା କାହାକୁ । ଦୁର୍ନୀତି ନିବାରଣ ପାଇଁ ଉଦ୍ଧିଷ୍ଟ ଭିଜିଲାନ୍ସ ବିଭାଗର ଅଫିସର ଯଦି ଲାଞ୍ଚ ନିଅନ୍ତି ତେବେ କାହାଠାରୁ ନ୍ୟାୟ ଆଶା କରିବା? ଏପରି ଏକ ବିଡମ୍ବନାପୂର୍ଣର୍ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ହଜାରେ ନୁହଁ କି ୧୦ ହଜାର ନୁହଁ ଏକକାଳୀନ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ରେଡ୍ହ୍ୟାଣ୍ଡେଡ୍ ନିଜ ବିଭାଗର ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ହାତରେ ଧରା ପଡିଛନ୍ତି ମହିଳା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ।
ତାଙ୍କଠାରୁ ୧୦ଲକ୍ଷ ଟଙ୍କା ଜବ୍ତ କରାଯାଇଛି । ଏହାସହିତ ଲାଞ୍ଚ କାରବାରରେ ମଧ୍ୟସ୍ଥି ସାଜିଥିବା ମୁକେଶ ସାହୁକୁ ମଧ୍ୟ ଭିଜିଲାନ୍ସ ଟିମ୍ ଅଟକ ରଖିଛି । ମୁକେଶ ଓ ମାନସୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରାଯାଇଛି ।
ଜଣେ ସରକାରୀ ଅଧିକାରୀଙ୍କ କେସ୍ ବନ୍ଦ କରିବା ପାଇଁ ମାନସୀ ଜେନା ବରଗଡ଼ ଜିଲ୍ଲାର ମୁକେଶ ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ଦେବା ପୂର୍ବରୁ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ଶୁକ୍ରବାର ମୁକେଶ ମାଧ୍ୟମରେ ମାନସୀ ୧୦ ଲକ୍ଷ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲେ । ମାନସୀଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଉଭୟଙ୍କ ଘର ଓ ସଂପର୍କୀୟଙ୍କ ଘର, ଅଫିସ ଇତ୍ୟାଦି ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ଉ ଶେଷ ହୋଇ ନ ଥିବାରୁ ଜବତ ସଂପତ୍ତି ସଂକ୍ରାନ୍ତରେ ଅଧିକ ତଥ୍ୟ ମିଳି ନାହିଁ ।