ପ୍ରତି ଜିଲ୍ଲାରେ ଖୋଳାଯିବ ୭୫ ପୋଖରୀ

ନୂଆଦିଲ୍ଲୀ, ୧୩ା୫: ‘ମିଶନ୍ ଅମୃତ ସରୋବର’କୁ ତ୍ୱରାନ୍ୱିତ କରାଇବା ପାଇଁ ମୋଦି ସରକାରଙ୍କ ଅଧା ଡଜନ୍ ମନ୍ତ୍ରାଳୟ ଓ ବିଭାଗ ଲାଗିପଡିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ କ୍ରମରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ ସରୋବର ନିର୍ମାଣ କରାଯିବ । ଏହି ଯୋଜନାରେ କେନ୍ଦ୍ର ସହ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ସକ୍ରିୟ ଭାଗିଦାରୀ ରହିବ । ସରୋବର ନିର୍ମାଣ ପାଇଁ ଆଧୁନିକ ପ୍ରଯୁକ୍ତିର ଉପଯୋଗ କରାଯିବ । ଜଳ ସଂରକ୍ଷଣ ପାଇଁ ଏହି ଅଭିନବ ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାହାକୁ କାର୍ଯ୍ୟକାରୀ କରାଇବା ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରାଳୟକୁ ନୋଡାଲ୍ ମନ୍ତ୍ରଣାଳୟ ନାମିତ କରାଯାଇଛି । ମିଶନ୍ ଅମୃତ ସରୋବରର ପ୍ରଥମ ପର୍ଯ୍ୟାୟରେ ୧୨ହଜାରରୁ ଅଧିକ ପୋଖରୀ ଖୋଳାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ମିଶନ୍ ଅମୃତ ସରୋବର ଆରମ୍ଭ ହେବା ସହିତ ଜଳ ସଂରକ୍ଷଣ ସମ୍ପର୍କିତ ୬ଟି କେନ୍ଦ୍ର ମନ୍ତ୍ରାଳୟ ଓ ଅନେକ ବିଭାଗ ସକ୍ରିୟ ହୋଇଛନ୍ତି । ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ପୂରଣ କରିବା ଲାଗି ଉକ୍ତ ଯୋଜନାରେ ଗ୍ରାମୀଣ ବିକାଶ, ଜଳ ଶକ୍ତି, ପଞ୍ଚାୟତିରାଜ, ଜଙ୍ଗଲ, ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ, ଭୂସଂସାଧନ, ପାନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରାଳୟ ସହିତ ଟେକ୍ନିକାଲ୍ ପାର୍ଟନର ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନ୍ଷ୍ଟିଚୁ୍ୟଟ୍ ଫର୍ ସ୍ପେସ୍ ଆପ୍ଲିକେଶନ୍ ଆଣ୍ଡ ଜିଓ ଇନ୍ଫରମେଟିକ୍ସକୁ ସାମିଲ କରାଯାଇଛି ।
ସରୋବରଗୁଡିକ ପାଇଁ ମାନକ ନିର୍ଦ୍ଧାରିତ ହୋଇଛି । ସେହି ଅନୁଯାୟୀ ଏକ, ଏକର ବା ତା’ଠାରୁ ଅଧିକ ଜମିରେ ପୋଖରୀ ଖୋଳାଯିବ । ପୋଖରୀର ଗଭୀରତା ହେବ ୩ ମିଟର ଯଦ୍ଦ୍ୱାରା ସେରେ ୧୦ହଜାର ଘନ ମିଟର ଜଳ ସଂରକ୍ଷଣ ରହିପାରିବ । ଜଳ ସଂରକ୍ଷଣ ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ମିଶନ୍ ଅମୃତ ସରୋବରରେ ରାଜ୍ୟ ତଥା ଜିଲ୍ଲା ପ୍ରଶାସନକୁ ବିଶେଷ ଭାବେ ସାମିଲ କରାଯାଉଛି । ପୋଖରୀ ଖୋଳାରେ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ରୋଜଗାର ଗ୍ୟାରେଣ୍ଟି ଆଇନ୍ (ମନରେଗା)ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ‘ଅମୃତ ସରୋବର’ ମିଶନ୍ରେ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଗ୍ରାଣ୍ଟ, ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନା ଅନ୍ତର୍ଗତ ଜଳଛାୟା ଉନ୍ନୟନକୁ ମଧ୍ୟ ସାମିଲ କରାଯିବ । ଏହାଛଡା ବେସରକାରୀ ସଙ୍ଗଠନ (ଏନ୍ଜିଓ)ମାନଙ୍କ ସହଯୋଗ ଲୋଡାଯିବ । ଯେକୌଣସି ପରିସ୍ଥିତିରେ ୨୦୨୩ ଅଗଷ୍ଟ ୧୫ ସୁଦ୍ଧା ଅମୃତ ସରୋବର ନିର୍ମାଣ ପୂର୍ଣ୍ଣାଙ୍ଗ ହେବ । ଏହିସବୁ ସରୋବରରେ ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖ ଦିନ ଉଡ଼ିବ ତ୍ରିରଙ୍ଗା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *